Img 20241222 Wa0264

ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ; ଗଡ଼ିଲା ପାଣିପଞ୍ଚାୟତ ରଥ : ଜଳର ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ

State

ବାରିପଦା:  ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ପାଣିପଞ୍ଚାୟତ ମାଧ୍ୟମରେ ସେମାନେ ଜଳସେଚନ ସୁବିଧା ପାଇ ଯେଭଳି ସ୍ୱାବଲମ୍ବୀ ହୋଇପାରିବେ, ଏ ଦିଗରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ତରଫରୁ ଚଳିତ ମାସ ୨୨ ଠାରୁ ଆଗାମୀ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ମୟୂରଭଞ୍ଜ ରେ ପାଣିପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ସେହି ପରିପ୍ରେକ୍ଷୀରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ରବିବାର ଦିନ ସକାଳେ ପାଣିପଞ୍ଚାୟତ ସଚେତନତା ରଥ ଉଦ୍ଘାଟିତ ହୋଇଥିଲା। ଯାହା ଏହି ପକ୍ଷରେ ଜିଲ୍ଲାର ପ୍ରତ୍ୟେକ ବିଭାଜନରେ ମଧ୍ୟ ବୁଲିବା ସହିତ ଜନସାଧାରଣ ମାନଙ୍କୁ ପାଣି ପଂଚାୟତର କାର୍ଯ୍ୟକାରିତା, ଉପାଦେୟତା ବିଷୟରେ ଅବଗତ କରାଇବା ସହିତ କୃଷିଜୀବୀଙ୍କ ଗୁଣାତ୍ମକ ମାନ ବୃଦ୍ଧି, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନ ପ୍ରଣାଳୀର ସୁପରିଚାଳନା ବିଷୟରେ ବୁଝାଇବାରେ ସହାୟକ ହେବ।

ଇତ୍ୟବସରରେ, ବାରିପଦା ଉପଖଣ୍ଡ ଅନ୍ତର୍ଗତ ବାଲିଡିହା ଜଳ ବିଭାଜିକା ଠାରେ ଏକ ବିଭାଜନ ସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ, ଅତିରିକ୍ତ ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ଇଂ ସୁରେଶ କୁମାର ଦାଶ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ନିର୍ବାହୀ ଯନ୍ତ୍ରୀ, ପ୍ରସନ୍ନ ଦାସ, କାଳ ପାଣିପଞ୍ଚାୟତ ସମ୍ପାଦକ, ଯଜ୍ଞ ମହାନ୍ତି, ବାଲିଡିହା ପ୍ରକଳ୍ପ ସମ୍ପାଦକ ଦାଶରଥ ପାଣ୍ଡେ, ସୁନେଇ ପ୍ରକଳ୍ପ ସମ୍ପାଦକ, ବିରଂଚି ନାରାୟଣ ପାତ୍ର, ବାଲିଡିହା ପ୍ରକଳ୍ପ ସହ ସମ୍ପାଦକ, ସହଦେଵ ସିଂ, କାଳ ପ୍ରକଳ୍ପ ସହ ସମ୍ପାଦକ ସର୍ବେଶ୍ୱର ରାଉତ ପ୍ରମୁଖ ମଂଚାସୀନ ଥିଲେ।

କେବଳ ସରକାରୀ ବ୍ୟବସ୍ଥା କିମ୍ବା ଚାଷୀଙ୍କର ବ୍ୟକ୍ତିଗତ ଉଦ୍ୟମ ଦ୍ଵାରା ଜଳସେଚନ ପ୍ରଣାଳୀର ଉତ୍ତମ ରକ୍ଷଣାବେକ୍ଷଣ ଓ ସୁପରିଚାଳନ ଭାବେ ଚାଲିବ ବୋଲି ଭାବିବା ଅସମ୍ଭବ । ଏଣୁ ଏହାର ସମାଧାନ ନିମନ୍ତେ ପ୍ରତ୍ୟକ୍ଷ ଯୋଗଦାନ ଓ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ ଉପଲବ୍ଧ ସେଚ ଜଳର ସୁପରିଚାଳନା , ସୁଷମ ବଣ୍ଟନ ଓ ସଂରକ୍ଷଣ ନିହାତି ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଇଂ ଦାଶ ପ୍ରକାଶ କରିଥିଲେ।

ନିଜ ବକ୍ତବ୍ୟରେ ଅତିଥି ମାନେ, ଅନଲାଇନ୍ ବ୍ୟବସ୍ଥାରେ ଅଭିଯୋଗର ସମାଧାନ କରିବା , ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ମଜୁରୀ ପ୍ରଦାନ କରିବାରେ ମଧ୍ୟ କାର୍ଯ୍ୟ କରୁଛି, ବନ୍ୟା ସମ୍ପର୍କରେ ସମୟଭିତ୍ତିକ ପ୍ରାକ୍ ସ୍ଥିତିର ସଠିକ ଆକଳନ କରିବା, ଶିଳ୍ପ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକୁ ଅନଲାଇନ୍ ବ୍ୟବସ୍ଥାରେ ଜଳ ଆବଣ୍ଟନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗରେ ବିଭାଗୀୟ ବିଭିନ୍ନ କାର୍ଯ୍ୟର ତଦାରଖ ବ୍ୟବସ୍ଥାକୁ ଦକ୍ଷତାର ସହ ନିର୍ବାହ କରିବା, ଭୂତଳ ଜଳର ସଠିକ ମାତ୍ରା ଜାଣିବା, ଜଳ ସଂରକ୍ଷଣ, ଜଳ ସମ୍ପଦର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଅଧିକ ଜ୍ଞାନ ସମ୍ପନ୍ନ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କ ସହଭାଗିତାକୁ ଜଳସମ୍ପଦ ବିଭାଗ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ବୋଲି କହିଥିଲେ ଏବଂ ଜଳର ଅପଚୟ ନ କରି ସର୍ବୋତ୍କୃଷ୍ଟ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପ ଅଧିକ୍ଷଣ ଯନ୍ତ୍ରୀ ଇଂ ଗଜେନ୍ଦ୍ର ନାୟକ ସଭା ପରିଚାଳନା କରିଥିବା ବେଳେ ଜଳସେଚନ ବିଭାଗ ଦ୍ୱାରା ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରବନ୍ଧ, ଚିତ୍ରାଙ୍କନ ଓ କୁଇଜ୍‌ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଶେଷ କରି ପାଣି ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇ ଜଳ ବ୍ୟବହାର କରୁଥିବା କୃଷକଙ୍କ କ୍ଷେତ୍ରରେ ପତି ବା ପତ୍ନୀଙ୍କୁ ପାଣି ପଞ୍ଚାୟତର ସଦସ୍ୟା ଭାବେ ନିୟୋଜିତ କରାଯାଇଛି । ମେଗା ଲିଫ୍ଟ ପ୍ରକଳ୍ପ ଗୁଡିକ ଅଧିନରେ ପାଣି ପଞ୍ଚାୟତ ଯୋଜନା ଗଠନ କରାଯାଇଛି । ପାଣି ପଞ୍ଚାୟତଗୁଡିକର କାର୍ଯ୍ୟାବଳୀ ସମ୍ପର୍କରେ ଜାଣିବା ପାଇଁ ସୂଚନା ଓ ପ୍ରଯୁକ୍ତି ଆଧାରରେ ଇ-କାଡ୍ ଭଳି ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଏହି ପଦକ୍ଷେପକୁ ଆହୁରି ଆଗକୁ ନେବା ଏବଂ ସମସ୍ତଙ୍କ ମଧ୍ୟରେ ପାଣି ପଞ୍ଚାୟତର ଗୁରୁତ୍ୱ ଓ ପାଣି ପଞ୍ଚାୟତ ସଦସ୍ୟ ସଦସ୍ୟାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ, ଜଳ ସମ୍ପଦର ସୁରକ୍ଷା ଏବଂ ପାଣି ପଞ୍ଚାୟତଗୁଡିକର କାର୍ଯ୍ୟକୁ ଆହୁରି ଆଗକୁ ନେବାରେ ସହାୟତା କରୁଥିବା ସମସ୍ତ ସହଭାଗୀ ଅନୁଷ୍ଠାନର ସହଯୋଗରେ ଏହି ବାର୍ଷିକ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯିବ ବୋଲି ଜଳସମ୍ପଦ ବିଭାଗ ତରଫରୁ ଜଣାଯାଇଛି ।ସୂଚନା ଥାଉକି, ଆସନ୍ତା ୨୯ ତାରିଖରେ ଏହି ପାଣିପଞ୍ଚାୟତର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ, ବାରିପଦା ଷ୍ଟାଡିଅମ ଠାରେ ଅନୁଷ୍ଠିତ ହେବ ।