Photo For The News Of Road1

ରାସ୍ତାରେ ଧାନ ତଳି ରୋଇଲେ ବ୍ରାହ୍ମଣସାହି ଗ୍ରାମବାସୀ

State

ଆଗରପଡ଼ା :ବର୍ଷା ଆସିଲା କ୍ଷଣି ଗ୍ରାମବାସୀଙ୍କ ଆଖିରେ ଲୁହ ଆସିଥାଏ । ସେମାନେ ସାମାନ୍ୟ ମୈାଳିକ ସୁବିଧାରୁ ବଂଚିତ ହୋଇଥାନ୍ତି । ସ୍ୱାଧିନତାର ୭୬ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି ଏହି ସାହି । କେନ୍ଦ୍ର ସରକାର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମୌଳିକ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ଏହା କେବଳ କାଗଜ କଲମରେ ସୀମିତ ରହିଯାଇଛି । ଯାହାର ଉଦାହରଣ ପାଲଟିଛି ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ଗ୍ରାମ ଅର୍ନ୍ତଗତ ବ୍ରାହ୍ମଣସାହି । ଏହି ସାହିକୁ ଭଲ ରାସ୍ତାଟିଏ ନାହିଁ । ଉକ୍ତ ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ହୋଇନଥାଏ । ବଜାରକୁ ନ ଗଲେ ରୋଷେଇ ବନ୍ଦ,ପୁଣି ସ୍କୁଲ,କଲେଜକୁ ନ ଗଲେ ପାଠ ପଢା ବନ୍ଦ, ତେଣୁ ସମସ୍ତଙ୍କୁ ସବୁବେଳେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ହୋଇଥାଏ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ସ୍କୁଲକୁ, ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଧ୍ୟୟନ ପାଇଁ ଆସିଥାନ୍ତି । ଦମକଳ କିମ୍ବା ଆମ୍ବୁଲାନ୍ସ ଖବର ପାଇ ଆସିଲେ ମୁଖ୍ୟ ରାସ୍ତା ଉପରେ ହିଁ ରହିଥାଏ । ବର୍ତ୍ତମାନ ବର୍ଷାଋତୁ ଚାଲୁଥିବାରୁ ରାସ୍ତା ସମସ୍ୟା ଯୋଗୁଁ ଗ୍ରାମବାସୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ଗତ କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ଏହିପରି ହୋଇଛିଯେ ଗ୍ରାମବାସୀମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି ।

Photo For The News Of Road2

ପ୍ରଶାସନିକ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବାରୁ ଏହାର ପ୍ରତିବାଦରେ ଆଜି ଉକ୍ତ ସାହିର ସୁବ୍ରତ କର, ଚିକୁ ସାହୁ, ରଘୁନାଥ ରାଉତ, ପିଙ୍କୁ ପାଣିଗ୍ରାହୀ ଏବଂ ଚନ୍ଦନ ପତି ପ୍ରମୁଖ ସାହିବାସୀ ରାସ୍ତାରେ ଧାନ ତଳି ରୋଉ ଥିବାର ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ: ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଛିତ କର୍ମ ନିଯୁକ୍ତି ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମାଟି ଓ ମହରମରେ ଉକ୍ତ ରାସ୍ତା ନିର୍ମିତ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ଏହାକୁ ୫ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏଥିରେ କୌଣସି ଅଗ୍ରଗତି ହୋଇଥିବା ଜଣାପଡ଼ୁନାହିଁ । ତେଣୁ ଉକ୍ତ ସାହିକୁ ଏକ ସ୍ଥାୟୀ ରାସ୍ତା ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାହିବାସୀ ଦାବି କରିଛନ୍ତି ।