Onn 3

ପାରଳାରେ ଏକ ନିଆରା ବାହାଘର ଓସ୍ତ ଓ ବଟ ବୃକ୍ଷର ବିବାହ ଅନୁଷ୍ଠିତ

Religion and Cult State

ଗଜପତି: ପାରଳାଖେମୁଣ୍ଡି ଅବକାରୀ କାର୍ଯ୍ୟାଳୟ ଠାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି. ଏକ ସ୍ୱତନ୍ତ୍ର ନୀତି ନିୟମ ଏବଂ ଧାର୍ମିକ ଭାବନା ଦ୍ୱାରା ପ୍ରକୃତିର ୨ ବୃକ୍ଷ ବଟ ବୃକ୍ଷ ସହ ଓସ୍ତ ବୃକ୍ଷଙ୍ର ବିବାହ ସମ୍ପୂର୍ଣ କରାଯାଇଛି. ଏହାକୁ ଏକ ପ୍ରମୁଖ ଉତ୍ସବ ସହ ଏକ ଭିନ୍ନ ପରମ୍ପରାରେ ଅତ୍ୟନ୍ତ ଆନନ୍ଦର ସହ ପାଳନ କରାଯାଇଛି. ଏନେଇ ସଜେଇ ହୋଇଛି ଅବକାରୀ କାର୍ଯ୍ୟାଳୟ। ଲାଗିଛି ଆଗନ୍ତୁକଙ୍କ ଭିଡ଼। ବିବାହ ଉତ୍ସବରେ ମସଗୁଲ ସମସ୍ତେ । ହୋମ ଯଜ୍ଞରେ ବ୍ୟସ୍ତ ବ୍ରାହ୍ମଣ । ବୈଦିକ ରୀତିନୀତିରେ ଚାଲିଛି ବାହାଘର। ବିବାହ କାର୍ଯ୍ୟ ସମ୍ପନ୍ନ କରି ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି ଅବକାରୀ ଅଧିକାରୀ ମହୋଦୟ । ଏହି ଅବସରରେ ପୂଜାର୍ଚ୍ଚନା କରି ବିଭାଗ ତଥା ସମାଜର ମଙ୍ଗଳ କାମନା କରିଛନ୍ତି । ପ୍ରାପ୍ତ ବୟସରେ ବିବାହ ଦେବା ଅବିଭାବକଙ୍କ କର୍ତ୍ତବ୍ୟ ସହ ଏକ ପୂଣ୍ୟ କାମ । ଯାହା ପାଳନ କରିଛନ୍ତି ପୂର୍ବତନ ଅବକାରୀ ଡେପୁଟି ସୁପରିନଟେଣ୍ଡେଣ୍ଟ ସରତ ଚନ୍ଦ୍ର ଭଞ୍ଜ । ଏହି ବାହାଘର କୌଣସି ଯୁବକ ଓ ଯୁବତୀଙ୍କ ବିବାହ ନୁହେଁ । ପ୍ରକୃତିର ଦୁଇଟି ବୃକ୍ଷର ବିବାହ କଥା ।

