Fs

ଜାଲ ଜାତିଗତ ପ୍ରମାଣପତ୍ରରେ ଚାକିରି ପ୍ରସଙ୍ଗ, ଚାକିରିରୁ ବହିଷ୍କୃତ ହେଲେ ଶିକ୍ଷକ

State

ଆଗରପଡ଼ା :ଶେଷରେ ଚାକିରିରୁ ବହିଷ୍କୃତ ହେଲେ ଶିକ୍ଷକ । ଜାଲ ଜାତିଗତ ପ୍ରମାଣପତ୍ରରେ ଶିକ୍ଷକତା କରୁଥିବା ସୁକୁମାର ଦାସ ନାମକ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବ୍ଲକ ଶିକ୍ଷାଧିକାରୀ । କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୪୩୮/୨୮.୦୮.୨୪ରେ ବ୍ଲକ ଶିକ୍ଷାଧିକାରୀ,ବନ୍ତ ଶିକ୍ଷକ ସୁକୁମାର ଦାସଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;ଆର୍‌ଡ଼ିସି(ସିଡ଼ି) ସଚିବ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ତଦନ୍ତକୁ ଭିତ୍ତି କରି ୧୯.୦୭.୨୦୨୦୪ରେ ଆର୍‌ଡ଼ିସି ତଥା ଏସଏଲଏସସି ଚେୟାରମ୍ୟାନଙ୍କ ଚେୟାରମ୍ୟାନସିପ୍‌ରେ ବସିଥିବା ବୈଠକରେ ସୁକୁମାରଙ୍କ ବିରୁଦ୍ଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୦୦୩/ଏସଏସଡ଼ି(ଏକ୍ସଭିଆଇ-୭୦/୨୦୨୦)/ତା.୧୬.୦୮.୨୪ରେ ଜିଲ୍ଲାପାଳ,ଏସପି, ଡ଼ିଡବ୍ଲ୍ୟୁଓ,ତହସିଲଦାର,ଡ଼ିଇଓ ଭଦ୍ରକ ଏବଂ ବିଇଓ,ବନ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ଆର୍‌ଡ଼ିସି ସଚିବ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷାଧିକାରୀ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା୭୨୧୯/୨୩.୮.୨୪ରେ ବିଇଓଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ଓଳମ ନୋଡ଼ାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ଜଣେ ସହକାରୀ ଶିକ୍ଷକ ନିଯୁକ୍ତି ବେଳେ ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରି ନିଯୁକ୍ତି ପାଇଥିବା ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ପଦାକୁ ଆସିଥିଲା । ପରେ ସ୍ଥାନୀୟ ଜଗନ୍ନାଥପୁର ଅଂଚଳର ବିକାଶ କୁମାର ଧଳ ନାମକ ଯୁବକ ଏନେଇ ହାଇକୋର୍ଟରେ ଏକ ମାମଲା ଡ଼ବ୍ଲ୍ୟୁପି(ସି)-୩୨୪୯୧/୨୦)ରୁଜ୍ଜୁ କରିଥିଲେ । ହାଇକୋର୍ଟ ତାଙ୍କ ଆଦେଶରେ ଏହି ଘଟଣାରେ ଭଦ୍ରକ ଜିଲ୍ଲାପାଳ ବିଚାର କରି ୩ମାସ ମଧ୍ୟରେ ସମାଧାନ କରିବାକୁ ଆଦେଶ ଦେଇଥିଲେ । ପରେ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମିସ୍ କେଶ(ନଂ-୨୨/୨୧)ଆଗତ ହୋଇଥିଲା । ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଏଡିଏମ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ଏହି ଜାଲ୍ ଜାତିଗତ ପ୍ରମାଣପତ୍ର ଘଟଣାର ଯାଂଚ ଆରମ୍ଭ କରିଥିଲେ । ଉକ୍ତ କମିଟି ସମ୍ପୃକ୍ତ ଶିକ୍ଷକ ସୁକୁମାର ଦାସଙ୍କ ଜାତିଗତ ପ୍ରମାଣପତ୍ର ଆଧାରରେ ତଦନ୍ତ କରିଥିଲୋ । ସୂଚନାଯୋଗ୍ୟ;ସୁକୁମାର ଦାସ ଗତ ୨୦୧୧ ମସିହାରେ ଏସ୍‌ଟି(ଆଦିବାସୀ)ବର୍ଗଙ୍କ ଲାଗି ସଂରକ୍ଷିତ ପଦବୀରେ ନିଯୁକ୍ତି ପାଇଥିଲେ । ତେବେ ବାସ୍ତବରେ ସେ ଏସ୍‌ସି(ତଫସିଲ ବର୍ଗ)ଜାତିର ଥିଲେ । ତଦନ୍ତ କାଳରେ ସ୍ପଷ୍ଟ ହେଲା ଯେ ,ବନ୍ତ ତହସିଲ ଅଧୀନ ପୋଡ଼ାପାଟଣା,କଣ୍ଟାପଡ଼ା ଗ୍ରାମର ସୁଦର୍ଶନ ଦାସଙ୍କ ପୁତ୍ର ସୁକୁମାର ଦାସଙ୍କ ପ୍ରକୃତ ଜାତି ‘କେଳା’ଯାହାକି ଏସ୍‌ସି ବର୍ଗର । ତେବେ ସୁକୁମାରଙ୍କ ଜେଜେବାପା ସ୍ୱର୍ଗତ ଯୋରନ୍ଦ ଦାସଙ୍କ ନାମରେ ଏକ ଜମି ପୋଡ଼ାପାଟଣା ମୌଜାରେ କ୍ରୟ କରାଯାଇଥିଲା । ଯହିଁରେ ତାଙ୍କ ଜାତି ଶବର(ଏସ୍‌ଟି)ବୋଲି ଉଲ୍ଲେଖ ଥିଲା । ଏହି ଜମିପଟ୍ଟା ଆଧାରରେ ବନ୍ତ ତହସିଲଦାର ଏକ ଜାତି ପ୍ରମାଣପତ୍ର(ନଂ-୧୯୨/୨୦୧୦)ସୁକୁମାରଙ୍କୁ ଏସ୍‌ଟି(ଶବର)ବୋଲି ପ୍ରମାଣପତ୍ର ପ୍ରଦାନ କରିଥିଲେ । କିନ୍ତୁ ସାବିକ ରେକର୍ଡ଼ ଓ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କ ତଦନ୍ତରୁ ସ୍ପଷ୍ଟ ହେଲା ଯେ,ତାଙ୍କ ପ୍ରକୃତ ଜାତି ଏସ୍‌ସି(କେଳା) । ହାଲ୍ ବନ୍ଦୋବସ୍ତଟି ଭୁଲ୍ ଅଟେ । ତେଣୁ ଜିଲ୍ଲାପାଳ ଏହି ଜାତି ପ୍ରମାଣପତ୍ରଟି ଜାଲ୍ ବୋଲି ଜାଣିବାକୁ ପାଇଥିଲେ । ପରେ ଏନେଇ ମାନ୍ୟବର କୋର୍ଟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀଙ୍କ ତରଫରୁ ଏସଏଲଏସସି ଚେୟାରମ୍ୟାନ ତଥା ଆର୍‌ଡ଼ିସି(ସିଡ଼ି)ଙ୍କ ନିକଟକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପଠାଯାଇଥିଲା । ପରେ ଆର୍‌ଡ଼ିସି(ସିଡ଼ି) ବିଭିନ୍ନ ସମୟରେ ସୁକୁମାରଙ୍କ ସାକ୍ଷ ଗ୍ରହଣ କରି ତାଙ୍କ ମତ ମଧ୍ୟ ଗ୍ରହଣ କରିଥିଲେ । ଶେଷରେ ଆର୍‌ଡ଼ିସି(ସିଡ଼ି) ସଚିବ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ତଦନ୍ତକୁ ଭିତ୍ତି କରି ୧୯.୦୭.୨୦୨୦୪ରେ ଆର୍‌ଡ଼ିସି ତଥା ଏସଏଲଏସସି ଚେୟାରମ୍ୟାନଙ୍କ ଚେୟାରମ୍ୟାନସିପ୍‌ରେ ବସିଥିବା ବୈଠକରେ ସୁକୁମାରଙ୍କ ବିରୁଦ୍ଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୦୦୦୩/ଏସଏସଡ଼ି(ଏକ୍ସଭିଆଇ-୭୦/୨୦୨୦)/ତା.୧୬.୦୮.୨୪ରେ ଜିଲ୍ଲାପାଳ,ଏସପି, ଡ଼ିଡବ୍ଲ୍ୟୁଓ,ତହସିଲଦାର,ଡ଼ିଇଓ ଭଦ୍ରକ ଏବଂ ବିଇଓ,ବନ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଥିଲା । ଅଭିଯୋଗକାରୀ ବିକାଶ କୁମାର ଧଳଙ୍କ ପକ୍ଷରୁ ହାଇକୋର୍ଟରେ ରୁଜ୍ଜୁ ହୋଇଥିବା ମାମାଲାକୁ ହାଇକୋର୍ଟର ସିନିଅର ଆଇନଜୀବୀ ଉମେଶ ଚନ୍ଦ୍ର ଦୋରା ପରିଚାଳନା କରୁଥିଲେ ।