Onn 3

ଆଜି କାଳୀପୂଜା, ମାଟି ଦୀପର ଜାଗା ନେଉଛି ଚାଇନା ଲାଇଟ

State

ଅନ୍ଧାରରେ ମାଟି କାରିଗରଙ୍କ ଭବିଷ୍ୟତ

ଆଗରପଡ଼ା: ଆଲୋକର ପର୍ବ ଦୀପାବଳି ଆସିଲେ କୁମ୍ଭକାରଙ୍କର ଦିନ ହଜିଯାଇଥାଏ । ସେମାନେ ମାଟିରେ ତିଆରି ଦୀପ ନିର୍ମାଣରେ ନିଜକୁ ନିୟୋଜିତ କରିଥାନ୍ତି । କିନ୍ତୁ ଆଧୁନିକ ଯୁଗରେ ମାଟି ଦୀପର ଜାଗା ଚାଇନା ଲାଇଟ ନେଉଥିବାରୁ ମାଟି କାରିଗରୀ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି । ସରକାରୀ ପ୍ରୋସାôହନର ଅଭାବ ଓ ବିଭାଗୀୟ ଉଦାସିନ ଯୋଗୁଁ ଏହି କାରିଗରୀ ଲୋପ ପାଇବାରେ ଲାଗିଛି । କିଛି ସ୍ୱେଚ୍ଛାସେବୀ ସଙ୍ଗଠନ କାରିଗରଙ୍କୁ ପ୍ରୋତ୍ସାହନ ଯୋଗାଇବା ଓ ସଚେତନ କରାଇବାର ଦାୟିତ୍ୱ ନେଇଥିଲେ ସୁଦ୍ଧା ସେମାନଙ୍କର ମାନସିକତା ଅଭାବ ଓ ସରକାରୀ କର୍ମଚାରୀଙ୍କ ଅଣଦେଖା ଯୋଗୁଁ ଏହା ହୋଇପାରୁ ନାହିଁ । ମାଟିରେ ପ୍ରସ୍ତୁତ ସାମଗ୍ରୀକୁ ଲୋକମାନେ ପସନ୍ଦ ନକରି ଷ୍ଟିଲ, ଆଲୁମିନିୟମ୍‌, ସିଲ୍‌ଭର ଆଦି ଧାତୁ ନିର୍ମିତ ସାମଗ୍ରୀକୁ ପସନ୍ଦ କରୁଛନ୍ତି । ଏହାଦ୍ୱାରା ମାଟିରେ ପ୍ରସ୍ତୁତ କରୁଥିବା ଦ୍ରବ୍ୟକାରୀମାନେ ହାତବାନ୍ଧି ବସିବା ଫଳରେ ନିଜର କୌଳିକ ବୃତ୍ତିଠାରୁ ଦୂରେଇ ଯାଉଥିବାର ଲକ୍ଷ୍ୟ କରାଯାଉଛି । ବନ୍ତ ବ୍ଲକ ମହାନ୍ତିପଡ଼ା ପଂଚାୟତସ୍ଥିତ ତ୍ରିସାଲିଆ ଗାଁରେ ୭୦ କୁମ୍ଭକାର ପରିବାର ବସବାସ କରନ୍ତି । ଏହି କୁମ୍ଭକାରମାନେ ମାଟି ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲେ । କୁମ୍ଭକାରଙ୍କ ଦ୍ୱାରା ନିର୍ମିତ କଳସୀ, ସୁରେଇର ସ୍ୱତନ୍ତ୍ରତା ରହିଥିଲା । ଥଣ୍ଡାଜଳ ପାଇଁ କଳସୀ ଓ ସୁରେଇ ବଦଳରେ ବର୍ତ୍ତମାନ ଫ୍ରିଜ ବ୍ୟବହାର କରାଯାଉଛି । ପୂଜା ହେଉ ବା ବିବାହ ଉତ୍ସବରେ କଳସ ବସାଇବା ପାଇଁ ମାଟି କଳସୀର ଆବଶ୍ୟକତା ଥିଲା । ବର୍ତ୍ତମାନ ଷ୍ଟିଲ କିମ୍ବା ଆଲୁମିନିୟମରୁ ପ୍ରସ୍ତୁତ ଲୋଟାରେ କାର୍ଯ୍ୟ ଚଳାଇ ଦିଆଯାଉଛି । ଅବଶ୍ୟ ବିବାହ କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି । କେବଳ କଳସ ପାଇଁ ନୁହେଁ ବାହାବେଦୀରେ ମାଟିପଲମ, ଦୀପ ଆଦି ବ୍ୟବହୃତ ହେଉଛି ।

