Onn 3

ଖବର ପ୍ରକାଶ ପରେ ନିର୍ମାଣ ହେଲା ରାସ୍ତା

State

ଆଗରପଡ଼ା: ଗତ ଅପ୍ରେଲ ମାସ ୧ ତାରିଖରେ “ ପ୍ରଶାସନ ଶୁଣିଲାନି ଗ୍ରାମବାସୀ ରାସ୍ତା ମରାମତି କଲେ ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ତରଫରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କରାଯାଇଥିବା ଜଣା ପଡ଼ିଛି । ପ୍ରକାଶ ଥାଉକି;ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଗାଁର ବିକାଶ କରିବାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଇଚ୍ଛା ଶକ୍ତିର ଅଭାବଯୋଗୁଁ ଏବେ ବି ଜିଲ୍ଲାର ଅନେକ ଗାଁରେ ବିକାଶତ ଦୂରର କଥା ମୌଳିକ ସୁବିଧା ମଧ୍ୟ ଅପହଞ୍ଚ ରହିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ୧୧ନଂ ଓ ୧୨ନଂ ୱାର୍ଡ଼ର ଗାଁ ବୋଡ଼କମହାଜିବ ଠାରେ । ଏଠି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ସବୁ ବ୍ୟବସ୍ଥା ଲୋକଙ୍କ ପାଇଁ ପାଲଟିଛି ସାତ ସପନ । ଏକ ଛୋଟିଆ ଗାଁ ବୋଡ଼କମହାଜିବ ଯାହାର ଲୋକସଂଖ୍ୟା ପାଖାପାଖି ୭୦୦ । ଜାମ୍ବମଣି-ସରମରା ଆରଡ଼ି ରାସ୍ତା ଓ ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ ରାସ୍ତାକୁ ଏହି ଗାଁ ରାସ୍ତା ସଂଯୋଗ କରୁଛି ।

ଅନ୍ୟରାସ୍ତାକୁ ଛାଡ଼ି ପୃଷ୍ଟିସାହି ଠାରୁ ଜେନାସାହି ପର୍ଯ୍ୟନ୍ତ ଲମ୍ବିଥିବା ପାଖାପାଖି ୨୦୦ମିଟର ରାସ୍ତା ମରଣଯନ୍ତ୍ରା ପାଲଟିଥିଲା । ଉକ୍ତ ରାସ୍ତା ଉପରେ ୫୦୦ରୁ ଅଧିକ ଗ୍ରାମବାସୀ ନିଜ ମୌଳିକ ସୁବିଧା ପାଇଁ ନିର୍ଭର କରିଥାନ୍ତି । ଏହିପରି ସ୍ଥଳେ ଖରା ଦିନକୁ ଛାଡ଼ି ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ ଥିଲା । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇ ଆଦୈା ସମ୍ଭବ ହେଉନଥିଲା । ଯଦ୍ୱାରା ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ଉକ୍ତ ସାହି ମଧ୍ୟକୁ ପ୍ରବେଶ କରି ପାରୁନଥିଲେ । ଏଠାରୁ ଛାତ୍ରଛାତ୍ରୀ ଓ କୁନିକୁନି ପିଲାମାନେ ସ୍କୁଲ,କଲେଜ ତଥା ଅଙ୍ଗନବାଡ଼ି କେନ୍ଦ୍ରକୁ ଏହି ରାସ୍ତାଦେଇ ବିପଦ ସଙ୍କୁଳ ପରିସ୍ଥିତିରେ ପ୍ରତିଦିନ ଅଧ୍ୟୟନ ପାଇଁ ଆସୁଥିଲେ ।

ଅଦିନିଆ ବର୍ଷାରେ ଉକ୍ତ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିଲା ଯଦ୍ୱାରା ଗ୍ରାମବାସୀମାନେ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିଲେ । ବର୍ଷ ୧୯୯୯ରେ ଏହି ରାସ୍ତାରେ ପ୍ରଶାସନ ତରଫରୁ ମୋରମ ବିଛାଯାଇଥିଲା ଓ ଇତି ମଧ୍ୟରେ ୨୪ବର୍ଷ ବିତିଯାଇଥିଲେ ସୁଦ୍ଧା ନା ପ୍ରଶାସନ ନା ଜନନାୟକ କେହିବି ଅଭିଯୋଗ ପରେ ମଧ୍ୟ ଦୃଷ୍ଟି ଦେଉନଥିଲେ ଯଦ୍ୱାରା ମାର୍ଚ୍ଚ ମାସ ୩୧ ତାରିଖ (ଶୁକ୍ରବାର)ବାଧ୍ୟ ହୋଇ ସତ୍ୟବ୍ରତ ପୃଷ୍ଟି, ସାବିତ୍ରୀ ପୃଷ୍ଟି, ଡ଼ଲି ଜେନା, ମିନତୀ ଗିରି, ଶୁଭଶ୍ରୀ ଗିରି, ଗୌରୀ ପୃଷ୍ଟି, ସସ୍ମିତା ପୃଷ୍ଟି, ଭବାନୀ ଦାଶ, ସୁକାନ୍ତି ଜେନା, ମମତା ଜେନା, କୁନ୍ତଳା ଜେନା, ପାଂଚାଳୀ ଦାଶ, ସୁମିତ୍ରା ଜେନା, ଭାଗବତ ପୃଷ୍ଟି, ତାପସ ପୃଷ୍ଟି, ହୃଶିକେଶ ଦାଶ, ଗୋଲକ ଜେନା, ଜଳଧର ଜେନା, ବିଜୟ ଜେନା ପ୍ରମୁଖ ଗ୍ରାମବାସୀ ମିଶି ରାସ୍ତା ମରାମତି କରିଥିଲେ । ପ୍ରଶାସନ ଆଗାମୀ ଦିନରେ ଏହି ରାସ୍ତା ପ୍ରତି ଦୃଷ୍ଟି ନ ଦେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବେ ବୋଲି ପ୍ରକାଶ କରିଥିଲେ । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଇତି ମଧ୍ୟରେ ବିଭାଗ ତରଫରୁ ଉକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ କରାଯାଇଥିବା ଜଣା ପଡ଼ିଛି ।