Onn 3

ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି, ୩୭୪ ଛାତ୍ରୀଙ୍କୁ ୮ଶିକ୍ଷକ

State

ଆଗରପଡ଼ା: ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୫-ଟି ରୂପାନ୍ତରଣ ଯୋଜନା ମାଧ୍ୟମରେ ଉଚ୍ଚାକାଂକ୍ଷା ବିଦ୍ୟାଳୟମାନ ନିର୍ମାଣ କରୁଛନ୍ତି । ଏଥି ବାବଦରେ ଲକ୍ଷାଧିକ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି । ଯଦ୍ୱାରା ବାହ୍ୟ ରୂପରେଖରେ ପରିବର୍ତ୍ତନ ଆସୁଛି କିନ୍ତୁ ଶିକ୍ଷାଲାଭର ମୁଲ୍ୟାଙ୍କନରେ ପରିବର୍ତ୍ତନ ହୋଇପାରୁନି । କାରଣ ଏଥିରେ ପ୍ରତିବନ୍ଧକ ସାଜିଛି ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ । ଯଦ୍ୱାରା ଏହି ଯୋଜନା ଅସଫଳ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ । ସୂଚନା ଅନୁଯାୟୀ; ଉକ୍ତ ବିଦ୍ୟାଳୟ ବର୍ତ୍ତମାନ ୫-ଟି ରୂପାନ୍ତରଣ ବିଦ୍ୟାଳୟର ମାନ୍ୟତା ପାଇ ସାରିଛି । ଏବଂ ଉକ୍ତ ଯୋଜନାରେ ୩୮ ଲକ୍ଷ ଟଙ୍କା ମଧ୍ୟ ଏଠାରେ ବିନିଯୋଗ ହୋଇଛି । ପାରିପାର୍ଶିକ ଉନ୍ନତି କରଣ ବାବଦରେ ୫ଲକ୍ଷ ୮୦ହଜାର ଖର୍ଚ୍ଚ ହୋଇଥିବା ବେଳେ ଜଳ ନିଷ୍କାସନର ବ୍ୟବସ୍ଥା ଠିକ୍ ଭାବେ ହୋଇନଥିବାରୁ ଏଠାରେ ଅସରାଏ ବର୍ଷା ହେଲେ ବିଦ୍ୟାଳୟ ପରିସରରେ ପାଣିର ସୁଅ ଛୁଟିବା ସହ ଛାତ୍ରୀମାନେ ଆଣ୍ଟୁଏ ପାଣିରେ ଯିବା ଆସିବା କରିଥାନ୍ତି । ଉକ୍ତ ବିଦ୍ୟାଳୟ ୫-ଟି ରୂପାନ୍ତରଣ ବିଦ୍ୟାଳୟର ମାନ୍ୟତା ପାଇ ସାରିଥିଲେ ମଧ୍ୟ ଏବେ ସୁଦ୍ଧା ବିଭିନ୍ନ କାର୍ଯ୍ୟ ଅସମ୍ପୂର୍ଣ୍ଣ ଅବସ୍ଥାରେ ଥିବାର ଜଣାପଡ଼ିଛି ଯେପରିକି ବିଦ୍ୟାଳୟଟିର ସୋନ୍ଦର୍ଯ୍ୟକରଣ କାର୍ଯ୍ୟ ଆଜି ସୁଦ୍ଧା ଆରମ୍ଭ ହୋଇପାରିନାହିଁ ।

୧୯୬୧ ମସିହାରେ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ୬୨ ବର୍ଷରେ ପଦାର୍ପଣ କରିସାରିଥିଲେ ସୁଦ୍ଧା ଏହାର ଶିକ୍ଷାଦାନର ଭିତ୍ତୀଭୂମିରେ ପରିବର୍ତ୍ତନ ହୋଇ ନପାରିବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ଉକ୍ତ ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୭୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । କିନ୍ତୁ ୩୭୪ ଜଣଙ୍କୁ ଶିକ୍ଷାଦାନ କରୁଛନ୍ତି ୮ଜଣ ଶିକ୍ଷକ । ଯଦ୍ୱାରା ଶିକ୍ଷାଦାନରେ ଘୋର ସମସ୍ୟା ସୃଷ୍ଟି ହେଉଛି । ସରକାରୀ ନିୟମାନୁସାରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ୧୪ ଜଣ ଶିକ୍ଷକଙ୍କ ଆବଶ୍ୟକ ଥିବା ବେଳେ ୮ଜଣ ନିୟମିତ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ବିଡମ୍ବନାର ବିଷୟ ଏହିକି ଉକ୍ତ ବିଦ୍ୟାଳୟରେ ପାଖାପାଖି ୨ବର୍ଷ ହେବ କୌଣସି ନିୟମିତ ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀ ନାହାନ୍ତି । ସେମାନେ ମଧ୍ୟ ଡ଼େପୁଟେସନରେ ଆସିଛନ୍ତି । ଯଦ୍ୱାରା ପ୍ରତି ଶନିବାର ଏମାନଙ୍କ ବିନା ସମସ୍ତ କାର୍ଯ୍ୟ ସଂପାଦନା କରିବା ଅସମ୍ଭବ ହୋଇପଡ଼ିଥାଏ । ସେହିପରି କର୍ମଚାରୀଙ୍କ କମନରୁମ ମଧ୍ୟ ଶୋଚନୀୟ ଅବସ୍ଥାରେ ଦଣ୍ଡାୟମାନ । ଏହିପରି ନାନାଦି ସମସ୍ୟା ମଧ୍ୟରେ ଉକ୍ତ ବିଦ୍ୟାଳୟ ଗତି କରୁଛି । ତେଣୁ ଏତେ ପୁରାତନ ବିଦ୍ୟାଳୟରେ ଏହିପରି ଶିକ୍ଷାବ୍ୟବସ୍ଥାକୁ ସାଧାରଣରେ ନିନ୍ଦା କରାଯିବା ସହ ଶିକ୍ଷା ବିଭାଗର ଉକ୍ତ ବିଦ୍ୟାଳୟ ପ୍ରତି ଅଣ ଦେଖାକୁ ନେଇ ଶିକ୍ଷା କମିଟି ,ଅଭିଭାବକ,ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ କିଛି ସୁଫଳ ଆଜି ସୁଦ୍ଧା ମିଳିପାରୁନଥିବାରୁ ରୂପାନ୍ତରିତ ବିଦ୍ୟାଳୟର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।