ପର୍ଥ: ପର୍ଥ ଟେଷ୍ଟରେ ବିଜୟୀ ହୋଇଛି ଭାରତ। ଅଷ୍ଟ୍ରେଲିଆକୁ ୨୯୫ ରନ୍ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ବର୍ଡର ଗାଭାସ୍କର ଟ୍ରଫିରେ ୧-୦ରେ ଭାରତ ଆଗୁଆ ରହିଛି।
ଭାରତ-ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ୫ ଟିକିଆ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାରେ ଭାରତ ବାଜିମାତ୍ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫୩୪ ରନର ବିଶାଳ ବିଜୟ ଲକ୍ଷ୍ୟ ଛିଡା କରିଥିଲା । ଯାହାକୁ ପୂରଣ କରିବା ଅସମ୍ଭବ ଥିଲା । ଏହି ବିଜୟ ସହ ଭାରତ ୧-୦ରେ ଆଗୁଆ ରହିଛି । ସିରିଜର ଦ୍ୱିତୀୟ ମ୍ୟାଚ ୬ ଡିସମ୍ବେରକୁ ଏଡିଲେଡରେ ଖେଳାଯିବ ।
ଏହି ମ୍ୟାଚରେ ଭାରତ ପ୍ରଥମ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ମାତ୍ର ୧୫୦ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା । ଏହାପରେ ଅଷ୍ଟ୍ରେଲିଆ ବି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ବୁମରାଙ୍କ ଧୂଆଁଧାର ବୋଲିଂରେ ଧରାଶାୟୀ ହୋଇଯାଇଥିଲା କଙ୍ଗାରୁ ଦଳ । ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ମାତ୍ର ୧୦୪ ରନରେ ଅଲ ଆଉଟ ହୋଇଯାଇଥିଲା ।
ଭାରତ ତାର ଦ୍ୱିତୀୟ ଇଂନିସରେ କିନ୍ତୁ ଆଉ ଭୁଲ କରିନଥିଲା । ଦଳ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ, କେଏଲ ରାହୁଲ ଓ ବିରାଟ କୋହଲି ଧୂଆଁଧାର ବ୍ୟାଟିଂ କରିଥିଲେ । ଜୟସ୍ୱାଲ ୧୬୧ ଓ କୋହଲି ୧୦୦ ରନ କରି ଶତକ ହାସଲ କରିଥିଲେ । ଫଳରେ ଦଳ ୪୮୭ ରନ କରି କଙ୍ଗାରୁ ଦଳକୁ ୫୩୪ ରନର ବିଶାଳ ଟାର୍ଗେଟ ଦେଇଥିଲା । ହେଲେ ଅଷ୍ଟ୍ରେଲିଆ ଦଳ ଏହାକୁ ପୂରଣ କରିପାରିନଥିଲା । ଫଳରେ ବଡ଼ ପରାଜୟ ସାମ୍ନା କରିଛି।