ଭୁବନେଶ୍ୱର : ଆଜି ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ଭୁବନେଶ୍ୱର ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରାଷ୍ଟ୍ରପତି ମାଲ୍ୟାର୍ପଣ କରିଛନ୍ତି । ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବର ବିମାନବନ୍ଦରରୁ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରସ୍ଥିତ ଉପରବେଡ଼ା ଗାଁ ଗସ୍ତରେ ଯାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଗାଁରେ ସ୍ବାଗତ କରିବା ପାଇଁ ସେଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ରଙ୍ଗାମାଟିଆ ଅସ୍ଥାୟୀ ହେଲିପାଡରେ ଓହ୍ଲାଇବେ ରାଷ୍ଟ୍ରପତି । ସେଠାରୁ କଡ଼ା ସୁରକ୍ଷାରେ ଯାଇ ଉପରବେଡା ଯାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିବେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କିଛି ବିଶେଷ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ପରେ ନିଜ ଘରେ ପରିବାର ଲୋକଙ୍କୁ ଭେଟି ରାଇରଙ୍ଗପୁର ଅଭିମୁଖେ ବାହାରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ନ ହୁଏ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ।