Cdpo 1730276491

ଗର୍ଭବତୀଙ୍କୁ ନିର୍ଯାତନା ଘଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ: ବିଦାହେଲେ ଡେରାବିଶ ସିଡିପିଓ

State

ଡେରାବିଶ: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଶିଶୁ ବିକାଶ ବିଭାଗର ସିଡିପିଓ ସ୍ନେହଲତା ସାହୁ ସେଠାରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟପଟ ଅବସ୍ଥାରେ ଡାକ୍ତରଖାନା ନଛାଡିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

ଏହାସହ ଆଜି ସିଡିପିଓ ସ୍ନେହଲତା ସାହୁଙ୍କ ଅବହେଳା ପାଇଁ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସ୍ନେହଲତାଙ୍କୁ ବ୍ଲକ ଅଫିସରୁ ଅପସାରଣ କରାଗଲା । ଘଟଣାର ନିରପେକ୍ଷ ତଦନ୍ତ ହୋଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ନିରପେକ୍ଷ ଏବଂ ତ୍ୱରିତ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥାଇ ମଧ୍ୟ ପ୍ରତ୍ୟେକ ଦିନ ଅଫିସ୍ ଆସୁଥିଲେ । ହେଲେ ଗତ ଶୁକ୍ରବାର ଅଫିସରେ ବର୍ଷାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ସେ ଡାକ୍ତରଖାନା ଯିବା ପାଇଁ ବିଭାଗୀୟ ଅଧିକାରୀ ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ । ମାତ୍ର ସେ ତାଙ୍କୁ ଏଥିପାଇଁ ଅନୁମତି ନ ଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହାପରେ ବର୍ଷାଙ୍କ ସମ୍ପର୍କୀୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଗର୍ଭରେ ଥିବା ନବଜାତକର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ ।

ଏନେଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣିରେ ପୀଡିତାଙ୍କ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଥିଲେ । ଏହି ଘଟଣାରେ ଆଜି ଉପମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।