Col Bdk

ମହଙ୍ଗା ପଡ଼ିବ ଜାଲ ପ୍ରମାଣପତ୍ରରେ ଚାକିରୀ, ବଳି ପଡ଼ିବେ ଆଉ ଜଣେ ରାଜସ୍ୱ ନିରୀକ୍ଷକ!

State

ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଆଣିଲେ ସୂଚନା ଅଧିକାର କର୍ମୀ

ଆଗରପଡ଼ା :ଗତ କିଛି ଦିନ ତଳେ ଜାଲ ଜାତିଗତ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଥିବା ଗଜେନ୍ଦ୍ର ଦାସ ନାମକ ଜନୈକ ରାଜସ୍ୱ ନିରୀକ୍ଷକ ଚାକିରୀରୁ ତଡ଼ା ଖାଇଥିବା ବେଳେ ଏବେ ପୁଣି ଜଣେ ରାଜସ୍ୱ ନିରୀକ୍ଷକ ଜାଲ ଶିକ୍ଷାଗତ ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ନେଇ ଜିଲ୍ଲାପାଳଙ୍କ ଠାରେ ସୂଚନା ଅଧିକାର କର୍ମୀ ବିକାଶ ଧଳ ଅଭିଯୋଗ କରିଥିବା ଜଣାପଡ଼ିଛି । ଶ୍ରୀ ଧଳଙ୍କ ଅଭିଯୋଗ ଅନୁଯାୟୀ ବନ୍ତ ବ୍ଳକ ଅନ୍ତର୍ଗତ ଅଣିଜୋ ସର୍କଲରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିବା ସୌଭାଗ୍ୟ କୁମାର ସିଂହଙ୍କ ଯୁକ୍ତ ୩ ବାଣିଜ୍ୟ ପ୍ରମାଣ ପତ୍ରଟି ଜାଲ । ସୂଚନା ଅଧିକାର ଆଇନ ବଳରେ ଶ୍ରୀ ସିଂହଙ୍କ ପ୍ରଦତ୍ତ ପ୍ରମାଣ ପତ୍ର ବିଷୟରେ ସଠିକ୍ ତଥ୍ୟ ପାଇବା ପାଇଁ ସୂଚନା କର୍ମୀ ଶ୍ରୀ ଧଳ ବାବାମଣୀ ଡ଼ିଗ୍ରୀ ମହାବିଦ୍ୟାଳୟ,ପାଳସାହି,ବେତାଳିଗାଁ,ଭଦ୍ରକଙ୍କ ଜନ ସୂଚନା ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ମହାବିଦ୍ୟାଳୟର ଜନସୂଚନା ଅଧିକାରୀ ତାଙ୍କ ସୂଚନାରେ ଅନୁସନ୍ଧାନ କଲାପରେ ସୌଭାଗ୍ୟ କୁମାର ସିଂହ ୨୦୦୮ ମସିହାରେ +୩ ପାସ କରିନଥିବା ଏବଂ ନାମ ଲେଖାଇବା ସମୟରେ ସେ ଅନୁସୁଚିତ ଜାତି ବା ଜନଜାତିର କୌଣସି ପ୍ରମାଣପତ୍ର ଦାଖଲ କରିନଥିବା ଏବଂ ସେ ସରକାରଙ୍କ ଦ୍ୱାରା ପ୍ରଦତ୍ତ କୌଣସି ବୃତ୍ତି ମଧ୍ୟ ହାତେଇନଥିବା ପ୍ରଦାନ କରିଥିଲେ । ସେହିପରି +୩ ଶେଷ ବର୍ଷ ଟିଆର(୨୦୦୮)ରେ ଶ୍ରୀ ସିଂହ ଚାକିରୀ ସମୟରେ ପ୍ରଦାନ କରିଥିବା +୩ ପ୍ରମାଣପତ୍ରରେ ଉଲ୍ଲେଖ ଥିବା ରୋ.ନଂ ଓ ନାମର କୌଣସି ସୂଚନା ନଥିବା ମଧ୍ୟ ତାଙ୍କ ସୂଚନାରେ ସେ ଉଲ୍ଳେଖ କରିଥିଲେ । ତେଣୁ ସୂଚନା ଅଧିକାରୀଙ୍କ ଉକ୍ତ ସୂଚନାରୁ ସୌଭାଗ୍ୟ କୁମାର ସିଂହ ଜାଲ +୩ ପ୍ରମାଣ ପତ୍ର ହାତେଇ ଚାକିରୀ କରିଥିବା ସ୍ପଷ୍ଟ ହେଉଛି । ଏହାକୁ ଆଧାର କରି ଶ୍ରୀ ଧଳ ଜିଲ୍ଲାପାଳଙ୍କୁ ବିଧିବଦ୍ଧ ଭାବେ ଏହାର ବିଭାଗୀୟ ତଦନ୍ତ କରିବା ସହିତ ତଦନ୍ତ ସମୟରେ ତାଙ୍କୁ(ଶ୍ରୀ ଧଳ)ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ସମସ୍ତ ଜାଲ ପ୍ରମାଣପତ୍ରକୁ ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିବା ଜଣାପଡ଼ିଛି ।