ଆଗରପଡ଼ା :ବନ୍ତ ବ୍ଲକ ସରମରା-ଅଘିରାଗଡ଼ଆ ମାଇନର କେନାଲ ରାସ୍ତା ଦୀର୍ଘ ଦିନ ଧରି ଶୋଚନୀୟ ହୋଇପଡ଼ିଛି । କେନାଲଟି ସୋସୋ ମାଇନର କେନାଲ ଜଗନ୍ନାଥପୁର ଗ୍ରାମ ନିକଟରୁ ବାହାରି ଅଘିରାଗଡ଼ିଆ, ବାଙ୍କତୀରା, ଭଗାରାମ, ଆପତୀରା, ତୁମ୍ବାପଦୀ ଦେଇ ସରମରା ନିକଟରେ ସରୁସାଗର ନଦୀ ସହ ସଂଯୋଗ ହୋଇଛି । ଉକ୍ତ କେନାଲ ବନ୍ଧକୁ ସ୍ଥାନୀୟ ଲୋକମାନେ ରାସ୍ତା ଭାବେ ବ୍ୟବହାର କରିଥାନ୍ତି । ଉପରୋକ୍ତ ଗ୍ରାମଗୁଡ଼ିକ ସହ ଗୋହିରା, ତୋଟାସାହି, ଦେବତାଗଡ଼ିଆ, ଟିଲୋ, ଏରଝାଟିଆ, ପାରାବନ୍ଧ ଆଦି ଗ୍ରାମର ଲୋକମାନେ ଆଗରପଡ଼ାକୁ ଯାଇଥାନ୍ତି । ଉକ୍ତ ରାସ୍ତାକୁ ମୋରମ୍ କରାଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖରାଦିନରେ ଉକ୍ତ ରାସ୍ତା ଦେଇ ଆଗରପଡ଼ା ଓ ବନ୍ତ ବ୍ଳକ ସଦରମହକୁମାକୁ ଯାଇଥାନ୍ତି । ମାତ୍ର ଅସରାଏ ବର୍ଷା ହେଲେ ଏହି ରାସ୍ତାରେ ଯିବା କଷ୍ଟକର । ବର୍ଷା ଦିନରେ କୌଣସି ଗୁରୁତର ରୋଗୀ ମେଡିକାଲ ଯିବାକୁ ହେଲେ ବିଭିନ୍ନ ଗାଁ ଦେଇ ଯାତାୟତ କରିଥାନ୍ତି । ରାସ୍ତା ସମସ୍ୟା ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବା ଫଳରେ ୨ବର୍ଷ ତଳେ ବିଭାଗୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ ପରେ କେବଳ ମାଟିକାମ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ କେନାଲବନ୍ଧର ଉନ୍ନତିକରଣ କାର୍ଯ୍ୟ କରାଯାଇନାହିଁ । ଉକ୍ତ ରାସ୍ତା ଏବେ ଯାତାୟତ ଅନୁପଯୋଗୀ ହୋଇଛି ।
