Onn 3

ପଲିଥିନ୍‌ର ବହୁଳ ବ୍ୟବହାର ଯୋଗୁଁ ମୂଲ୍ୟହୀନ ପାଲଟିଛି ବିଶ୍ୱପରିବେଶ ଦିବସ

State

ଆଗରପଡ଼ା: ଆଧୁନିକତ୍ୱର ପରିଭାଷାରେ ମନୁଷ୍ୟ ଭୂଲିବାକୁ ବସିଲାଣି ପରିବେଶର ସୁରକ୍ଷା । ତା ଭିତରେ ମନୁଷ୍ୟ ଭୂଲି ଯାଉଛି ନିଜ ଜୀବନର ସୁରକ୍ଷା । ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ପଲିଥିନ ଏକ ମୁଖ୍ୟ କାରଣ ସାଜିଛି । ପ୍ରତି ବର୍ଷ ଜୁନ ୫ ତାରିଖକୁ ବିଶ୍ୱପରିବେଶ ଦିବସ ରୂପେ ପାଳନ କରାଯାଉଛି ମାତ୍ର ପଲିଥିନର ବହୁଳ ବ୍ୟବହାର ଯୋଗୁଁ ଏହି ଦିବସ ମୂଲ୍ୟହୀନ ହୋଇପଡ଼ୁଛି ବୋଲି ପରିବେଶବିତମାନେ ମତ ପ୍ରକାଶ କରୁଛନ୍ତି । ମାନ୍ୟବର ହାଇକୋର୍ଟ ୨୦୦୨ ମସିହା ରେ ପଲିଥିନ ବ୍ୟବହାରକୁ ବିରୋଧ କରି ଏହା ବିରୁଦ୍ଧରେ କଡ଼ା କଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ଜିଲ୍ଳା ପ୍ରଶାସନକୁ ଏହାର ବ୍ୟବହାର ପାଇଁ ନିଷେଧାଜ୍ଞା ଜାରି ମଧ୍ୟ କରିଛନ୍ତି । ତତ୍ ସହିତ ବିଭିନ୍ନ ଗଣମାଧ୍ୟମରେ ଏହାର ବ୍ୟବହାର ନକରିବା ପାଇଁ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା । କିନ୍ତୁ ଇତି ମଧ୍ୟରେ ୨୦ ବର୍ଷ ବିତିଗଲା ପରେବି ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳିତ ହୋଇନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ ।

ଯାହାକି ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ପ୍ରକାଶ ଥାଉକି : ସମଗ୍ର ଦେଶରେ ପରିବେଶର ସୁରକ୍ଷାକୁ ନେଇ ପଲିଥିନ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ବହୁ ରାଜ୍ୟରେ ପଲିଥିନ କାରବାର ବନ୍ଦ ହୋଇଯାଇଥିବା ବେଳେ ୨୦୧୮ ଅକ୍ଟୋବର ୨ତାରିଖରୁ ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ୱର,କଟକ,ପୁରୀ,ରାଉରକେଲା ଓ ବ୍ରହ୍ମପୁରରେ ଏହାର ବ୍ୟବହାର ଉପରେ ରୋକ୍ ଲଗାଯାଇଥିଲା ଓ ବର୍ଷ ୨୦୧୯ ଅକ୍ଟୋବର ୨ତାରିଖରୁ ସାରା ରାଜ୍ୟକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଥିଲେ ସୁଦ୍ଧା ଏହାର ସଫଳ ରୂପାୟନ ଆଜି ସୁଦ୍ଧା ହୋଇ ପାରି ନାହିଁ । ଏହାର ବ୍ୟବହାର ଉପରେ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନ ନିଆ ହେବା ଦ୍ୱାରା ଏହାର ବହୁଳ ବ୍ୟବହାର ହେଉଛି । ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ପଲିଥିନର ବହୁଳ ବ୍ୟବହାର ଦେଖାଯାଉଛି । ୫୦ମାଇକ୍ରୋନରୁ କମ୍ ପଲିଥିନ ବ୍ୟବହାର କରିବା ଆଇନ୍ ବିରୁଦ୍ଧ ହୋଇଥିବା ବେଳେ ଏଠାକାର ତେଜରାତି ଦୋକାନରୁ ଆରମ୍ଭ କରି ପନି ପରିବା , ମିଠା ନୋକାନ ସହ ମାଛ-ମାଂସ ଆଦି ବିଭିନ୍ନ ଦ୍ରବ୍ୟକୁ ଗ୍ରାହକମାନେ ପଲିଥିନରେ ନେଉଥିବାର ଦେଖାଯାଉଛି । ପଲିଥିନକୁ ବ୍ୟବହାର କରି ବିଭିନ୍ନ ସ୍ଥାନରେ ଫିଙ୍ଗାଯିବା ଦ୍ୱାରା ଏହାକୁ ଗାଈ ଗୋରୁ ମାନେ ଖାଇବା ଦ୍ୱାରା ତାଙ୍କର ପାଚନ ଶକ୍ତି ହ୍ରାସ ହେବା ସହ ତାଙ୍କୁ ବିଭିନ୍ନ ରୋଗ ଗ୍ରାସ କରୁଛି ।

ଏଥି ସହ ମୃତ୍ତିକା ଅବକ୍ଷୟ ମଧ୍ୟ ଘଟୁଛି । ପଲିଥିନକୁ ପୋଡ଼ିବା ଦ୍ୱାରା ମାଟିର ଉର୍ବରତା କମିବା ସହ ବାୟୁମଣ୍ଡଳ ଦୂଷିତ ହେଉଛି । ଏବେ ବିଭିନ୍ନ ଅଭିନନ୍ଦନର ବାର୍ତ୍ତାକୁ ପଲିଥିନ ରେ ତିଆରି ବ୍ୟାନର ମାଧ୍ୟମରେ ଆଦୃତ କରାଯାଉଥିବାରୁ ଏହି ନିଷେଧାଜ୍ଞାର କାର୍ଯ୍ୟାକାରି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ପଲିଥିନର ପ୍ରଚଳନ ହୋଇନଥିବା ବେଳେ କାଗଜରେ ତିଆରି ଠୁଙ୍ଗାକୁ ବ୍ୟବସାୟୀ ଉପକରଣ ରୂପେ ବ୍ୟବହାର କରାଯାଉଥିଲା । କିନ୍ତୁ ସମୟ ଚକ୍ରରେ ହଜିଯାଉଛି ଠୁଙ୍ଗା । ତେଣୁ ଏହିସବୁ କୁ ଆଖିଆଗରେ ରଖି ପଲିଥିନର ବିକଳ୍ପ କୁ ବ୍ୟବହାର ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦେବା ସହ ପରିବେଶ ସୁରକ୍ଷା ଓ ଜନମାନସର ଜୀବନକୁ ସରସ ସୁନ୍ଦର କରିବାପାଇଁ ସରକାରଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ ପୂର୍ବକ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।