Photo3 For The News Of Nalita Chasa

ଝୋଟର ବଜାର ମୂଲ୍ୟରେ ହ୍ରାସ, ନଳିତା ଚାଷ ପ୍ରତି ବିମୁଖ ଚାଷୀ

State

ଆଗରପଡ଼ା :ସମୟଚକ୍ରରେ ହଜି ଯାଉଛି ଝୋଟର ଚାହିଦା । ଯଦ୍ୱାରା ବଜାର ମୂଲ୍ୟରେ ଏହାର ହ୍ରାସ ଘଟୁଛି । ବଜାର ମୁଳ୍ୟରେ ହ୍ରାସ ଯୋଗୁଁ ଦିନକୁ ଦିନ ନଳିତା ଚାଷ ପ୍ରତି ବିମୁଖ ହେବାରେ ଲାଗିଛି ଚାଷୀ । ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ଏହି ଚାଷ ପାଇଁ ଭିତ୍ତିଭୂମି ରହିଥିଲେ ସୁଦ୍ଧା ପରିଶ୍ରମ ତୁଳନାରେ ସେମାନେ ସେମାନଙ୍କ ପ୍ରାପ୍ୟ ପାଇପାରୁନଥିବାରୁ ଉକ୍ତ ଚାଷ ପ୍ରତି ବିମୁଖ ହେବାରେ ଲାଗିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ବୋଡ଼କପାଟଣା ଓ ବୋଡ଼କମୁହାଜୀବୀ ଗ୍ରାମର କିଛି ଚାଷୀଙ୍କ କହିବା ଅନୁଯାୟୀ ଦିନଥିଲା ଉକ୍ତ ଅଂଚଳରେ ପାଖାପାଖି ୭ହେକ୍ଟରରୁ ଅଧିକ ଜମିରେ ନଳିତା ଚାଷ କରାଯାଉଥିଲା ଏବଂ ଉକ୍ତ ଚାଷ କରି ସେମାନେ ସେମାନଙ୍କ ପରିବାର ପ୍ରତିପୋଷଣ ମଧ୍ୟ କରିପାରୁଥିଲେ । କିନ୍ତୁ ଦିନକୁ ଦିନ ବଜାରରେ ଝୋଟର ଚାହିଦା କମିବା ଯୋଗୁଁ ତାର ମୂଲ୍ୟରେ ମଧ୍ୟ ହ୍ରାସ ଘଟିଛି । ସେମାନଙ୍କ କହିବା ଅନୁଯାୟୀ କିଛି ବର୍ଷ ହେବ ଝୋଟର ବଜାର ଦର କ୍ୱିଣ୍ଟାଲ ପ୍ରତି ୪ହଜାରରୁ ସାଢେ୪ହଜାର ରହିଥିବା ବେଳେ ଏହାର ମୂଲ୍ୟ ଯଦି ବୃଦ୍ଧି ପାଇ ୭ହଜାରରୁ ୮ହଜାର ହୋଇପାରନ୍ତା ତେବେ ସେମାନେ ସେମାନଙ୍କ ପରିଶ୍ରମ ଅନୁସାରେ ଜିଛି ଲାଭ ପାଇପାରନ୍ତେ । ଏହା ହୋଇପାରୁନଥିବାରୁ ଉକ୍ତ ଚାଷ ପ୍ରତି ସେମାନଙ୍କ ଆଗ୍ରହ କମିବାରେ ଲାଗିଛି । ଏବଂ ଚଳିତ ବର୍ଷ ଉକ୍ତ ଅଂଚଳରେ ୪ରୁ ୫ହେକ୍ଟର ଜମିରେ ଉକ୍ତ ଚାଷ ହୋଇଛି । ଅପରପକ୍ଷରେ ଜିଛି ଚାଷୀ ନିଜ ଚାଷ ଜମିରେ ପରିବା ଚାଷ କରି ଏହାଠୁ ଅଧିକ ଲାଭ ପାଉଥିବାର ମଧ୍ୟ ପ୍ରକାଶ କରିଛନ୍ତି । ଅପରପକ୍ଷରେ ସରକାରଙ୍କ ଦ୍ୱାରା ଉକ୍ତ ଚାଷ ପ୍ରତି ମିଳୁଥିବା ପ୍ରୋତ୍ସାହନ ରାଶି ମଧ୍ୟ ଚାଷୀଙ୍କ ପାଖରେ ଠିକ୍ ଭାବେ ପହଂଚିପାରୁନଥିବା ସେମାନେ ଅଭିଯୋଗ କରନ୍ତି । ଏଠାରେ ପ୍ରକାଶ ଥାଉକି;ସରକାର ବିଭିନ୍ନ ପ୍ରକାର ଚାଷ ପାଇଁ ପ୍ରୋତ୍ସାହନ ରାଶି ଚାଷୀଙ୍କୁ ପ୍ରଦାନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ କଳାପ ଯୋଗୁଁ ଚାଷୀ ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହେଉଥିବା ଜଣାପଡ଼ିଥିଲା । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ନଳିତା ଚାଷ କ୍ଷେତ୍ରରେ ।

