Onn 3

ଆଗରପଡ଼ା ଅଂଚଳରେ ଜମୁଛି ରଜ ମଉଜ

Religion and Cult State

ଆଗରପଡ଼ା: ଗାଁ ଠାରୁ ସହର ଯାଏଁ ସବୁଠି ଜମୁଛି ରଜ ମଉଜ । ବୁଧବାର ଠାରୁ ଆରମ୍ଭ ହୋଇଥିବା ରଜ ପର୍ବ ଆଗରପଡ଼ା ଓ ତାହାର ଆଖପାଖ ଅଂଚଳକୁ ଉତ୍ସବ ମୁଖର କରିଛି । ଟିକିରା ଆଇଡ଼ିଆଲ କ୍ଲବ ପକ୍ଷରୁ ଆୟୋଜିତ ୪ଦିନିଆ ରଜ ମହୋତ୍ସବକୁ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଉଦ୍‌ଘାଟନ କରିଥିବା କ୍ଲବ ସଭାପତି ମନ୍ନଥ ଦାସ,ସଂପାଦକ କାଳନ୍ଦି ମଲ୍ଲିକ, ସୁଶାନ୍ତ ଦାସ ପ୍ରମୁଖ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରୁଛନ୍ତି । ବିଭିନ୍ନ ସଂଧ୍ୟାରେ ସାଂସୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଅନୁରୂପ ଭାବେ ସ୍ଥାନୀୟ ରାମଗଡ଼ପଦା ଠାରେ ଏହି ମହୋତ୍ସବ ଉଦ୍‌ଘାଟିତ ହୋଇଛି । ଏଠାରେ କିଛି ଉଦ୍ୟମି ଯୁବକ ୨୦୦୫ ମସିହା ଠାରୁ କମିଟି ଗଠନ କରି ରଜ ପର୍ବକୁ ଗଣ ପର୍ବରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ରାମଦୋଳି, ବ୍ରେକ ଡ଼୍ୟାନ୍ସ ଦୋଳି, ଚକିରୀ ଦୋଳି, ଜୋଡ଼ା ଦୋଳି ଓ ମିକି ମାଉସ ରେ ଚଢ଼ି ଛୋଟ ଛୋଟ ପିଲାମାନେ ଆନନ୍ଦ ଉଠାଉଛନ୍ତି । ପ୍ରତ୍ୟେହ ଦିନ ବିଭିନ୍ନ ପ୍ରତିଯୋଗୀତା ସାଙ୍ଗକୁ ସଂଗୀତ, ନୃତ୍ୟ ପରିବେଷଣ ଓ ଶେଷ ଦିନରେ ପ୍ରତିଭାଧର ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏଠାରେ ପାନଭଙ୍ଗା, ଝୋଟି ଚିତା, ପୁଚି, ପୋଡ଼ ପିଠା ପ୍ରସ୍ତୁତି ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଛି । ଏଥିପାଇଁ ସମଗ୍ର ପଡ଼ିଆ ଅଞ୍ଚଳକୁ ଆକର୍ଷଣୀୟ ତୋରଣ, ଆଲୋକମାଳା ସାଜ୍ଜସଜ୍ଜା ସହ ଦୋଳି ଓ ରଜବତୀ ଠାକୁରାଣୀ ନିର୍ମାଣ କରାଯାଇଛି । ସେହିପରି ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ନିମପଡ଼ା କପାଳି କ୍ଷେତ୍ର ଓ ଗଣିଜାଙ୍ଗ ଠାରେ ରଜ ମହୋତ୍ସବ ଉଦ୍‌ଘାଟିତ ହୋଇଛି । ଆଧୁନିକ ସଭ୍ୟତାର ଦ୍ୱାହିଦେଇ ଉତ୍କଳର ମହାନ ସଂସ୍କୃତି ପରମ୍ପରାକୁ ଉତ୍କଳୀୟ ମାନେ ଭୁଲିଯାଇ ପାଶ୍ଚାତ୍ୟ ମୁଖୀ ହେଉଥିବା ବେଳେ ଏହି ଅଞ୍ଚଳବାସୀ କିନ୍ତୁ ଭୁଲି ପାରିନାହାନ୍ତି ସେହି ମହାନ ସଂସ୍କୃତି ପରମ୍ପରାକୁ । ତା’ର ଜ୍ୱଳନ୍ତ ଉଦାହରଣ ଓଡ଼ିଆ ମାନଙ୍କ ରଜ ପର୍ବ ।

ଅନ୍ୟାନ୍ୟ ଅଞ୍ଚଳରେ ଏହି ପର୍ବ ପର୍ବାଣୀ ଲୋପ ର ପାଦ ଦେଶରେ ପହଞ୍ଚିଥିବା ବେଳେ ଏଠାକାର ଅଞ୍ଚଳରେ ଏହି ପର୍ବ କିନ୍ତୁ ଅଧିକ ସରସ ସୁନ୍ଦର ହେବାରେ ଲାଗିଛି । ଓଡ଼ିଆଣି ପିଠା ଆସନ ପିଜା ଗ୍ରହଣ କରିଥିବା ବେଳେ ଏଠାରେ ପୋଡ଼ ପିଠା, କାକରା, ମଣ୍ଡା ଆଦି ସୁଆଦିଆ ପିଠାର ବାସ୍ନା ଆଜି ଘରେ ଘରେ ଅନୁଭବ ହୋଇଛି । ଗାଁ ଦାଣ୍ଡରେ ଯିବା ବେଳେ ଏହାର ବାସ୍ନା ସମସ୍ତଙ୍କୁ ଆକର୍ଷିତ କରିଛି । ଗାଁ ଦାଣ୍ଡରେ ଭାସି ଆସିଛି ଗାଁ ଲଳନା ମାନଙ୍କ ସୁମଧୁର କଣ୍ଠରେ ବନସ୍ତେ ଡ଼ାକିଲା ଗଜ ……… ର ମନ ମତାଣିଆ କଣ୍ଠ ସ୍ୱର । ଗାଁର ବରଗଛ ମୁଳେ ପଟା ଦୋଳି ସାଂଗକୁ କୁନି କୁନି ଝିଅ ମାନଙ୍କ ମଧ୍ୟରେ ପୁଚି ଖେଳ, ଲୁଡ଼ୁ ଖେଳର ନିଆରା ମଜା ଦେଖିବାକୁ ମିଳୁଛି । ପୃଥିବୀ ରଜସ୍ୱାଳା ଥିବାରୁ ଗାଁ ମହିଳା ମାନେ ରୋଷେଇ କାର୍ଯ୍ୟ ନ କରି ତାସ ଖେଳରେ ମାତି ଥିବାର ଦେଖିବାକୁ ମିଳିଛି । ଯୁବକ ମାନଙ୍କ କବାଡ଼ି ଖେଳ ଗାଁ ଦାଣ୍ଡରେ ଏକ ନିଆରା ପରିବେଶ ସୃଷ୍ଟି କରିଛି । ମୋଟା ମୋଟି ଭାବେ ରଜ ପର୍ବ ପାଇଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି ।