Addqw

୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଛି: ଉପମୁଖ୍ୟମନ୍ତ୍ରୀ

State

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୮ବର୍ଷ ଅତିକ୍ରମ କରିସାରିଛି। ସରକାର ‘ବିକଶିତ ଓଡ଼ିଶା, ବିକଶିତ ଭାରତ’ ପାଇଁ କାମ କରୁଛନ୍ତି ବୋଲି କହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନରେ ପରିବର୍ତ୍ତନ ହୋଇଛି। ଅତ୍ୟାଧୁନିକ ସୁବିଧା ଥିବା ସମୟରେ ପୂରାତନ ମାନସିକତା ନେଇ ରାଜ୍ୟରେ ଲକ୍ଷଲକ୍ଷ ଲୋକଙ୍କୁ ବଞ୍ଚିବାକୁ ପଡୁଛି। ସରକାରୀ କାଗଜପତ୍ରରେ ବିବାହ ପାଇଁ ବୟସ ସୀମା ସିନା ଧାର୍ଯ୍ୟ ହୋଇଛି, ଏହାକୁ ଠିକ୍‌ ଭାବେ ସବୁଠି ପାଳନ ହେଉନାହିଁ। ଫଳସ୍ବରୂପ ବାଲ୍ୟବିବାହର ପ୍ରଥା ଏବେ ବି ରହିଛି। ଆଉ ଓଡ଼ିଶା ଭଳି ରାଜ୍ୟରେ ମଧ୍ୟ ଏହା କମିନାହିଁ। ବିଧାନସଭାର ବଜେଟ୍‌ ଅଧିବେଶନର ତୃତୀୟ ଦିନରେ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।

ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଗତ ୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟବିବାହ ହୋଇଛି। ଏହି ସମୟ ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୧୩୪୭ଟି ବାଲ୍ୟବିବାହ ହୋଇଛି। ତାଲିକାର ଦ୍ବିତୀୟରେ ଥିବା ଗଞ୍ଜାମ ଜିଲ୍ଲାରେ ୯୬୬ଟି ବାଲ୍ୟ ବିବାହ ହୋଇଛି। କୋରାପୁଟରେ ୬୩୬ ବାଲ୍ୟ ବିବାହ ହୋଇଛି।

ସମ୍ବେଦନଶୀଳ ପ୍ରସଙ୍ଗକୁ ଯଦି ଦେଖିବେ, ରାଜ୍ୟରେ ୬ ବର୍ଷ ମଧ୍ୟରେ ୩୨୮ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ବାଲ୍ୟବିବାହରେ ରୋକ ଲଗାଇବାକୁ ବ୍ଲକସ୍ତରରେ, ଅଙ୍ଗନବାଡ଼ିସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ପ୍ରତି ୩ ମାସରେ ବ୍ଲକ, ଗ୍ରାମପଞ୍ଚାୟତସ୍ତରରେ ସଚେତନତା ସଭା କରାଯାଉଛି।
୧୮ ବର୍ଷ ପୂର୍ବରୁ ବାଲ୍ୟବିବାହ ଘଟଣା ନାଇଜର, ଗୁଏନା, ବାଂଲାଦେଶ ଓ କେନ୍ଦୀୟ ଆଫ୍ରିକୀୟ ଗଣତନ୍ତ୍ରରେ ୬୦%ରୁ ଅଧିକ। ୨୦୦୩-୨୦୦୯ର ସର୍ଭେ ଅନୁସାରେ ବାଂଲାଦେଶ, ଇଥିଓପିଆ ଓ ନାଇଜରରେ ୨୦%ରୁ ଅଧିକ ବାଲ୍ୟବିବାହ ୧୫ବର୍ଷ ବୟସ ପୂର୍ବରୁ ହେଉଛି।

ସମାଜର ସ୍ବୀକୃତି ଭିତରେ ୨ ଆତ୍ମା, ୨ ପରିବାରର ମିଳନକୁ ବିବାହ କୁହାଯାଏ। ଉଭୟ ବର ଓ କନ୍ୟା ପରିପକ୍ବତାର ସିଡ଼ି ଚଢି ଏକ ନିର୍ଦ୍ଦିଷ୍ଟ ବୟସରେ ଉପନିତ ହେଲେ ପରିବାର ବିବାହ କରିବା ପାଇଁ ଆତୁର ଥାଆନ୍ତି। କିନ୍ତୁ ବୟସ ଯଦି ବିବାହ ଉପଯୋଗୀ ନ ହୁଏ ତାକୁ ଆମେ ବାଲ୍ୟବିବାହ ବୋଲି କହୁ। କେବେ ପ୍ରଥା ଭଳି ସମାଜରେ ମାଡ଼ିଥିବା ବାଲ୍ୟବିବାହ ଆଜିର ଆଧୁନିକ ସମୟରେ ସେତେଟା ପ୍ରଭାବ ବିସ୍ତାର କରିପାରୁନଥିଲେ ହେଁ ଆଜି ବି କିଛି ଏମିତି ସ୍ଥାନ ରହିଛି ଯେଉଁଠି ବାଲ୍ୟବିବାହକୁ ସବୁଜ ସଂକେତ ମିଳୁଛି। କିଛି ସ୍ଥାନରେ ଏବେ ବି ବାଲ୍ୟବିବାହ ହେଉଛି। କିଛି ଘଟଣା ଉପରେ ପ୍ରଶାସନର ନଜର ପଡୁଛି।