Img 20240902 Wa0184

ରେଭେନ୍ସା ନାଁ ବଦଳାଇବା ଅର୍ଥ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ ଅପମାନିତ କରିବା, ମରିସା ପକ୍ଷରୁ ବିରୋଧ ପ୍ରଦର୍ଶନ

State

ବାରିପଦା:  ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନକୁ ନେଇ କେନ୍ଦ୍ରମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା) ପକ୍ଷରୁ ବିରୋଧ କରାଯାଇଛି । ବାରିପଦା ଛଉପଡିଆ ଛକଠାରେ ମାରିସା ରାଜ୍ଯ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଏହିି ବିରୋଧ ପ୍ରଦର୍ଶନ କରାଯାଇଥିଲା । ରେଭେନ୍ସା ସାହେବ୍ ଓଡିଶାର ବିକାଶ ଓ କଟକ କଲେଜ ସ୍ଥାପନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ କଟକ କଲେଜର ନାମ ରେଭେନ୍ସା କଲେଜ ରଖିବାକୁ ପ୍ରସ୍ତାବ ଦେଇଥିଲେ । ମହାରାଜାଙ୍କ ରେଭେନ୍ସା କଲେଜ ନିର୍ମାଣରେ ଯଥେଷ୍ଟ ଭୂମିକା ରହିଛି । ସେ ମଧ୍ୟ ସେ ସମୟରେ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ରେଭେନ୍ସାର ନାମ ବଦଳେଇବା ଅର୍ଥ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ ଅପମାନିତ କରିବା | ମହାରାଜାଙ୍କ ନିଷ୍ପତ୍ତିକୁ ଭୁଲ୍ ପ୍ରମାଣିତ କରିବା ଏହାକୁ ବରଦାସ୍ତ କରାଯିବ ନାହିଁ ବୋଲି ଅର୍ଜୁନ ମୁର୍ମୁ ଦୃଢ଼ ନିନ୍ଦା କରିଛନ୍ତି । ଓଡିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଥିବା ସମୟରେ ସେଗୁଡ଼ିକର ସମାଧାନ କରିବା ଦିଗରେ ଦୃଷ୍ଟି ନଦେଇ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ନାମ ପରିବର୍ତ୍ତନର ଶସ୍ତା ରାଜନୀତି ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ । କେନ୍ଦ୍ରମନ୍ତ୍ରୀ ନିଜ ଦାୟିତ୍ୱହୀନ ମନ୍ତବ୍ୟ ଫେରାଇ ନେବାକୁ ମାରିସା ପକ୍ଷରୁ ଦୃଢ ଦାବୀ କରାଯାଇଛି । ନଚେତ୍ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବବୋଲି ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ମାରିସା ରାଜ୍ଯ ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ମୟୂରଭଞ୍ଜ ଜିଲ୍ଲା ସଭାପତି ତୋଫାନ୍ ହେମ୍ବ୍ରମ୍, ଉପ ସଭାପତି ରବିନ୍ଦ୍ର ମାର୍ଣ୍ଡି ଓ ସାଧାରଣ ସମ୍ପାଦକ ଚାନ୍ଦ ତାରାଶ୍ ମୁର୍ମୁ , ଜିଲ୍ଲା ଛାତ୍ର ସଭାପତି ଶ୍ୟାମ ସୁନ୍ଦର ହାଁସଦାଃ,ସାଧାରଣ ସମ୍ପାଦକ ଅରବିନ୍ଦ ଟୁଡୁ ଏବଂ ଉପସଭାପତି ଦିପୁ ବେଶ୍ରା, ଶୁଳିଆପଦା ବ୍ଳକ୍ ଛାତ୍ର ସଭାପତି ରାଜୁ ମାର୍ଣ୍ଡି, ରାଜେଶ ବେଶ୍ରା, ମିଶ୍ର ମୁର୍ମୁ, କିଶୁନ ହେମ୍ବ୍ରମ, ସାୱନା ହେମ୍ବ୍ରମ୍, ଚାନ୍ଦ୍ରାୟ ସୋରେନ୍,ସଂଗ୍ରାମ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।