ଆଗରପଡ଼ା:ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଛାରେ ଓ ନିଜର ଜୀବନ ଶୌଳୀକୁ ପରିବର୍ତ୍ତନ କରିବା ସହ ଜୀବନକୁ ଉନ୍ନତ ମାନର କରିବା ଆଶାରେ ବହୁ ସଂପ୍ରଦାୟ ନିଜ କୁଳ ବେଉସା କୁ ଭୁଲିବାକୁ ବସିଲେଣି । ମନୁଷ୍ୟ ଯେତେ ନୂତନତ୍ୱକୁ ଆପଣେଇଲେ ମଧ୍ୟ ଏମିତି କିଛି ନିତ୍ୟାବଶ୍ୟକ ଗୃହ ଉପକରଣ ସାମଗ୍ରୀ ଅଛି ଯାହା ବିନା କାର୍ଯ୍ୟ ଅସମ୍ଭବ ଯଥା: କୋଦାଳ,ଦାଆ,ଗଇଁଚି,ଶାବଳ,ଟାଙ୍ଗିଆ,ନିହାଣ,ବଟାଳି,କରତ,ପନିକି,ଖିଲିକାତି,ବାରସି ଇତ୍ୟାଦି । ଏହିସବୁ ସାମଗ୍ରୀ ବିନା ଚାଷ କାର୍ଯ୍ୟ,ଘରବାଡ଼ି କାର୍ଯ୍ୟ ଏହିପରି ଅନେକ କାର୍ଯ୍ୟ ଅସମ୍ଭବ ହୋଇପଡ଼ିଥାଏ । ଏହିପରି ସ୍ଥଳେ ଏହିସବୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ସଂପାଦନା କରୁଥିବା ସଂପ୍ରଦାୟ “କମାର” ଆଜି ଅବହେଳିତ । ସେମାନଙ୍କର କୌଳୀକ ବୃତ୍ତିକୁ ପ୍ରୋତ୍ସାହନ ଦେବା ଓ ଚାହିଦାର ଆଦର ବଢାଇବା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନର ଆଗ୍ରହ ନଥିବାରୁ ସେମାନେ ସେମାନଙ୍କର କୁଳ ବେଉସାରୁ ନିଜକୁ ନିବୃତ୍ତ କରି ଅନ୍ୟ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଆଗରପଡ଼ା ଓ ତାର ଆଖପାଖ ଅଂଚଳରେ ଯଥା:- ପୁରୁଷଣ୍ଢ, ରାଉତରାପୁର, ନରାଜପୁର, ଶେଉଳଗଡ଼ିଆ, ବଡ଼ବର୍ଚ୍ଚିକୟାଁ, କଳାପଦା(କାଦବରାଂଗ), ବେଲଗଡ଼ିଆ(ଅଡ଼ାଳପଙ୍କ), କନ୍ତିଆ(ବର୍ତ୍ତନା) ଏପରି ଗ୍ରାମ ଯେଉଁ ଗ୍ରାମରେ ବହୁ ବର୍ଷରୁ କମାର ସଂପ୍ରଦାୟ ବସ ବାସ କରିଆସୁଛନ୍ତି । ଆକଳନକୁ ନେଲେ ପାଖାପାଖି ୨୦୦ପରିବାର ଏହି ସଂପ୍ରଦାୟ । ସେମାନେ ସେମାନଙ୍କର କୌଳିକ ବୃତ୍ତିକୁ ପାଥେୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ,ସମୟାନୁକ୍ରମେ ରୋଜଗାର ତୁଳନାରେ ଖର୍ଚ୍ଚକୁ ଦେଖି ସେମାନେ ଏହି ବେଉସାରୁ ଅପସରି ଯାଇ ଅନ୍ୟ ପନ୍ଥା ଅବଲମ୍ବନକରିଛନ୍ତି ।
