Photo For The News Of Krisi Office

ଖବର ପ୍ରକାଶ ପରେବି ସଫା ହୋଲନି କୃଷି କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ପରିସର

State

ଆଗରପଡ଼ା :ଗତ ଅଗଷ୍ଟ ମାସରେ “ସ୍ୱଚ୍ଛଭାରତ ବାଟବଣା;ଜଙ୍ଗଲ ପାଲଟିଲାଣି କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର” ଓ “ସ୍ୱଚ୍ଛଭାରତ ବାଟବଣା;କୃଷି କାର୍ଯ୍ୟାଳୟରେ ଅନାବନା ଗଛ”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବାକୁ ଇତି ମଧ୍ୟରେ ୧ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଉଭୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଉଭୟ ପରିସର ଦିନକୁଦିନ ଅଧିକ ଅପରିଷ୍କାର ଓ ବିପଦସଙ୍କୁଳ ହେବାରେ ଲାଗିଛି । ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଆଗରପଡ଼ା ଠାରେ ଥିବା ସରକାରୀ କୃଷି କାର୍ଯ୍ୟାଳୟ ବର୍ତ୍ତମାନ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରିଛି । ଏହି ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ଲୋକମାନେ ଯାଆଆସ କରିଥାନ୍ତି । କୃଷି କାର୍ଯ୍ୟାଳୟ ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ବିଭିନ୍ନ ସମୟରେ ଏହି କାର୍ଯ୍ୟଳୟକୁ ବିଭିନ୍ନ ଉଦ୍ଦେଶ୍ୟ ରଖି ଆସିଥାନ୍ତି । ମାତ୍ର କାର୍ଯ୍ୟାଳୟ ପ୍ରବେଶ ପଥ ଉଭୟ ପାଶ୍ୱର୍ରେ ନାନାଦି ଅନାବନା ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଏଥି ମଧ୍ୟରେ ବିଷଧର ସାପମାନେ ରହିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ବିଶେଷ କରି ସାପ ଭୟରେ ଚାଷୀମାନେ ଏହି କାର୍ଯ୍ୟାଳୟକୁ ଆସିବା ପାଇଁ ନାପସନ୍ଦ କରୁଛନ୍ତି । ସେହିପରି ଉକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ବଜାର ଅଂଚଳରେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ପାଣି ଜମି ରହି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଡ଼େଙ୍ଗୁକୁ ଆମନ୍ତ୍ରଣ କରୁଥିବାରୁ ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇପଡ଼ିଛି ।

Photo For The News Of Kadabaranga Medical

ସେହିପରି କାଦବରାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଆଡ଼ିଆ, ଅଡ଼ାଳପଙ୍କ, ଗୋପାଳପୁର, କାଉପୁର, ଗଣିଜାଙ୍ଗ ଆଦିର ଶତାଧିକ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥାନ୍ତି । କିନ୍ତୁ ଭକ୍ତ କେନ୍ଦ୍ର ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ ନେଇ ସ୍ୱାସ୍ଥ୍ୟ ସେବା ପାଇଁ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ଏହାର ସମ୍ମୁଖ ଭାଗକୁ ଛାଡ଼ି ଅନ୍ୟ ପାଶ୍ୱର୍ରେ ନାନାଦି ଅନାବନା ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଏଥି ମଧ୍ୟରେ ବିଷଧର ସାପମାନେ ରହିଥାଇପାରନ୍ତି ବୋଲି ଅନୁମାନ କରାଯିବା ସହ ଏହାର ପରିସରରେ ପୁରୁଣା ଗୃହ ଥିଲେ ମଧ୍ୟ ଏହାକୁ ଭାଙ୍ଗିବାର କୌଣସି ବନ୍ଦୋବସ୍ତ କରାଯାଉନଥିବା ମଧ୍ୟ ଚିନ୍ତାର ବିଷୟ ପାଲଟିଛି । କହିବାକୁ ଗଲେ ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇପଡ଼ିଛି । କୃଷି କାର୍ଯ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଉକ୍ତ ସମସ୍ୟା ସମେତ ଅନ୍ୟ ସମସ୍ୟା ଲାଗି ରହିଥିବା ଖବର ବିଭିନ୍ନ ଗରମାଧ୍ୟମରେ ପ୍ରକାଶ ପାଇବା ପରେ ମଧ୍ୟ ବିଭାଗ ପକ୍ଷରୁ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଭାବ ଦେଖା ଦେଇଛି । ତେଣୁ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ଉଭୟ ପରିସରକୁ ଯଥା ଶୀଘ୍ର ପରିଷ୍କାର କରିବାକୁ ଚେଷ୍ଟିତ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।