Whatsapp Image 2024 09 09 At 4.37.55 Pm

ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

State

ବାରିପଦା: ମୟୂରଭଞ୍ଜର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ “ପ୍ରତିଶ୍ରୁତି” ପ୍ରତିଷ୍ଠାନ ଆନୁକୂଲ୍ୟରେ ବିଶିଷ୍ଟ ଗୀତିକବି ସଂଗ୍ରାମ ମହାନ୍ତିଙ୍କ ଅନୁବାଦ ପୁସ୍ତକ “ବୈରାଗ୍ୟ ଶତକମ୍ ” ର ଶୁଭ ଲୋକାର୍ପଣ ଉତ୍ସବ ସ୍ଥାନୀୟ ଶ୍ରୀମା ମହିଳା ମହାବିଦ୍ୟାଳୟର ସଭାଗୃହରେ ପ୍ରତିଷ୍ଠାନର ସଭାପତି ଡାକ୍ତର ପାର୍ଥ ସାରଥୀ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଅବନୀ କୁମାର କୁଣ୍ଡୁ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ଭାଗବତ ପଣ୍ଡା ମୁଖ୍ୟ ବକ୍ତା, ଅଧ୍ୟାପିକା ଉଷା ଶତପଥୀ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ପୁସ୍ତକର ଅନୁବାଦକ ସଂଗ୍ରାମ ମହାନ୍ତି ନିଜର ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରି ଈଶ୍ୱରଙ୍କ ଅପାର କରୁଣାରୁ ଏ ପ୍ରକାର ଅନୁବାଦ କରିବା ପାଇଁ ସେ ସକ୍ଷମ ହେଲେ ବୋଲି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପଣ୍ଡା ମହାକବି ଭତ୍ତୃହରିଙ୍କ ଶତକତ୍ରୟ ମଧ୍ୟରୁ ବୈରାଗ୍ୟ ଶତକମ୍‌ର ବିଭିନ୍ନ ଶ୍ଲୋକ ଗୁଡିକୁ ଆଲୋଚନା କରି ଜୀବନରେ ବୈରାଗ୍ୟ ହିଁ ଏକମାତ୍ର ଅଭୟର କାରଣ ବୋଲି କହିବା ସହିତ ଆତ୍ମ ଜ୍ଞାନ ବିନା ବ୍ରହ୍ମାନନ୍ଦ ଲାଭ ସମ୍ଭବ ନୁହେଁ ବୋଲି ଦୀର୍ଘ ଅଭିବ୍ୟକ୍ତି ପ୍ରଦାନ ପୂର୍ବକ ସଂଗ୍ରାମ ବାବୁଙ୍କ ଅନୁବାଦରେ ପ୍ରୟୋଗ ହୋଇଥିବା ସରଳ, ସାବଲୀଳ ଶବ୍ଦ ପୁଞ୍ଜ ପାଠକ ମାନଙ୍କୁ ଆମୋଦିତ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଡକ୍ଟର କୁଣ୍ଡୁ ଅନୁବାଦକଙ୍କ ପୁସ୍ତକର ବିଭିନ୍ନ ଦିଗ ବିଷୟରେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀମତୀ ଶତପଥୀ ଝୁମା ଝୁମା ଗୋଲାପି ବେଳାରେ କବିତା ସମ୍ପର୍କରେ ମତ ରଖି ଅନୁବାଦ ପୁସ୍ତକରୁ ଦୁଇଟି ଶ୍ଳୋକର ଅର୍ଥ ଆବୃତ୍ତି କରିଥିଲେ । ସଭାପତି ଡାକ୍ତର ଜେନା ତାଙ୍କ ଅଭିଭାଷଣରେ ଜ୍ଞାନ, କର୍ମ ଓ ଭକ୍ତିର ବ୍ୟାଖ୍ୟା କରି ଉପରୋକ୍ତ ପୁସ୍ତକ ପଠନ ଦ୍ୱାରା ମଣିଷ ଜୀବନରେ ବୈରାଗ୍ୟ ହିଁ କେବଳ ମୁକ୍ତି ଲାଭର ଉପାୟ ବୋଲି ଉଲ୍ଲେଖ କରିଥିଲେ । କବି ଅଜିତ କୁମାର ପାଣିଗ୍ରାହୀ ମଞ୍ଚ ଆମନ୍ତ୍ରଣ, ଅତିଥି ପରିଚୟ ପ୍ରଦାନ କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାରୋହକୁ ଅର୍ଘ୍ୟରୂପା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ରାଉତ ଓ ରସରାଜ ଖୁଣ୍ଟିଆ ପ୍ରଭୃତି ପରିଚାଳନା କରିଥିଲେ । ଉକ୍ତ ସମାରୋହରେ ବାରିପଦା ସହରର ବହୁ କବି, ଲେଖକ, ବୁଦ୍ଧିଜୀବି ଉପସ୍ଥିତ ଥିଲେ ।