Photo1 For The News Of Bonth Block

ପ୍ରତିଷ୍ଠାକୁ ୬୪ ବର୍ଷ ପରେବି ବଦଳୁନି ବନ୍ତ ବ୍ଲକର ଭାଗ୍ୟ

State

ଆଗରପଡ଼ା :ବିଭିନ୍ନ ଦୃଷ୍ଟି କୋଣରୁ ଭଦ୍ରକ ଜିଲ୍ଲାର ୭ଗୋଟି ବ୍ଲକ ମଧ୍ୟରୁ ବନ୍ତ ବ୍ଳକ ଅନ୍ୟତମ । ୧୯୬୧ ମସିହାରେ ପ୍ରତିଷ୍ଠିତ ଉକ୍ତ ବ୍ଲକ୨୦୬ ଗୋଟି ରାଜସ୍ୱ ଗ୍ରାମ ଓ ୨୫ଟି ପଂଚାୟତର ଏକ ଲକ୍ଷ ୭୫ ହଜାର ୬୩ ରୁ ଅଧିକ ଜନସଂଖ୍ୟା କୁ ନେଇ ଗଠିତ । ବ୍ଳକ ପ୍ରତିଷ୍ଠାକୁ ଇତି ମଧ୍ୟରେ ୬୪ବର୍ଷ ପୂରିଯାଇଥିଲେ ସୁଦ୍ଧା ଉକ୍ତ ବ୍ଲକକୁ ଆଜିବି ବିକାଶ ଛୁଇଁ ପାରିନାହିଁ । ବ୍ଲକ ବାସୀ ସେମାନଙ୍କ ମୌଳିକ ସୁବିଧାରୁ ଆଜିବି ବଂଚିତ । ୧୯୬୩ ମସିହାରେ ସ୍ଥାପିତ ବ୍ଲକ କାର୍ଯ୍ୟାଳୟଟିର କିଛି ବର୍ଷ ହେବ ନବ କଳେବର ହୋଇଛି ତଥାପି ଆବଶ୍ୟକୀୟ କର୍ମଚାରୀ ନଥିବାରୁ ବିକାଶ ମୂଳକ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି । ସେହିପରି ବନ୍ତ ବ୍ଲକ ସଦର ମହକୁମାରେ ଥିବା ବନ୍ତ ତହସିଲ ସ୍ଥାପିତ ହେବାକୁ ଇତି ମଧ୍ୟରେ ୨୮ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗିରହିଥିବା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ଊକ୍ତ ତହସିଲ ଉପରେ ୬ ଗୋଟି ଆରଆଇ ସର୍କଲ ,୨୦୬ଟି ରାଜସ୍ୱ ଗ୍ରାମର ଏକଲକ୍ଷ ଜନ ସଂଖ୍ୟା ନିର୍ଭର କରିଥାନ୍ତି । ବର୍ଷବର୍ଷ ଧରି କର୍ମଚାରୀଙ୍କ ଅଭାବ ପରିପୂରଣ ହୋଇପାରୁନଥିବାରୁ ଏହି କାର୍ଯ୍ୟାଳୟ ଅଧିନରେ ୧୪ରୁ ଊର୍ଦ୍ଧ୍ୱ ବିଭାଗ ଥିବା ବେଳେ ବିଭିନ୍ନ କାର୍ଯ୍ୟ ସୁଚାରୁରୁପେ ସଂପାଦନ ମଧ୍ୟ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ସେହିପରି ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଉକ୍ତ ବ୍ଲକ ଅଧିନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକ ନାନା ଅବ୍ୟବସ୍ଥା ମଧ୍ୟରେ ଗତିକରୁଥିବାର ଜଣାପଡ଼ିଛି । ସରକାରୀ ଭାବେ ଏହି ବ୍ଲକରେ ଏକ ଗୋଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ୪ଗୋଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିବା ସହ ପ୍ରାୟ ବହୁ ପଂଚାୟତରେ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମାନ ପ୍ରତିଷ୍ଠା ହୋଇଛି । କିନ୍ତୁ ସେଗୁଡ଼ିକ କେବଳ ଗୃହ ମଧ୍ୟରେ ସୀମିତ ରହିଥିବା ଅଭିଯୋଗ ହେଉଛି । ଆଗରପଡ଼ାଠାରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଥିବାବେଳେ ଚାରି ଗୋଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର ବନ୍ତ,ଅଢ଼ାଳପଙ୍କ,କାଦବରାଙ୍ଗ ଓ କେନ୍ଦୁଆପଦା ଆଦି ସ୍ଥାନ ମାନଙ୍କରେ କାର୍ଯ୍ୟ କରୁଛି । ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାୟୀ ଡ଼ାକ୍ତରଙ୍କ ଅଭାବ ସାଙ୍ଗକୁ କର୍ମଚାରୀଙ୍କ ଅଭାବ ବର୍ଷବର୍ଷ ଧରି ଲାଗିରହିଥିଲେ ମଧ୍ୟ ଏହାର ପରିପୂରଣ ହୋଇପାରୁନି । ଉପକେନ୍ଦ୍ର ଗୁଡ଼ିକ ନିର୍ମାଣ ସରି ଥିଲେ ମଧ୍ୟ ତାହାର ସଫଳ ରୁପାୟନ ହୋଇପାରୁନଥିବାର ଅଭିଯୋଗ ହେଉଛି । ଏହି କେନ୍ଦ୍ର ଗୁଡ଼ିକରେ ଡ଼ାକ୍ତରଙ୍କ ଅଭାବ ଯୋଗୁଁ ଏବେ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟଙ୍କ ଦ୍ୱାରା ଏହି କେନ୍ଦ୍ର ଚାଲୁଛି । ଜମିଜମାର କ୍ରୟବିକ୍ରୟ,ମାଲିକାନା ସତ୍ୱ ,ଦାନପତ୍ର,ଦସ୍ତାବିଜ ,କ୍ଷମତାପତ୍ର ,ବିବାହ ପରି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସଂପାଦନ ପାଇଁ ସରକାର ପ୍ରତି ତହସିଲ ଅଧିନରେ ଉପନିବନ୍ଧକ କାର୍ଯ୍ୟାଳୟମାନ ନିର୍ମାଣ କରିଛନ୍ତିି ।

Photo3 For The News Of Bonth Block

୧୯୮୫ମସିହାରେ ଏହି ବିଭାଗ ବନ୍ତରେ ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟ ୪୦ ବର୍ଷରେ ପଦାର୍ପଣ କରିଛି । ଏବେ ଏହା ଅଧିନରେ ୧୫୦ରୁ ଅଧିକ ରାଜସ୍ୱ ଗ୍ରାମର ଦେଢ଼ ଲକ୍ଷ ଜନସଂଖ୍ୟା ନିର୍ଭର କରୁଛନ୍ତି । ହେଲେ ସେହି ସର୍ବପୁରାତନ ଓ ସଂଙ୍କୁଚିତ ଗୃହର ରୁପରେଖରେ ସାମାନ୍ୟ ପରିବର୍ତ୍ତନ ଘଟିନି । ସେହିପରି ଉକ୍ତ ବ୍ଲକ ଉପରେ ୨୫ଗୋଟି ପଂଚାୟତର ବାସୀନ୍ଦାଙ୍କ ସମେତ ଅନ୍ୟ ଜିଲ୍ଲାର ବାସୀନ୍ଦା ନିର୍ଭର କରୁଥିବା ସ୍ଥଳେ ବନ୍ତ ବଜାରରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବିଶ୍ରାମାଗାର, ଶୌଚାଳୟ ଏବଂ ବସ୍‌ଷ୍ଟାଣ୍ଡ ଟିଏ ନିର୍ମାଣ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଆଗରପଡ଼ା ମଧ୍ୟ ଉକ୍ତ ବ୍ଲକର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହାର ବଜାର ଅଂଚଳରେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବିଶ୍ରାମାଗାର, ଶୌଚାଳୟ ଏବଂ ବସ୍‌ଷ୍ଟାଣ୍ଡ ଟିଏ ନିର୍ମାଣ ହୋଇ ପାରି ନାହିଁ । ଆଗରପଡ଼ା-ବରପଦା ଏକ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ ସ୍ଥାୟୀ ରାସ୍ତା ପରିବର୍ତ୍ତେ ମରମତିରେ ସୀମିତ ଅଛି ରାସ୍ତା । ସେହିପରି ଆଜି ପର୍ଯ୍ୟନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ନିଜସ୍ୱ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇପାରିନାହିଁ । ଏହା ବିଆରସିସିଙ୍କ ନିମନ୍ତେ ଉଦ୍ଧିଷ୍ଟ କାର୍ଯ୍ୟାଳୟରେ ଚାଲିଛି । ଉକ୍ତ ଶିକ୍ଷାଧିକାରୀଙ୍କ ଅଧିନରେ ଥିବା ବହୁ ବିଦ୍ୟାଳୟରେ ଗୃହ ଓ ଶିକ୍ଷକଙ୍କ ଅଭାବଯୋଗୁଁ ଶିକ୍ଷାଲାଉ କ୍ଷେତ୍ରରେ ଘୋର ଅସୁବିଧା ସୃଷ୍ଟି ହେଉଛି । ବ୍ଲକର ଏକ ମାତ୍ର ସରକାରୀ ବିହନ ବିଶୋଧନାଗାର ନିଜର ପରିଚୟ ଖୋଜିବାରେ ଲାଗିଥିବା ବେଳେ ବସୁଧା ଯୋଜନାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ତାର ସଫଳତାକୁ ଚାହିଁ ବସିଛି । ସେହିପରି ବନ୍ତ ବ୍ଲକରେ ପ୍ରଧାନମନ୍ତ୍ରୀ ସଡ଼କ ଗୁଡ଼ିକ ମରାମତି ଅଭାବରୁ ମରଣଯନ୍ତ୍ରା ପାଲଟିଥିବା ବେଳେ ସମୟସୀମା ସରିଯିବା ପରେ ମଧ୍ୟ ସାଳନ୍ଦୀ ସେତୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଏହି ବ୍ଲକର ୨୫ଟି ପଂଚାୟତରେ ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି । ୨୩୮ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ପାଖାପାଖି ୫୦ଟି କେନ୍ଦ୍ର ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ ଏହି କେନ୍ଦ୍ରରେ ଅଧ୍ୟୟନରତ କୋମଳମତୀ ଶିଶୁମାନେ ବାରଦୁଆର ଶୁଣ୍ଡିପିଣ୍ଡା ହେଉଛନ୍ତି । ସେହିପରି ନିର୍ମାଣକୁ ୫ବର୍ଷ ପରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା କନିଷ୍ଠ ଦେୱାନୀ ଅଦାଲତ ପ୍ରତିଷ୍ଠା ହୋଇପାରୁନଥିବାରୁ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହିପରି ଅନେକ ସମସ୍ୟାରେ ବନ୍ତ ବ୍ଲକ ଗତି କରୁଛି । ତେଣୁ ବିଭାଗୀୟ ଅଧିକାରୀଙ୍କ ସମେତ ଜନନାୟକ ମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ବୁନ୍ଧିଜୀବୀଙ୍କ ସମେତ ପଂଚାୟତବାସୀ ଦାବି କରିଛନ୍ତି ।

Photo2 For The News Of Bonth Block