ଗଜପତି ଜିଲ୍ଲାର ଅବକାରୀ କାର୍ଯ୍ୟାଳୟ ପରିସରରେ ଥିବା ବଟ ଓ ଓସ୍ତ ଗଛର ହେଉଛି ବିବାହ ଅନୁଷ୍ଠାନ । ପ୍ରକୃତିର ବିଭିନ୍ନ ପ୍ରାଣୀ ତଥା ବୃକ୍ଷ ଲତାର ବିବାହ ଧର୍ମୀୟ ଭାବନା ସହ ଜଡ଼ିତ ହୋଇ ରହିଛି । ମନୁଷ୍ୟ ସମାଜ ପାଇଁ ସୃଷ୍ଟିର ଅଶେଷ ଅବଦାନ ଯୋଗୁଁ ପ୍ରକୃତିକୁ ଭଲପାଇବା ସହ ଏହାର ସୁରକ୍ଷାପାଇଁ ଜନମାନସରେ ଏକ ସଚେତନତା ସୃଷ୍ଟି କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ବୃକ୍ଷ ଦୁଇଟିର ବିବାହ ଅନୁଷ୍ଠିତ ହୋଇଛି । ପ୍ରାୟ ୨୦ବର୍ଷ ପୂର୍ବେ ଜିଲ୍ଲାର ଅବକାରୀ ଅଧିକ୍ଷକ ଭାବେ କାର୍ଯ୍ୟ କରୁଥିବା ସମୟରେ ଶ୍ରୀ ଭଞ୍ଜ ଏହି ବୃକ୍ଷ ଦୁଇଟି ରୋପଣ କରିଥିଲେ । ପାରମ୍ପରିକ ରୀତିନୀତି ଅନୁଯାୟୀ ବୃକ୍ଷ ଦୁଇଟିର ପ୍ରାପ୍ତ ବୟସରେ ବିବାହ ଦେବା ଦାୟିତ୍ବ ରହିଥିଲା ତାଙ୍କର । ଆଜି ଏହି ଆୟୋଜନ ମଧ୍ୟରେ କନ୍ୟାଦାନ କରି ପୂଣ୍ୟ ଅର୍ଜ୍ଜନ କରିଥିବା କହିଛନ୍ତି ଅବସରପ୍ରାପ୍ତ ଅତିରିକ୍ତ ଅବକାରୀ ଅଧିକ୍ଷକ ସରତ ଚନ୍ଦ୍ର ଭଞ୍ଜ । ଭଗବାନଙ୍କୁ ପ୍ରଣାମ କରି କର୍ତ୍ତବ୍ୟରେ ବାହାରିବା ଉଦ୍ଦେଶ୍ୟରେ କାର୍ଯ୍ୟାଳୟ ସମ୍ମୁଖରେ ଭଗବାନଙ୍କୁ ପ୍ରତିଷ୍ଠା କରାଯାଇଥାଏ । ଧର୍ମୀୟ ଭାବନା ସହ ଜଡ଼ିତ ଏହି ଗଛ ଦୁଇଟିକୁ କାର୍ଯ୍ୟାଳୟ ପରିସରରେ ରୋପିତ କରି ପ୍ରକୃତିକୁ ଭଲପାଇବା ଓ ପୂଜା କରିବା ପରିବେଶ ସୃଷ୍ଟି କରିଥିଲେ ତତ୍କାଳୀନ ଅଧିକାରୀ ଜଣକ । ଆଜି ଦୀର୍ଘ ବର୍ଷ ପରେ ନିଜର ଦାୟିତ୍ଵ ନିର୍ବାହ କରିବାକୁ ପୂର୍ବତନ କାର୍ଯ୍ୟସ୍ଥଳରେ ପହଞ୍ଚି ଆଡ଼ମ୍ବର ସହକାରେ ସାଜସଜ୍ଜା, ହୋମଯଜ୍ଞ, ପ୍ରସାଦ ସେବନ ତଥା ଭୋଜିର ଆୟୋଜନ କରି ବିବାହ ଉତ୍ସବ ପାଳନ କରୁଛନ୍ତି ।

ଯାହା ଧର୍ମୀୟ ଭାବନା ସହ ପ୍ରକୃତିକୁ ଭଲ ପାଇବା ପାଇଁ ଏକ ପ୍ରେରଣା ଯୋଗାଇଛନ୍ତି । ଏଥିପାଇଁ ବର୍ତ୍ତମାନର ଅବକାରୀ ଅଧିକ୍ଷକଙ୍କ ସମତେ ସମସ୍ତ କର୍ମଚାରୀ ଉତ୍ସାହର ସହ ଏଥିରେ ସହଯୋଗ କରିଛନ୍ତି ବୋଲି କହିଛନ୍ତି ଗଜପତି ଅବକାରୀ ଅଧିକକ୍ଷ ପ୍ରଭାତ କୁମାର ସେଠୀ ଓ ଆଗନ୍ତୁକ ଅତିଥି ଗଣ । ଶୁଣିବାକୁ ଓ ଦେଖିବାକୁ ଏକ ନିଆରା ଭଳି ମନେ ହେଉଛି ସତ କିନ୍ତୁ ଏହି କାର୍ଯ୍ୟକ୍ରମ ପାରମ୍ପରିକ ଭାବେ ବିଭିନ୍ନ ସମାଜରେ ଆୟୋଜିତ ହେଉଥିବା ଦେଖିବାକୁ ମିଳିଥାଏ। ସେପ୍ରକୃତିର ଅବଦାନ ପାଇଁ କାହିଁ କେଉଁ ଆବାହନ କାଳରୁ ପ୍ରକୃତିକୁ ପୂଜା କରି ଆସୁଛି ମଣିଷ । ଏଠି ପ୍ରକୃତି ସହ ମଣିଷର ଏକ ନିବିଡ଼ ସମ୍ପର୍କର ନିଦର୍ଶନ ଦେଖିବାକୁ ମିଳିଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।