ପୂର୍ବରୁ ଗୋପାଳମାନେ ମାଟି ଠେକିରେ ଦହି ଭର୍ତ୍ତି କରି ବିକ୍ରି କରୁଥିଲେ । ବର୍ତ୍ତମାନ ତାହା ସ୍ଥାନରେ ପଲିଥିନ ପ୍ୟାକେଟ୍ ବ୍ୟବହାର କରାଯାଉଛି । ମାଟିହାଣ୍ଡିରେ ପ୍ରସ୍ତୁତ ପଖାଳର ବାସ୍ନା ଓ ସ୍ୱାଦ ସ୍ୱତନ୍ତ୍ର । କିନ୍ତୁ ତାକୁ ଭୁଲି ବର୍ତ୍ତମାନ ଧାତବ ହାଣ୍ଡି ବ୍ୟବହାର କରାଯାଉଛି । ଧାନଉଷୁନା ମାଟିହାଣ୍ଡି ସ୍ଥାନ ଲୁହାକଡ଼ା ନେଲାଣି । ପ୍ରାତ୍ସାହନର ଅଭାବ ଯୋଗୁଁ ପାଖାପାଖି ୨୦ ପରିବାରର ସଦସ୍ୟ ଦାଦନ ଖଟୁଛନ୍ତି । ଏହି ସଂପ୍ରଦାୟର କିଛି କାରିଗର ଯଥା ଜଳଧର ସାହୁ, ପୁରୁଷୋତ୍ତମ ମୁଦୁଲି, ରଘୁନାଥ ରଣା, ନୃସିଂହ ମୁଦୁଲି ଓ ନାରାୟଣ ବେହେରା ଆଦିଙ୍କୁ ଯୋଗାଯୋଗ କରିବାରୁ ପୂର୍ବପରି ଆଉ ମାଟି ମିଳୁ ନଥିବାରୁ ଓ ମାଟିକୁ ଚଢା ଦରରେ କିଣାଯାଉଥିବାରୁ ଏଥିରୁ ପ୍ରସ୍ତୁତି ସାମଗ୍ରୀକୁ ବିକି ଗୁଜୁରାଣ ମେଣ୍ଟାଇବା ବହୁ କଷ୍ଟ ବୋଲି ସେମାନେ କହିଛନ୍ତି । କିଛି ପରିବାର ସରକାରୀ ସହାଯ୍ୟ ସୁବିଧା ଯଥା ଭତ୍ତା ଆଦି ପାଇପାରି ନଥିବାର ମଧ୍ୟ କହନ୍ତି । ରାମଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ପାନପଦୀ ଏହିପରି ଏକ ଗ୍ରାମ ଯେଉଁ ଗ୍ରାମରେ ୧୩ ପରିବାରର ପାଖାପାଖି ୬୦ ଜଣ କୁମ୍ଭକାର ସଂପ୍ରଦାୟର । ହାତଗଣତି କେତେଜଣଙ୍କର ଘରେ ଉହା (ମାଟି ସାମଗ୍ରୀକୁ ଯେଉଁଠାରେ ପୋଡ଼ାଯାଏ) ଦେଖିବାକୁ ମିଳୁଛି । ଯେପରିକି ଏହି ଗ୍ରାମର ୧୩ ପରିବାର ମଧ୍ୟରୁ ଜଣେ କେବଳ ଏହି ବୃତ୍ତିକୁ ପାଥେୟ କରି ଜୀବିକା ନିର୍ବାହ କରିବା ସହ ନିଜ ପରିବାର ପ୍ରତିପୋଷଣ କରୁଥିବା ସ୍ଥଳେ ଅନ୍ୟ କୁମ୍ଭକାରମାନେ ଏହି ବୃତ୍ତିରୁ ମୁହଁ ଫେରାଇ ନେଲେଣି । ସରକାରୀ ଆର୍ଥିକ ପ୍ରୋତ୍ସାହନ ଯଦି ମିଳିପାରନ୍ତା, ତେବେ ହୁଏତ କୁମ୍ଭକାରମାନଙ୍କ ବେଉସା ଉଜ୍ଜୀବିତ ହୋଇପାରନ୍ତା ବୋଲି ବୁଦ୍ଧିଜିବୀମାନେ ଆଶା ପୋଷଣ କରିଛନ୍ତି ।

Photo for the News of Kumbhakar