Anugul Polluted City 750x430

ସୁଧୁରିଛି ଦିଲ୍ଲୀ, ହେଲେ ବିଗୁଡିଛି ଓଡିଶା ସହର

State

ଭୁବନେଶ୍ବର: ଜାତୀୟ ରାଜଧାନୀ ଠାରୁ ବି ବଳି ଗଲାଣି ଓଡିଶାର ସହର । ତା ମଧ୍ୟରେ ଅନୁଗୁଳ ସବୁଠୁ ପ୍ରଦୂଷିତ ଜିଲ୍ଲା ଭାବରେ ମୁଣ୍ଡ ଟେକିଛି । ଯାହାର ଏକ୍ୟୁଆଇ ୩୨୨ ଛୁଇଁଛି । ଏଥିସହିତ ଦେଶର ପ୍ରମୁଖ ୨୦ ପ୍ରଦୂଷିତ ସହର ଭିତରେ ରାଜ୍ୟର ୪ ସହର ଯଥା ଭୁବନେଶ୍ବର, କଟକ, ବାଲେଶ୍ବର ଏବଂ ଅନୁଗୁଳ ରହିଛି ।

ତେବେ ଦିନକୁ ଦିନ ବାୟୁର ସ୍ଥିତି ବିଗିଡିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀ କାହିଁ କେତେ ଦିନରୁ ପ୍ରଦୂଷିତ ବାୟୁରେ ଯୁଝି ହେଉଥିବା ବେଳେ ଏବେ ଡରାଇଲାଣି ରାଜ୍ୟ ପ୍ରମୁଖ ସହର । ପ୍ରଦୂଷଣରେ ଦିଲ୍ଲୀକୁ ଟପିବାରେ ଲାଗିଲାଣି । ଯେଉଁଠି ବିଷାକ୍ତ ଦିଲ୍ଲୀ ବାୟୁର ଏବେ ସୁଧୁରିବା ସ୍ଥିତିକୁ ଆସିଲାଣି ସେଠି ଅନୁଗୁଳ ଜିଲ୍ଲା ଏବେ ଦେଶର ସବୁଠୁ ପ୍ରଦୂଷିତ ୪ ସହର ଭିତରେ ଶୀର୍ଷରେ ଛିଡା ହୋଇଛି । ଆଜି ସକାଳ ୧୦ଟା ୫ ସୁଦ୍ଧା ଅନୁଗୁଳ ବାୟୁର ମାନ ସର୍ବାଧିକ ୩୩୨ ରହିଥିଲା । ସେହିପରି ଅଗରତାଲା ୩୧୫, ହାୱଡ଼ା ୩୧୪, ବର୍ଣ୍ଣିହାଟ ୩୧୨, ଅମରିତସର ୨୭୦ ରହିଥିଲା ।

ଏହି ଗତ ସୋମବାର ରାଜ୍ୟ ରାଜଧାନୀ ଭୁବନେଶ୍ବର ମଧ୍ୟ ଦିଲ୍ଲୀର ବାୟୁ ମାନକୁ ଟପି ଯାଇଥିଲା । ଦେଶର ମୋଟ ୨୫ ସହରରେ ବାୟୁର ମାନ ଅତି ନିମ୍ନ ମାନର ରହିଥିବା ବେଳେ ସେଥିରେ ଓଡିଶାର ମୋଟ ୫ ସହର ଯଥା ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ବ୍ୟାସନଗର ଓ ତା‌ଳଚେର ରହିଛି । ଏଠିକା ବାସିନ୍ଦା ଏତେ ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଯେ, ଯେତିକି ଅମ୍ଳଜାନ ନେଉ ନାହାନ୍ତି ତା’ଠାରୁ ଅଧିକ ସଲ୍‌ଫର୍‌ ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍, କାର୍ବନ ଡାଇଅକ୍ସାଇଡ୍ ଓ ବିଷାକ୍ତ ଧୂଳିକଣାକୁ ନିଜ ଶରୀର ଭିତରକୁ ନେଉଛନ୍ତି । ଯାହାଦ୍ବାରା ହୃଦ୍‌ଘାତ, ଶ୍ବାସକ୍ରିୟା ଜନିତ ରୋଗ, ଫୁସ୍‌ଫୁସ୍‌, ଯକ୍ଷ୍ମା, ଆଜ୍‌ମା ପରି ରୋଗ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି।

ଗତ ସୋମବାର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଏକ୍ୟୁଆଇ ୧୭୮ ରହିଥିବା ବେଳେ ଭୁବନେଶ୍ବରର ୨୬୬ରେ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଏହା ଆହୁରି ବଢ଼ିଥିବା ଜଣାପଡ଼ିଛି । ତେବେ ରିପୋର୍ଟକୁ ଦେଖିଲେ ବର୍ତ୍ତମାନର ରାଜ୍ୟର ମୁଖ୍ୟ ସହର ଗୁଡିକର ବାୟୁ ପ୍ରଦୂଷଣ ଦୀପାବଳି ପରବର୍ତ୍ତୀ ଅବସ୍ଥାକୁ ବଳି ଯାଇଛି, ଯାହା ଚିନ୍ତାଜନକ ।

ଅନ୍ୟପଟରେ ଧିରେ ଧିରେ ଦିସଲ୍ଲୀର ସ୍ଥିତି ସୁଧୁରିବାରେ ଲାଗିଛି । ଦୀର୍ଘ ଦିନ ପରେ ଦିଲ୍ଲୀ ଓ ଏନ୍‌ସିଆର (ଜାତୀୟ ରାଜଧାନୀ ଅଞ୍ଚଳ)ରେ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଘଟିଥିବାରୁ ଦିଲ୍ଲୀରେ ଲାଗୁ କରାଯାଇଥିବା ଗ୍ରାପ୍‌-୪ କଟକଣା ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଗୁରୁବାର ଦିଲ୍ଲୀରେ ବାୟୁ ମାନକ ସୂଚକାଙ୍କ ୧୬୧ ରହିଥିବାରୁ କଟକଣା ପ୍ରତ୍ୟାହାର ପାଇଁ ଅନୁମତି ଦିଆଯାଇଛି । ତେବେ ଦୀପାବଳି ପରଠାରୁ ଦିଲ୍ଲୀର ଏକ୍ୟୁଆଇ ୪୦୦ରୁ ୫୦୦ ମଧ୍ୟରେ ରହୁଥିଲା । ମାନଦଣ୍ଡ ଅନୁଯାୟୀ ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ କୁହାଯାଉଥିବାବେଳେ ୪୦୧-୫୦୦କୁ ଅତି ସାଂଘାତିକ ମଣାଯାଏ।