କିନ୍ତୁ ବେଲଗଡ଼ିଆ(ଅଡ଼ାଳପଙ୍କ) ଗ୍ରାମର ଧରଣୀଧର ଓଝା(୭୦),ବିଷ୍ଣୁମୋହନ ଓଝା(୫୫)ଓ ନାରାୟଣ ଓଝା(୫୦)ଙ୍କର କହିବା ଅନୁସାରେ ସେମାନେ ରୋଜଗାର କଣ ଜାଣିବା ଦିନଠୁ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରି ତାଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି । କେବଳ ଘରଡ଼ିହକୁ ଛାଡ଼ିଦେଲେ ସେମାନଙ୍କର ଆଉ ଜମିବାଡ଼ି ନାହିଁ । ଏହି ରୋଜଗାରରେ ପରିବାର ସଦସ୍ୟଙ୍କୁ ବହୁ ଦୁଃଖକଷ୍ଟରେ ପ୍ରତିପୋଷଣ କରୁଛନ୍ତି । ପ୍ରତିଦିନ ସକାଳ ସଞ୍ଜ ଯାଏଁ ହାଡ଼ଫଟା ପରିଶ୍ରମ କରି ପାରିଶ୍ରମିକ ବାବଦକୁ ୧୦୦ଟଙ୍କା ରୋଜଗାର କରିବା ସମ୍ଭବପର ହେଉନାହଁ । ସେହିପରି କନ୍ତିଆ ଗ୍ରାମର ଅଭିମନ୍ୟୁ ଓଝା (୫୦)ଙ୍କ କହିବା ଅନୁସାରେ ସେ ୪୦ ବର୍ଷ ହେବ ନିଜକୁ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରି ତାଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି । ମାସ ସାରା ଖଟି ଏଥିରୁ ରୋଜଗାର କରୁଥିବା ଅର୍ଥରେ ନିଜର ପରିବାରକୁ ପ୍ରତିପୋଷଣକରୁଛନ୍ତି ସତ କିନ୍ତୁ ଆଧୁନିକ ଯୁଗରେ ଆଧୁନିକ ପରଂପରାକୁ ନେଇ ଚଳିବାରେ କଷ୍ଟ ଅନୁଭବ କରନ୍ତି ବୋଲି କହନ୍ତି । ବଡ଼ବର୍ଚ୍ଚିକୟାଁ ପଂଚାୟତ ଅର୍ନ୍ତଗତ ବଡ଼ବର୍ଚ୍ଚିକୟାଁ ଗ୍ରାମରେ ବହୁ ବର୍ଷରୁ କମାର ସଂପ୍ରଦାୟ ବସବାସ କରିଆସୁଅଛନ୍ତି । ଆକଳନକୁ ନେଲେ ପାଖାପାଖି ୪ ପରିବାର ଏହି ସଂପ୍ରଦାୟର । ସେମାନେ ସେମାନଙ୍କର କୌଳିକ ବୃତ୍ତିକୁ ପାଥେୟ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ,ସମୟାନୁକ୍ରମେ ରୋଜଗାର ତୁଳନାରେ ଖର୍ଚ୍ଚକୁ ଦେଖି ସେମାନେ ଏହି ବେଉସାରୁ ଅପସରି ଯାଇ ଅନ୍ୟ ପନ୍ଥା ଅବଲମ୍ବନକରିଛନ୍ତି । କିନ୍ତୁ ସେହି ଗ୍ରାମର ଶିବ ବିନ୍ଧାଣୀ(୬୦)ଙ୍କର କହିବା ଅନୁସାରେ ସେ ୫୦ ବର୍ଷ ହେବ ନିଜକୁ ଏହି କାର୍ଯ୍ୟରେ ନିୟୋଜିତ କରି ତାଙ୍କର ପରିବାର ପ୍ରତିପୋଷଣ କରିଆସୁଛନ୍ତି ।
ଗୃହ ଉପକରଣ ଯଥା:କୋଦାଳ, ଦାଆ, ଗଇଁଚି,ଶାବଳ, ଟାଙ୍ଗିଆ, ନିହାଣ,ବଟାଳି, କରତ, ପନିକି,ଖିଲିକାତି,ବାରିସି ଇତ୍ୟାଦି ତିଆରି କରି ଏହିସବୁ ସାମଗ୍ରୀକୁ ଚାଷୀମାନଙ୍କୁ ବିକ୍ରୀ କରିବା ସହ ହାଟ ବାରିରେ ବନ୍ତ ଓ ଆଗରପଡ଼ା ସୁଭଦ୍ରା ମହତାବ ହାଟରେ ବିକ୍ରୀ କରି ନିଜ ପରିବାର ପ୍ରତିପୋଷଣକରୁଛନ୍ତି ସତ କିନ୍ତୁ ସରକାରଙ୍କର କଟକଣା ଯୋଗୁଁ ଅଙ୍ଗାର,କୋଇଲାର ଅଭାବହେତୁ ଚଢା ଦରରେ ଏହାକୁ ବଜାରରୁ କ୍ରୟ କରୁଥିବାରୁ ତାଙ୍କ ଆୟ ତୁଳନାରେ ବ୍ୟୟ ଅଧିକ ହେଉଥିବାରୁ,ଆଧୁନିକ ଯୁଗରେ ଆଧୁନିକ ପରମ୍ପରାକୁ ନେଇ ଚଳିବାରେ କଷ୍ଟ ଅନୁଭବ କରନ୍ତି ବୋଲି କହନ୍ତି । ଆଧୁନିକ ବଜାରରେ ତାଙ୍କ ସାମଗ୍ରୀର ପାରିଶ୍ରମିକ ମୂଲ୍ୟ ଠାରୁ କମ୍ ମୂଲ୍ୟରେ ଏହିସବୁ ଉପକରଣ ମିଳୁଥିବାରୁ ବେପାରିମାନେ ସେମାନଙ୍କ ଠାରୁ ମୁହଁ ବୁଲାଇ ନେଉଛନ୍ତି । ଏହି ସବୁ ପରିସ୍ଥିତି ସ୍ଥଳେ ସରକାରଙ୍କ କଟକଣାର ଅଭାବ ଯୋଗୁଁ ସୁଦୂର ରାଜସ୍ଥାନରୁ ରାଜସ୍ଥାନି କମାର ପରିବାର ଆମ ରାଜ୍ୟର ବିଭିନ୍ନ ଅଂଚଳକୁ ପଶିଆସିଛନ୍ତି । ବନ୍ତ ଅଞ୍ଚଳର କିଛି ସ୍ଥାନରେ ସେମାନଙ୍କର ବେପାର ପଶରା ମେଲାଇ ବସିବା ସହ ପୁରୁଣା ଜାନବାହନରୁ ବାହାରିଥିବା ଲୁହାପତିକୁ କମ ମୁଲ୍ୟରେ କ୍ରୟକରି ଗୃହ ଉପକରଣ ସାମଗ୍ରୀମାନ ତିଆରି କରି ତାକୁ କମ ମୁଲ୍ୟରେ ବିକ୍ରୀ କରୁଥିବାରୁ ଏହା ସ୍ଥାନୀୟ କମାର ଙ୍କ ମନରେ ନୈରାଶ ପୂର୍ଣ୍ଣ ବାତାବରଣ ସୃଷ୍ଟି କରୁଛି । ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କମ୍ ଥିବାରୁ ସରକାରଙ୍କ ପ୍ରଦତ୍ତ ସୁବିଧା ଓ ସୁଯୋଗ ସେମାନଙ୍କର ପାଖରେ ଆଜିବି ଅପହଞ୍ଚ । ତେଣୁ ସରକାରୀ ସ୍ତରରେ ପ୍ରଦତ୍ତ ସବୁ ସୁବିଧା ସୁଯୋଗ ତାଙ୍କୁ ମିଳିପାରିଲେ ସେ ନିଜର ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ସହ ଜୀବନକୁ ଉନ୍ନତ ମାନର କରିପାରନ୍ତେ ବୋଲି ବୁଦ୍ଧିଜୀବି ମହଲରେ ଆଶାପ୍ରକଟ ପାଇଛି ।