Photo For The News Of Electricwire

ବିଦ୍ୟାଳୟ ଉପରେ ୧୧କେଭି ବିଦ୍ୟୁତ୍ ତାର, ଅଭିଯୋଗର ଦେଢବର୍ଷ ପରେବି ପଦକ୍ଷେପ ଶୂନ୍‌

State

ଆଗରପଡ଼ା :ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୁପାୟନ ହୋଇପାରୁନାହିଁ । ବନ୍ତ ବ୍ଲକ ଓଡ଼ଙ୍ଗ କ୍ଲଷ୍ଟର ଅଧିନସ୍ଥ ସରକାରୀ ସଂଯୁକ୍ତ ମଙ୍ଗୁଲି ଉ.ପ୍ରା.ବିଦ୍ୟାଳୟ ଠାରେ ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ୧୯୬୮ ମସିହାରେ ସ୍ଥାପିତ ଉକ୍ତ ବିଦ୍ୟାଳୟ ପରିସର ଦେଇ ୧୧କେଭି ବିଦ୍ୟୁତ ତାର ଯାଇଥିବାରୁ ଏହା ପିଲାଙ୍କ ଜୀବନ ପ୍ରତି ବିପଦ ସୃଷ୍ଠି କରିବା ସହ ଖେଳ କ୍ଷେତ୍ରରେ ଘୋର ବ୍ୟାଘାତ ସୃଷ୍ଟି କରୁଛି । ବିଭିନ୍ନ ସମୟରେ ଉଚ୍ଚପଦାଧିକାରୀ ମାନେ ଏହି ବିଦ୍ୟାଳୟକୁ ପରିଭ୍ରମଣରେ ଆସୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ ଅଟେ । ଏଥି ପାଇଁ ଅଭିଭାବକମାନେ ସବୁ ବେଳେ ଚିନ୍ତାରେ ରହୁଛନ୍ତି । ଏହି ସମସ୍ୟାକୁ ନେଇ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀ ଗତ ବର୍ଷ ମାର୍ଚ୍ଚ ମାସରେ ବିଦ୍ୟୁତ୍ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳ,ବିଡ଼ିଓ ଏବଂ ବିଇଓ ଏଥିନେଇ ଅବଗତ କରାଇଥିଲେ । ଅଭିଯୋଗକୁ ଇତି ମଧ୍ୟରେ ଦେଢବର୍ଷ ବିତିଯାଇଥିଲେ ସୁଦ୍ଧା ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳନିର୍ଦ୍ଦେଶ କରୁଛି । ସରକାରୀ ସ୍ତରରେ ବିଦ୍ୟାଳୟଗୁଡ଼ିକର ଉନ୍ନତିକରଣ କରାଯାଉଥିଲେ ସୁଦ୍ଧା ସ୍କୁଲ ମାନଙ୍କର ସଠିକ ରକ୍ଷଣାବେକ୍ଷଣ କରିବା ଓ ଏକ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ସହ ଅଧ୍ୟୟନ କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବାରେ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେଲେ ଏହା ଶିକ୍ଷାର ମାନ ବୃଦ୍ଧି କରିବାରେ ସହାୟକ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି । ତେଣୁ ଚଳନ୍ତି ଶିକ୍ଷା ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ସହ ଏହା ଯେପରି ପ୍ରହସନରେ ପରିଣତ ନହୁଏ ସେଥି ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।