Onn 3

ଫଳକରେ ସୀମିତ ରହିଗଲା ମରାମତି, ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ

State

ଆଗରପଡ଼ା:ରାସ୍ତାର ସ୍ଥାୟିତ୍ୱକୁ ଆଖି ଆଗରେ ରଖି ବିଭାଗ ତରଫରୁ ରାସ୍ତା ନିର୍ମାଣ କରିଥିବା ଠିକାଦାରକୁ ଏହାର ମରାମତି ଦାଇତ୍ୱ ଦିଆଯିବା ସହ ଏକ ସମୟ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଉକ୍ତ ସମୟ ସୀମା ମଧ୍ୟରେ ରାସ୍ତାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ ଏହା ଏକ ପ୍ରହସନରେ ପରିଣତ ହେବାକୁ ଯାଉଛି । କେବଳ ଫଳକରେ ଏହା ସୀମିତ ରହିଯାଉଥିବା ଜଣାପଡ଼ିଛି । ଏହି ପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ-ଆଡ଼ିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ବାଙ୍କତିରା ଠାରୁ ଆପ୍ତିରାଷଡ଼ଙ୍ଗୀ ପର୍ଯ୍ୟନ୍ତ ଲମ୍ବିଥିବା ପାଖାପାଖି ୨.୭କି.ମି ରାସ୍ତାରେ । ଉକ୍ତ ରାସ୍ତାଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ୨୦୧୮ଫେବୃଆରୀ ୨୮ ତାରିଖ ଠାରୁ ଆରମ୍ଭ ହୋଇ ୨୦୨୩ ଫେବୃଆରୀ ୨୭ତାରିଖରେ ଶେଷ ହେବାର ଧାର୍ଯ୍ୟ ହୋଇଥିଲା ।

ଏହି ୫ବର୍ଷ ମଧ୍ୟରେ ବାର୍ଷିକ ଥରେ ବର୍ଷାଋତୁ ପରେ ଘାସ ଡ଼ାଳପତ୍ର କାଟି ସଫା କରିବା,ପାଣି କଟାଧାର ପୁନଃ ମରାମତି କରିବା,ବର୍ଷକୁ ୨ଥର ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଓ ତିଆରି ହୋଇଥିବା ଶଂଖ ଓ ପୋଲ ମରାମତି କରିବା,ବର୍ଷକୁ ୧ଥର ଶଂଖ ପୋଲ ଧଳା ରଙ୍ଗ ମାରିବା ସହ ଦରକାର ଅନୁସାରେ ପିଚୁ ରାସ୍ତାର ଉଭୟ ପାଶ୍ୱର୍ର ମାଟି ସେକ୍ଟର ମରାମତି ,ରାସ୍ତା ପାଶ୍ୱର୍ ନିର୍ମିତ ନାଳ ମରାମତି ଏବଂ ରାସ୍ତାରେ ଲଗା ଯାଇଥିବା କି.ମି. ଖୁଣ୍ଟ ଓ ସାଇନ୍‌ବୋର୍ଡ଼ ମରାମତି ଆଦି ଦାଇତ୍ୱ କାର୍ଯ୍ୟ ନିର୍ବାହ କରିଥିବା ଠିକାଦାରଙ୍କ ଥିଲେ ସୁଦ୍ଧା ଏହା ଏହି ରାସ୍ତାରେ କାର୍ଯ୍ୟକ୍ଷମ ହୋଇନଥିବା ପରିଲକ୍ଷିତ ହୋଇଛି । ସମୟ ଅବଧି ମଧ୍ୟରେ ଏଥିନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର କେହିବି କର୍ଣ୍ଣପାତ କରିନଥିଲେ । ବର୍ତ୍ତମାନ ଅବଧି ସରିଯାଇଛି କିନ୍ତୁ ରାସ୍ତା ଅବସ୍ଥା ସୁଧୁରିଲାନି ଓ ରାସ୍ତାଟି ଦିନକୁ ଦିନ ଶୋଚନୀୟ ହୋଇ ଯାତାୟତ ଅନୁପଯୋଗୀ ହେବାସହ ମରଣଯନ୍ତା ପାଲଟିଛି । ତେଣୁ ଉକ୍ତ ରାସ୍ତାର ମରାମତି ନିହାତି ଆବଶ୍ୟକ ପଡ଼ିଲାଣି ।

ଏଠାରେ ପ୍ରକାଶ ଥାଉକି; ରାସ୍ତା ନିର୍ମାଣର ଧାର୍ଯ୍ୟ ସମୟ ଠାରୁ ବହୁ ବିଳମ୍ବରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା ଓ ନିର୍ମାଣ ସରୁସରୁ ପିଚ ରାସ୍ତାର ଉଭୟ ପାଶ୍ୱର୍ ଦବି ଯାତାୟାତରେ ଅସୁବିଧା ସୃଷ୍ଟି କରିଥିଲା ଏବଂ ଏହି ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରାଯାଇନଥିବାରୁ ବର୍ଷା ଦିନ ହେଲେ ବର୍ଷା ଜଳ ନିଷ୍କାସିତ ହୋଇ ନପାରି ବହୁ ଗାଁ ପାଣି ଘେରରେ ରହିଥାନ୍ତି । ବର୍ତ୍ତମାନ ଅଧିକାଂଶ ସ୍ଥାନରେ ପିଚ ଗୁଡ଼ିକ ରାସ୍ତାରୁ ଉଠିବା ସହିତ ରାସ୍ତା ଉପରୁ ମେଣ୍ଟାଲ ଗୁଡ଼ିକ ଉଠିଯାଇ ଖାଲଖମାରେ ପରିଣତ ହୋଇଛି ଏବଂ ପକ୍କା ରାସ୍ତା ଗୁଡ଼ିକ ଫାଟି ଆଁ କରିବା ଦ୍ୱାରା ଯାତାୟାତ ଅନୁପଯୋଗୀ ହେବାରେ ଲାଗିଛି । ଯଦ୍ୱାରା ଗ୍ରାମବାସୀ ଓ ଛାତ୍ରଛାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ଉପରେ କାଦବରାଙ୍ଗ, ଆଡ଼ିଆ, ବଡ଼ବର୍ଚ୍ଚିକୟାଁ ଓ ପୁରୁଷଣ୍ଢ ପଂଚାୟତର ଗ୍ରାମବାସୀମାନେ ନିର୍ଭର କରିଥାନ୍ତି । ତେଣୁ ରାସ୍ତାଟିର ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ବାସୀନ୍ଦାମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି ।