Onn 3

ଜୀବଜଗତର ସୁରକ୍ଷାରେ ବନ୍ୟପ୍ରାଣୀ ସପ୍ତାହର ଭୂମିକା ସମ୍ପର୍କରେ ଆଲୋଚନା

State

ବାରିପଦା: ବନ୍ୟପ୍ରାଣୀଙ୍କର ଜୀବଜଗତ ତଥା ମାନବ ସମାଜ ପ୍ରତି ରହିଥିବା ଅମୂଲ୍ୟ ଅବଦାନ ସମ୍ପର୍କରେ ବାର୍ତ୍ତା ପ୍ରଦାନ ଉପଲକ୍ଷେ ବାରିପଦାସ୍ଥିତ ବିଦ୍ୟାବିହାର ହାଇସ୍କୁଲ ପରିସରରେ ଏକ ଆଲୋଚନା ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରିବେଶ ପତ୍ରିକା “ନବ ସବୁଜିମା’ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରଥ ମଲ୍ଲିକ ଅଧ୍ୟକ୍ଷତା କରିଥିଲେ । ଏହି ଜ୍ଞାନ ବର୍ଦ୍ଧକ ତଥା ଭାବ ବିନିମୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିବେଶ ସମିତିର ଉପାଧ୍ୟକ୍ଷ ସନ୍ତୋଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶିମିଳିପାଳ ତଥା ନିଜ ଚତୁଃପାଶ୍ୱର୍ର ପରିବେଶରେ ଜୀବଜନ୍ତୁଙ୍କର ଆମ ସହିତ ସକାରାତ୍ମକ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ “ନବ ସବୁଜିମା’ର ସମ୍ପାଦକ ତଥା ‘ହାତୀ ସୁରକ୍ଷା ଅଭିଯାନ ସଂସ୍ଥା’ର ଜିଲ୍ଲା ସଂଯୋଜକ ହରିହର ଦାସ ଜାତୀୟ ବନ୍ୟଜୀବ ସୁରକ୍ଷା ସପ୍ତାହ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶିକ୍ଷକ ଉତ୍ତମ କୁମାର ମିଶ୍ର, ବିଶ୍ୱେନ୍ଦୁ କୁମାର ଦାସ, ଶ୍ରୀମତୀ ଚିଲିମା ନାୟକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଛାତ୍ର ଅମନ କୁମାର ସିଂହ ବନ୍ୟଜନ୍ତୁ ଓ ପରିବେଶ ସମ୍ପର୍କିତ ଏକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଈଶ୍ୱରଙ୍କୁ ପ୍ରାର୍ଥନା ପୂର୍ବକ ଶପଥ ପାଠ କରିଥିଲେ । ଶିକ୍ଷକ ଦୀପକ କୁମାର ମହାକୁଡ, ସୁକେଶିନୀ ମହାନ୍ତ, ଶଶି କୁମାର ବେହେରା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।