- ନଭେମ୍ବର ୧୪ରୁ ୧୬ ତିନିଦିନ ଧରି ଶିଶୁ ଉଦ୍ୟାନରେ ହେବ ଶିଶୁ ମହୋତ୍ସବ
- ଆସନ୍ତା ୬ତାରିଖରୁ ପୌରପରିଷଦ ଯାତ୍ରୀ ନିବାସରେ ଆରମ୍ଭ ହେବ ପଞ୍ଜିକରଣ
ବାରିପଦା : ବାରିପଦା ଶିଶୁ ଉଦ୍ୟାନ ପରିସରରେ ଆସନ୍ତା ୧୪ରୁ ୧୬ ତାରିଖ ପଯ୍ୟନ୍ତ ତିନିଦିନ ଧରି ସଂସ୍କାର ଶିଶୁ ମହୋତ୍ସବ ‘ମୟୂରୀ’ ଅନୁଷ୍ଟିତ ହେବ । କୁନି କୁନି ପିଲାଙ୍କ ସୃଜନଶୀଳତା ବୃଦ୍ଧି ସହିତ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ ପାଇଁ ୨୦୦୦ରୁ ଅନୁଷ୍ଠିତ ହୋଇ ଆସୁଥିବା ଏହି ମହୋତ୍ସବକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରିବା ପାଇଁ ମହୋତ୍ସବ କମିଟୀ ପକ୍ଷରୁ ସଂକଳ୍ପ ନିଆଯାଇଛି । ପୌରପରିଷଦ ଯାତ୍ରୀ ନିବାସରେ ଆୟୋଜିତ ସଂକଳ୍ପ ସମାବେଶରେ କମିଟୀର ସଭାପତି ତଥା ବାରିପଦା ପୌରପରିଷଦର ଅଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଏହି ସଂକଳ୍ପ ସମାବେଶରେ ଅଧ୍ୟକ୍ଷତା କରିଥିଲେ । ସଂସ୍କୃୃତି, ପରଂପରା ଓ ଆଧ୍ୟାତ୍ମିକ ଚେତନାକୁ ଯୋଡି ପିଲାମାନଙ୍କ ଭିତରେ ବ୍ୟକ୍ତିତ୍ୱ ବିକାଶ ପାଇଁ ଆୟୋଜିତ ହୋଇ ଆସୁଥିବା ଏହି ଶିଶୁମହୋତ୍ସବ ଅନନ୍ୟ ବୋଲି ଶ୍ରୀ ମହାନ୍ତି କହିବା ସହ ଏହାକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଅବସରରେ ସଂସ୍କାର ଶିଶୁ ମହୋତ୍ସବର ପ୍ରାଣ ପ୍ରତିଷ୍ଠାତା ଏହି ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଥି ସହିତ ତିନିଦିନ ଧରି ହେବାକୁ ଥିବା ଭିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପିଲାଙ୍କ ବୌଦ୍ଧିକ ଓ ମାନସିକ ବିକାଶ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଓ ବିଭିନ୍ନ ବର୍ଗ ପାଇଁ ହେବାକୁ ଥିବା ପ୍ରତିଯୋଗିତା ବାବଦରେ ବିଷଦ ବିବରଣୀ ପ୍ରଦାନ କରିଥିଲେ । କମିଟିର ଉପଦେଷ୍ଟା ଡା ପାର୍ଥ ସେରଥୀ ଜେନା ଏହି ମହୋତ୍ସବ ଆୟୋଜନ ପଛରେ ଥିବା ସୁଦୁର ପ୍ରସାରୀ ଚିନ୍ତାଧାରା ସଂପର୍କରେ ଆଲୋକପାତ କରିଥିବା ବେଳେ ଉପଦେଷ୍ଟା ତଥା ଶିକ୍ଷାବିତ୍ କୈବଲ୍ୟ ପ୍ରସାଦ ମହାପାତ୍ର ଏହି ମହୋତ୍ସବ ପିଲାଙ୍କ ପ୍ରତିଭା ବିକାଶ ପାଇଁ ଅନେକ ସୁଯୋଗ ସୃଷ୍ଟି କରି ଆସିଛି ବୋଲି କହିଥିଲେ । ଉପଦେଷ୍ଟା ତଥା ବରିଷ୍ଠ ଆଇନ୍ଜୀବୀ କ୍ଷେତ୍ରମୋହନ ପଣ୍ଡା ଏହି ଅବସରେ ଉପସ୍ଥିତ ସମସ୍ତଙ୍କୁ ଚଳିତ ବର୍ଷର ମହୋତ୍ସବକୁ ସର୍ବାଙ୍ଗ ସୁନ୍ଦର କରି ଗଢିତୋଳିବା ପାଇଁ ଆହ୍ୱନ ଦେଇଥିଲେ ।
ଶିଶୁମହୋତ୍ସବ କମିଟୀର ଅନ୍ୟତମ ଉପଦେଷ୍ଟା ତଥା ବାଙ୍ଗିରିପୋଷି ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ପୁଷ୍ପାପାତ୍ର ଚଳିତବର୍ଷର କାର୍ଯ୍ୟକ୍ରମ ଉଭୟ ଅଭିଭାବକ ଓ ପିଲାମାନଙ୍କୁ ବେଶ ଆକର୍ଷିତ କରିବ ବୋଲି କହିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମହୋତ୍ସବ କମିଟୀର ଉପସଭାପତି ଆର୍କିଟେକ୍ଟ ମନୋଜ କୁଅଁର, ଯୁଗ୍ମ ସଂପାଦକ ସଂଗ୍ରାମ କେଶରୀ ଭଞ୍ଜଦେଓ, ଉପଦେଷ୍ଟା ରଜନୀ ବାରିକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସହରର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ତିନିଦିନ ଧରି ଶିଶୁ ଉଦ୍ୟାନ ପରିସରରେ ଆୟୋଜିତ ଏହି ମହୋତ୍ସବରେ ପିଲାମାନେ ଖେଳ,କୁଦ ମଜା ମସ୍ତି ସହିତ ନାଚିବେ, ଗାଇବେ, ଚିତ୍ର ଆଙ୍କିବେ, ଝୋଟି ଓ ରଙ୍ଗୋଲିରେ ନିଜନିଜର ସୃଜନ ଶୀଳତା ଦେଖାଇବା ସହିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗନେଇ ତାଙ୍କର ପ୍ରତିଭାର ପରିଚୟ ଦେବେ । ଏଥି ସହିତ ସଂସ୍କାର ଧର୍ମୀ ଆଲୋଚନା ଓ କର୍ମଶାଳାରେ ଭାଗନେଇ ନିଜ ନିଜର ବ୍ୟକ୍ତିତ୍ୱର ବିକାଶ କରିବେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିଶୁ ମହୋତ୍ସବରେ ଭାଗ ନେବାକୁ ଇଚ୍ଛୁକ ପ୍ରତିଯୋଗୀମାନେ ଆସନ୍ତା ୬ ତାରିଖ ଠାରୁ ୧୦ ତାରିଖ ମଧ୍ୟରେ ଶିଶୁ ଉଦ୍ୟାନ ନିକଟ ପୌରପରିଷଦ ଯାତ୍ରୀ ନିବାସରେ ଅପରାହ୍ନ ସାଢେ ତିନିଟାରୁ ୫ଟା ମଧ୍ୟରେ ପହଞ୍ଚି ନାମ ପଞ୍ଜିକରଣ କରିପାରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆ ଯାଇଥିବା ବେଳେ ସବିଶେଷ ବିବରଣୀ ପାଇଁ ୯୭୭୭୩୨୩୬୯୨, ୭୦୦୮୧୫୮୨୬୧ କିମ୍ବା ୮୯୧୭୬୮୮୭୦୧ ନମ୍ବରରେ ଯୋଗାଯୋଗ କରି ପାରିବେ ବୋଲି କୁହାଯାଇଛି ।