ବାରିପଦା : ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାଗୃହରେ ଶ୍ରୀରାମ ଚନ୍ଦ୍ର ସାହିତ୍ୟ ସଂସଦର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଅନୁଷ୍ଠାନର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ରୀନିବାସ ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଦେବାପରେ କାର୍ଯ୍ୟକ୍ରମ ଆରଂଭ ହୋଇଥିଲା। ଅନୁଷ୍ଠାନର ସଭାପତି ଡକ୍ଟର ପୁଷ୍ପା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଡଃ ହରିଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କବିମାନେ ସବୁବେଳେ ଜୀବନର କଥା କହିଆସୁଛନ୍ତି ବୋଲି ଦୃଢକ୍ତି ପ୍ରକାଶ କରିବା ସହ ଅତୀତରେ ଏପର୍ଯ୍ୟନ୍ତ ଯେତେ ସାହିତ୍ୟ ସୃଷ୍ଟି ହୋଇଛି ସବୁଥିରେ ମଣିଷର ଜୀବନର କଥା ସୁନ୍ଦର ଭାବେ ଆଲୋକପାତ କରିଥିଲେ I କବିତାରେ ଯଦି ଆବେଗ ନରହିବ, ମଣିଷ ପ୍ରତି ଯଦି ଭଲପାଇବା ନରହିବ ସେ କବିତା ଶ୍ରୁତି ମଧୁର ନହେବା ସହ ଚିରକାଳ ପାଠକୀୟ ଆଦୃତି ପାଇପାରିବ ନାହିଁ ବୋଲି ମଧ୍ୟ ପ୍ରକାଶ କରିଥିଲେ । ସେହିପରି ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵ ବିଦ୍ୟାଳୟର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ତଥା କେନ୍ଦ୍ର ଯୁବ ସାହିତ୍ୟ ଏକାଡେମୀ ବିଜେତା ପ୍ରାବନ୍ଧିକ ଡକ୍ଟର ଶିଶିର ବେହେରା ସମ୍ମାନିତ ବକ୍ତା ଭାବେ ଯୋଗଦେଇ କହିଥିଲେ ସାହିତ୍ୟିକମାନେ ମନୋରଞ୍ଜନ ନୁହନ୍ତି। ସାହିତ୍ୟିକଟିଏ ସମାଜର ଜାଗ୍ରତ ପ୍ରହରୀ। ସେ ଲେଖୁଥିବା ସାହିତ୍ୟ ସମାଜକୁ ବଦଳେଇଦେଇପାରେ, ମଣିଷ ମନରେ ନୂଆ ଚିନ୍ତା ଚେତନା ବା ଭାବାନ୍ତର ସୃଷ୍ଟି କରିପାରେ। ମାନବିକତା ବୋଧ ଓ ନିଜର ପରମ୍ପରା ପ୍ରତି ବିଶ୍ଵାସ ଯେଉଁ ସାହିତ୍ୟରେ ଅଧିକ ସେହି ସାହିତ୍ୟ କାଳଜୟୀ ହୁଏ। ଏହା ସହ ସେ ଶ୍ରୀରାମ ଚନ୍ଦ୍ର ଭଞ୍ଜଙ୍କ ସାମଗ୍ରିକ ଜୀବନରେ ମଣିଷ ପଣିଆର ରାଜକୀୟ ଗରିମା ବିଷୟରେ ଆଲୋକପାତ କରିଥିଲେ। ତେବେ ମୁଖ୍ୟବକ୍ତା ଭାବେ ଡକ୍ଟର ରତ୍ନାକର ସିଂହ ସମାଜ ପ୍ରତି ସାହିତ୍ୟିକର ଥିବା ଉତ୍ତର ଦାୟିତ୍ଵ ଉପରେ ଦୃଷ୍ଟିପାତ କରିଥିଲେ। ସ୍ନେହାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବେନ୍ଦ୍ର ଆଚାର୍ଯ୍ୟ ବେଦ ପାଠ କରିଥିଲେ। ଏହି ଅବସରରେ ଡଃ ନିରୋଜ କୁମାର ପୋଥାଳ ଏବଂ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ମହାନ୍ତିଙ୍କୁ ଭୂମିପୁତ୍ର ସମ୍ମାନରେ ଓ ବିଶିଷ୍ଟ ଗାଳ୍ପିକା ଡଃ ସ୍ମୃତି ପଟ୍ଟନାୟକଙ୍କୁ ଭଞ୍ଜଦୀପ’ ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ସଂପାଦିକା ସୁଚରିତା ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଵା ସହ ଧନ୍ୟବାଦ ଦେଇଥିଲେ। ମଧୁସୂଦନ ମିଶ୍ର ଏବଂ ଭାସ୍ୱତୀ ପଣ୍ଡା କବିତା ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପଦେଷ୍ଟା ଡଃ ଉଷା ଶତପଥି, ବାସନ୍ତୀ ଲତା ମହାପାତ୍ର, ଡଃ ଅଳକା ମଞ୍ଜରୀ ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ କବି କବିତା ପାଠ କରିଥିଲେ। ସମସ୍ତ କବିମାନଙ୍କୁ ଉତ୍ତରୀୟ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପାର୍ଥ ସାରଥି ମହାନ୍ତି, ପ୍ରିୟଙ୍କା ଦାସ, ଖୁସି ଦାସ,ଭାସ୍କର ବାରିକ ଓ ଅନ୍ୟାନ୍ୟ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।