Onn 3

ବାହାନଗାରେ ଟ୍ରେନ୍ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଘଟଣା ସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ ଓ SRCଙ୍କ ସମେତ ବରିଷ୍ଠ ଅଧିକାରୀ

State

ଭୁବନେଶ୍ବର : ବାଲେଶ୍ବରରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଭୟଙ୍କର ଦୁର୍ଘଟଣାରେ ବହୁ ମୃତାହତ ହେବା ସହ ଅନେକ ଆହତ ହୋଇଥିବା ଜଣାପଡିଛି। ବାହାନଗା ଷ୍ଟେସନ୍‌ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଜି ଟ୍ରେନ୍‌ଟି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ଅପରାହ୍ନ ପ୍ରାୟ ୭ଟା‌ ୫ ମିନିଟ୍‌ରେ ବାହାନଗା ଷ୍ଟେସନ୍‌ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଟେନ୍‌ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍‌ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ମୃତ ଏବଂ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳୁଥିଲେ ମଧ୍ୟ ସରକାରୀ ଭାବେ କିଛି ସୂଚନା ଦିଆଯାଇନାହିଁ।

ଏହାସହିତ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତଦାରକ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜସ୍ବ ମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ସତ୍ୟବ୍ରତ ସାହୁ ଓ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳ ଅଭିମୁଖେ ଗସ୍ତ କରିଛନ୍ତି।

ଯାତ୍ରୀଙ୍କୁ ଉଦ୍ଧାର ଓ ତତ୍କାଳ ମେଡିକାଲ ଚିକିତ୍ସା ସୁବିଧା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ କଣ୍ଟ୍ରୋଲରୁମ୍ ନମ୍ବର ଜାରି ହୋଇଛି । ବାଲେଶ୍ୱରଠାରେ ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଣ୍ଟ୍ରୋଲରୁମ ନମ୍ବର ହେଲା ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର)। ସେହିପରି ଏସ୍‌ଆର୍‌ସିଙ୍କ କାର୍ୟ୍ୟାଳୟରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲା ଯାଇଛି। ସେହି ନମ୍ୱର ହେଲା ୦୬୭୪- ୨୫୩୪୧୭୭। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।