ବାରିପଦା: ବାରିପଦାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ରୂପାନ୍ତର ତାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଚଳିତ ମାସ ୨୯ ତାରିଖ ଦିନ ସ୍ଥାନୀୟ ସହିଦ୍ ସ୍ମୃତି ଭବନ ଠାରେ ଦି ହିଡେନ୍ ଷ୍ଟାର୍-୨୪ ନାମରେ ଏକ ଜିଲ୍ଲାସ୍ତରୀୟ ଅlନ୍ତଃ ମହାବିଦ୍ୟାଳୟ ଅଭିନୟ ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଅଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ । ମଞ୍ଚ ଅଭିନୟ କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କର ଉତ୍ସାହ ଜାଗରଣ କରାଇବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ପରେଶ ସାହୁ ପ୍ରକାଶ କରିଛନ୍ତି। ଉକ୍ତ ପ୍ରତିଯୋଗିତାରେ ମୟୂରଭଞ୍ଜର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ନାତକତ୍ତୋର ତଥା ମେଡିକାଲ୍ ଏବଂ ବିଭିନ୍ନ ଇଂଜିନିୟରିଂ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ । ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ବିଭିନ୍ନ ପ୍ରକାରର ପ୍ରାୟୋଜିତ ପୁରସ୍କାର, ଆକର୍ଷଣୀୟ ଅର୍ଥରାଶି, ଟ୍ରୋଫୀ ଏବଂ ପ୍ରମାଣପତ୍ର ପୁରସ୍କାର ସ୍ୱରୂପ ରଖାଯାଇଅଛି ।
ଏଥି ନିମିନ୍ତ ପ୍ରତ୍ୟେକ ଅନୁଷ୍ଠାନକୁ ପ୍ରତିଯୋଗିତାର ନିୟମାବଳି ଏବଂ ପ୍ରବେଶିକା ଫର୍ମ ପଞ୍ଜିକୃତ ଡାକ ଜରିଆରେ ପଠାଇ ଦିଆଯାଇଛି । ଇଚ୍ଛୁକ ଛାତ୍ର ଛାତ୍ରୀମାନେ ନିଜ ନିଜ ଶିକ୍ଷା ଅନୁଷ୍ଠାନର ମୁଖ୍ୟଙ୍କ ନିକଟରୁ ଏ ସମ୍ପର୍କରେ ସବିଶେଷ ବିବରଣୀ ପାଇପାରିବେ ଅଥବା ଆମ ଅନୁଷ୍ଠାନର ନିର୍ଦ୍ଦେଶକଙ୍କ ୯୪୩୯୪୫୪୪୨୨ ଫୋନ ନମ୍ବରରେ ଯୋଗାଯୋଗ କରି ଜାଣିପାରିବେ । ପୁରସ୍କାର ବିତରଣୀ ସନ୍ଧ୍ୟାରେ ଛାତ୍ର ଛାତ୍ରୀମାନଙ୍କର ମନୋରଞ୍ଜନ ନିମିତ୍ତ ସ୍ଥାନୀୟ ହରିହର କଳା ମନ୍ଦିର ଦ୍ଵାରା ଓଡିଶୀ, ବିହୁ, ଝୁମର ନୃତ୍ୟ ଏବଂ ରୂପାନ୍ତର ଅନୁଷ୍ଠାନ ଦ୍ଵାରା ଏକ ସଂପୂର୍ଣ୍ଣ ହାସ୍ୟ ରସାତ୍ମକ ନାଟକ- “ଏବଂ କିଏ ?” ପରିବେଷଣ କରାଯିବ । ଏହି ନାଟକଟିକୁ ନାଟ୍ୟକାର ଡଃ ପ୍ରଦୀପ ଭୌମିକ ରଚନା କରିଥିବା ବେଳେ ସତ୍ୟନାରାୟଣ ଦାସ ନିର୍ଦ୍ଦେଶନା ଦେଇଛନ୍ତି । ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀମାନେ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମିତ୍ତ ଅନୁଷ୍ଠାନର ଅଧ୍ୟକ୍ଷ ବିରେନ୍ଦ୍ର ନାଥ ସାହୁ, ଉପାଧ୍ୟକ୍ଷା ଡଃ ଦମୟନ୍ତୀ ବେଶ୍ରା ଏବଂ ନିର୍ଦ୍ଦେଶକ ପରେଶ ସାହୁ ଅନୁରୋଧ କରିଛନ୍ତି ।