ଗତ ୧୯୯୯ ମସିହାରୁ ୨୦୨୨ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଉକ୍ତ ଚାଷରେ ଓଡ଼ଙ୍ଗ ପଂଚାୟତର ବୋଡ଼କପାଟଣା ଓ ବୋଡ଼କମୁହାଜୀବୀ ଗ୍ରାମର ଭଗବାନ ପୃଷ୍ଟି, କାର୍ତ୍ତିକ ଜେନା, ମହେନ୍ଦ୍ର ଜେନା, ହରିହର ଜେନା, ବାଉଲି ଖିଲାର, ଜଲି ଦାସ, ନୃସିଂହ ଦାସ, ଅପର୍ତ୍ତି ସାହୁ, ବାବୁଲି ସାହୁ,ସୁରେନ୍ଦ୍ର ଜେନା ଏହିପରି ପାଖାପାଖି ୫୦ଜଣ ଚାଷୀ ଏହି ଚାଷରେ ନିଜକୁ ପଂଜିକୃତ କରିଥିଲେ । ପୁର୍ବରୁ ଏହି ଚାଷକୁ ପାଥେୟ କରି ଏହିପରି ବହୁ ପରିବାର ନିଜର ଗୁଜୁରାଣ ମେଣ୍ଟାଉଥିଲେ କିନ୍ତୁ ଉକ୍ତ ସମୟ ପର୍ଯ୍ୟନ୍ତ ଯେତିକି ପରିବାର ଏହି ଚାଷରେ ନିଜକୁ ନିୟୋଜିତ କରିଥିଲେ ସେମାନଙ୍କ ସମସ୍ୟାକୁ ଦୂର କରିବା ପାଇଁ କୃଷି ବିଭାଗ ନାରାଜ ଥିଲା । ଏହି ଚାଷ ସମୟରେ ଚାଷୀଙ୍କ୍‌ୁ ଉପଯୁକ୍ତ ବିହନ,ବୈଷୟୀକ କୌଶଳ ଓ ଆବଶ୍ୟକ ପ୍ରୋତ୍ସାହନ ରାଶି ଯୋଗାଇ ଦିଆ ଯାଉନଥିବା ନେଇ ଚାଷୀ ମାନେ ଅଭିଯୋଗ କରିଥିଲେ । ସରକାରଙ୍କ ପ୍ରଦତ୍ତ ସୁବିଧା ଚାଷୀ ପାଉନଥିବାରୁ ସେମାନେ କେବଳ ଧାନ ଚାଷ ଓ ପନିପରିବା ଚାଷ ଉପରେ ଗୁରୁତ୍ୱ ଦେଉଥିଲେ । ନିଜକୁ ନିୟୋଜିତ କରି ସେମାନେ ସରକାରଙ୍କ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗରୁ ବଂଚିତ ହୋଇ ଆସୁଥିବା ଅଭିଯୋଗ କରିଥିଲେ । ବିଭାଗୀୟ ଅଧିକାରୀ ଆସୁଥିଲେ ସେମାନଙ୍କ ସହ ଯୋଗାଯୋଗ କରୁଥିଲେ ଓ କିଛି ବିବରଣୀ ନେଇ ଫେରି ଯାଉଥିଲେ ଯଦ୍ୱାରା କାଗଜ କଲମରେ ସେମାନଙ୍କ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋତ୍ସାହନ ରାଶି ସୀମିତ ରହି ଯାଉଥିବା ସେମାନେ ଆମ ପ୍ରତିନିଧିଙ୍କୁ କହିଥିଲେ । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ନଳିତା ଚାଷର ପ୍ରସାର ପାଇଁ ବ୍ୟାପକ ଭିତ୍ତିଭୂମି ଥିଲେ ସୁଦ୍ଧା ଚାଷର ବିକାଶ ଆଶାନୁରୂପ ହୋଇପାରୁନଥିବା ଏବଂ ଚାଷୀ ଉକ୍ତ ଚାଷରୁ ମୁହଁ ଫେରାଇନେଉଥିବା ଜଣାପଡ଼ିଥିଲା । ଅପର ପକ୍ଷରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପରୋକ୍ଷରେ ଉକ୍ତ ଅଂଚଳରେ ଏହି ଚାଷ ହେଉଥିବାର ସ୍ୱୀକାର କରିବା ସହ ସେମାନେ ସରକାରଙ୍କ ସମସ୍ତ ସୁବିଧା କିପରି ଚାଷୀ ପାଇ ପାରିବେ ସବୁବେଳେ ଚେଷ୍ଟା କରୁଥିବା କହିଥିଲେ । ଉକ୍ତ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଭାଗ ତରଫରୁ କ୍ଷେତ୍ର ପରିଦର୍ଶନ କରାଯାଇ ନଳିତା ଚାଷ ବାବଦରେ ପ୍ରୋତ୍ସାହନ ରାଶି ପ୍ରଦାନ ନିମନ୍ତେ ଚାଷୀଙ୍କ ଠାରୁ ଆବଶ୍ୟକୀୟ କାଗଜ ପତ୍ର ଗ୍ରହଣ କରାଯିବାପରେ ଚାଷୀଙ୍କ ଜମା ଖାତାକୁ ବିଭାଗ ତରଫରୁ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପ୍ରୋତ୍ସାହିତ ହେବା ପରେ ଚାଷୀ ଗତ ବର୍ଷ ନଳିତା ଚାଷ ପ୍ରତି ଆଗ୍ରହ ପ୍ରକାଶ କରି ନିଜକୁ ଏହି ଚାଷରେ ନିଯୋଜିତ କରିଥିଲେ କିନ୍ତୁ ସେମାନେ ପୂର୍ବପରି ପୁଣି ସରକାରଙ୍କ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେବା ଅଭିଯୋଗ କରିବା ସହ ବଜାର ଦରରେ ହ୍ରାସ ତାଙ୍କ ମନୋବଳ ଭାଙ୍ଗି ଦେଇଥିବା ପ୍ରକାଶ କରନ୍ତି । ତେଣୁ ବୁଡ଼ି ଯାଉଥିବା ଚାଷକୁ ଉଜ୍ଜୀବିତ କରିବା ସହ ଝୋଟର ଚାହିଦା ବୃଦ୍ଧି ପାଇଁ ସରକାର ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।