Img 20241111 Wa0302

ତମାଖୁ ମୁକ୍ତ ଅଭିଯାନ ୨.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ; ମୟୂରଭଞ୍ଜର ପ୍ରତ୍ୟେକଟି ଗାଁ ହେବ ଏବେ ତମାଖୁ ମୁକ୍ତ

State

ବାରିପଦା: ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମସ୍ତ ବିଶ୍ୱରେ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବ ସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୨.୦ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ଉପବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ରୀ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୨.୦ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଅଛି।

ଏହି ବୈଠକରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇଥିବା ଏବଂ ଆଗକୁ ହେବାକୁ ଥିବା ଏହି ସଚେତନତା ଅଭିଯାନର ସମସ୍ତ ପଦକ୍ଷେପ ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଭାତ କୁମାର ବେହେରା ସମସ୍ତ ଉପସ୍ଥିତ ଅଧିକାରୀଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରିଥିଲେ। ତମାଖୁର ବ୍ୟବହାର କମ କରିବା ପାଇଁ ଜିଲ୍ଲାରେ ହୋଇଥିବା ଡ୍ରଗ ସଚେତନତା ଅଭିଯାନ ବିଷୟରେ ଆଲୋକପାତ କରା ଯାଇଥିଲା ଏବଂ ୨୦୨୨-୨୪ ମଧ୍ୟରେ ୪୭ଟି ସ୍କ୍ୱାର୍ଡ ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ସମୁଦାୟ ୫୯୦୪୦ ଟଙ୍କା ଫାଇନ ଆଦାୟ ହୋଇଛି । ବିଭିନ୍ନ ସ୍ଥାନ ଯଥା, ସ୍କୁଲ, କଲେଜ, ସର୍ବସାଧାରଣ ସ୍ଥାନ, ପ୍ରତିଟି ପଂଚାୟତ ସମେତ ବର୍ତ୍ତମାନ ସୁଦ୍ଧା ୧୦ଟି ବ୍ଲକର ୧୧୭ ଜଣ ସରପଞ୍ଚଙ୍କୁ ଏହି ପ୍ରଶିକ୍ଷଣପ୍ରଦାନ କରାଯାଇଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ।

ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ୧୬୦ଟି ସ୍କୁଲରେ ଯୁବପିଢିଙ୍କ ମଧ୍ୟରେ ତମ୍ବାଖୁ ଜନିତ ସମସ୍ୟା ଓ ତହିଁରେ ସଚେତନତା ସୃଷ୍ଟି କରିବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ଶପଥ ପାଠ, ପ୍ରଶିକ୍ଷଣ ଜିଲ୍ଲା ସ୍ୱାସ୍ଥ୍ୟ ସଂଚାଳକଙ୍କ ଦ୍ୱାରା ଦିଆ ଯାଉଛି। ଜିଲ୍ଲାର ୨୦ ଗାଁ ମାନଙ୍କୁ ତମାଖୁ ମୁକ୍ତ କରାଯିବ ଏବଂ ତହିଁରେ ୩୦ରୁ ଉର୍ଦ୍ଧ୍ୱ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାର ଯୋଜନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି।

ସୂଚନା ଥାଉକି, ଚଳିତ ବର୍ଷ ଆରମ୍ଭ ହୋଇଥିବା ତମାଖୁ ମୁକ୍ତ ଅଭିଯାନ ୨.୦ ସେପ୍ଟେମ୍ବର ୨୪ ରୁ ଆରଂଭ ହୋଇଛି ଏବଂ ଏହା ୨୪ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ତେଣୁ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ସୋସିଆଲ ମିଡ଼ିଆକୁ ଏକ ବୃହତ ଆଧାର କରା ଯାଇଛି, ଯାହା ଫଳରେ ଅଧିକରୁ ଅଧିକ ଜନସାଧାରଣଙ୍କ ପାଖରେ ଏହି ବାର୍ତ୍ତା ପହଂଚାଇବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଏହି ପ୍ରାବଧାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପୋଲିସ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଶିକ୍ଷା, ଗୃହ ଏବଂ ନଗର ଉନ୍ନୟନ, କ୍ରୀଡା ଏବଂ ଯୁବ ବ୍ୟାପାର, ଆଦିବାସୀ କଲ୍ୟାଣ ବିଭାଗ ସମସ୍ତଙ୍କୁ ନେଇ ଏହି ତମାଖୁ ମୁକ୍ତ ଅଭିଯାନ ୨.୦ର ସଂଚାଳନ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ। ସଚେତନତା ମାରାଥନ, ରାଲି, ରେଡ଼ିଓ ବାର୍ତ୍ତା , ଲୋକକଳା, ଚିତ୍ର ପ୍ରଦର୍ଶନୀ, ସୋସିଆଲ ମିଡ଼ିଆ ପ୍ରଚାର ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ତମାଖୁ ବର୍ଜନ ବିଷୟରେ ଜନସଚେତନତା ଜାରି କରାଯିବ।

ଜାତୀୟ ତମାଖୁ ନିୟନ୍ତ୍ରଣ ପ୍ରାଧିକରଣ ଅନ୍ତର୍ଭୁକ୍ତ ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ଏହି ଅଭିଯାନକୁ ସଫଳ କରିବା ପାଇଁ ଗଣମାଧ୍ୟମ ଏବଂ ଲୋକ ସମ୍ପର୍କର ବିଶେଷ ଆବଶ୍ୟକତା ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ। ଏହି ବୈଠକକୁ ଶ୍ରୀ ନିହାର ରଞ୍ଜନ ପୃଷ୍ଟି ସଂଚାଳନ କରିଥିବା ବେଳେ, ଅତିରିକ୍ତ ଚିକିତ୍ସାଧିକାରୀ ଡଃ ଜ୍ଞାନେନ୍ଦ୍ର ମହାନ୍ତି, ଡଃ ଶାନ୍ତନୁ କୁମାର ଦାଶ, ବାରିପଦା ପୌରପାଳିକା ନିର୍ବାହୀ ଅଧିକାରୀ ଡଃ ମଧୁସ୍ମିତା ସାମନ୍ତରାୟ, ଅତିରିକ୍ତ ନିର୍ବାହୀ ଅଧିକାରୀ ସୁଶ୍ରୀ ଶୁଭଶ୍ରୀ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଚ୍ଛାୟତ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିବାର ସୂଚନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।