D

ଓଡ଼ିଶାର ଅକ୍ଷୟ ଶକ୍ତିରେ ୧ ବିଲିୟନ ଆମେରିକୀୟ ଡଲାର ନିବେଶ ପାଇଁ ଇଚ୍ଛୁକ ଏଚଆଇଏଫ

State

ଭୁବନେଶ୍ୱର: ସରିଛି ଉତ୍କର୍ଷ ଓଡ଼ିଶା କନକ୍ଲେଭ । ହେଲେ ଏବେ ମଧ୍ୟ ଓଡ଼ିଶାକୁ ନିବେଶକଙ୍କର ସୁଅ ଛୁଟୁଛି । ଚିଲିର ଏଚଆଇଏଫ୍ ଗ୍ଲୋବାଲ ଇଣ୍ଡିଆ ନାମକ ବହୁରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶାର ଅକ୍ଷୟ ଶକ୍ତିରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଇ-ଫୁଏଲ ଉତ୍ପାଦନ ନେଇ ଏକ ଉପସ୍ଥାପନା ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଆଗରେ ପ୍ରଦର୍ଶନ କରିଛନ୍ତି ।

ଆଜିର ସମୟରେ ବାୟୋଫୁଏଲର ବହୁତ ଚାହିଦା ରହିଛି । ପରିବେଶ ସୁରକ୍ଷା ସହ ଜୈବମଣ୍ଡଳର ସନ୍ତୁଳନ ରକ୍ଷା ନିମନ୍ତେ ଇ-ଫୁଏଲ ର ଆବଶ୍ୟକ ରହିଛି । ଏଚଆଇଏଫ୍ ଗ୍ଲୋବାଲ ଇଣ୍ଡିଆ କମ୍ପାନୀ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା, ଚିଲି, ଉରୁଗୁଏ, ଅଷ୍ଟ୍ରେଲିଆ ପ୍ରଭୃତି ଦେଶରେ ମିଥାନଲ ସିନ୍ଥେସିସ୍ କ୍ଷେତ୍ରରେ କାର୍ଯ୍ୟ କରୁଛି । ଓଡ଼ିଶାରେ ମଧ୍ୟ ଏହି ଭଳି ୧ ବିଲିୟନ ଆମେରିକୀୟ ଡଲାରର ମିଥାନଲ ସିନ୍ଥେସିସ୍ ପ୍ରକଳ୍ପ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସରକାରୀ ପ୍ରଦତ୍ତ ନିୟମାବଳୀ ଅନୁସାରେ ନିବେଶ କରିବାକୁ ବହୁତ ସେ ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ଅନୁଯାୟୀ ୫୦ ଏକର ଜମି, ଜଳଯୋଗାଣ ଓ ବିଦ୍ୟୁତ ଯୋଗାଣ ଭଳି ଆନୁଷଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଓଡ଼ିଶା ବର୍ତ୍ତମାନ ନିବେଶ ପାଇଁ ଶତପ୍ରତିଶତ ଅନୁକୂଳ । ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଆମେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛୁ । ଆମର ନିବେଶ ଅନୁକୂଳ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା ଅଛି । ଏହାର ବ୍ୟବହାର ମଧ୍ୟ ଆପଣମାନେ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପ୍ରାରମ୍ଭିକ କ୍ଷେତ୍ରରେ ୨୫୦ରୁ ଉର୍ଦ୍ଧ୍ବ ଲୋକ ଓ ପରବର୍ତ୍ତୀ ସମୟରେ ୫୦୦ ରୁ ଉର୍ଦ୍ଧ୍ବ ଲୋକ ରୋଜଗାର ପାଇବେ ବୋଲି ଆକଳନ କରାଯାଇଛି । ଏବଂ ବାର୍ଷିକ ୩,୫୦,୦୦୦ ଟନର ଇ-ମିଥାନଲ ଉତ୍ପାଦନ ହେବ । ୯୫ ପ୍ରତିଶତ କାର୍ବନ ନିର୍ଗମନ ହ୍ରାସ ପାଇବ ।