ପୁରୀ : ଭିତର ରତ୍ନଭଣ୍ଡାରରେ ଲୁହା ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଛି । ଏ ନେଇ ଏଏସ୍ଆଇ ଅଧିକ୍ଷକ ଡି.ବି. ଗଡ଼ନାୟକ ସୂଚନା ପ୍ରଦାନ କରିଛନ୍ତି । ୨୦ ଜଣ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ବୁଧବାର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ଗୁରୁବାର ଠାରୁ ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯିବା କାର୍ଯ୍ୟ କରାଯିବ । ମରାମତି କାର୍ଯ୍ୟ ବନ୍ଦ ହେବା ପରେ ଠାକୁରଙ୍କ ନୀତିକାନ୍ତି ଆରମ୍ଭ ହୋଇଛି ।
ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ । ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନର ଅଭିଜ୍ଞ ଇଞ୍ଜିନିୟରଙ୍କ ତତ୍ତ୍ଵାବଧାନରେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଭିତର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରାଯିବା ପରେ ଯାଇ ବାହାର ରତ୍ନଭଣ୍ଡାରର ମରାମତି କରାଯିବ । ଏଥିପାଇଁ ଲୁହା ପାଇପରେ ପ୍ରଥମେ ଭାରା ବନ୍ଧା ଯାଇ ବ୍ୟବସ୍ଥିତ କରାଯିବା ପରେ ରତ୍ନଭଣ୍ଡାର କାନ୍ଥରୁ ପ୍ଲାଷ୍ଟର ଛଡାଯାଇ ମରାମତି କାର୍ଯ୍ୟ କରାଯିବ । ପ୍ରତ୍ୟେକ ଦିନ ଠାକୁରଙ୍କ ଦ୍ବିତୀୟ ଭୋଗ ମଣ୍ଡପ ଭୋଗ ଶେଷ ପରେ ଦିନ ୧୨ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ମରାମତି କାର୍ଯ୍ୟ କରାଯିବ। ଏ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖିଛି ASI । ମରାମତି ପରେ ହେବ ଗଣତି ମଣତି ।