Img 20240823 Wa0232

ଜିଲ୍ଲାରେ ପିଭିଟିଜି ମାନଙ୍କ ପାଇଁ ଆରମ୍ଭ ହେଲା ପିଏମ୍-ଜନମନ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ

State

*

*ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ ମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ପାଇଁ ପିଏମ୍-ଜନମନ*

*ଆଦିବାସୀ ମାନଙ୍କ ସାମାଜିକ-ଅର୍ଥନୈତିକ କଲ୍ୟାଣ ପାଇଁ ସୂଚନା ସହିତ ଏହାର ପରିପୃଷ୍ଠତା ମଧ୍ୟ ଏକାନ୍ତ ଆବଶ୍ୟକ: ଜିଲ୍ଲାପାଳ*
……………………………………………………………………………………………..
ବାରିପଦା: ୨୩.୦୮.୨୦୨୪// ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ପିଭିଟିଜି ମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖି, କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ପିଏମ୍-ଜନମନ ଯୋଜନା । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ଆଗାମୀ ୨୦ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପିଭିଟିଜିଙ୍କ ପାଇଁ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ। ଏହାକୁ ଜନାଭିମୁଖୀ କରିବାପାଇଁ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ସମସ୍ତ ବିଭାଗୀୟ ଅଧିକାରୀ ବିଶେଷ କରି ଅନୁସୂଚିତ ଜନଜାତି ଓ ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି ବିଭାଗରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର, ସ୍ଥାନୀୟ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷରେ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଜିଲ୍ଲାର ସମସ୍ତ ପ୍ରକଳ୍ପ ପ୍ରଶାସକ ମାନଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନାର କାର୍ଯ୍ୟକାରିତା ବିଷୟରେ ପର୍ଯ୍ୟାଲୋଚନା କରିଥିଲେ। ସୂଚନାନୁସାରେ, ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନାରେ ସମୁଦାୟ ୧୪ଟି ବ୍ଲକର ୬୭ଟି ଗାଁ ଅନ୍ତର୍ଭୁକ୍ତ ଅଟନ୍ତି। ଏଣୁ ସମଗ୍ର ଜିଲ୍ଲାରେ ପିଏମ୍-ଜନମନ ଯୋଜନାକୁ କାର୍ଯ୍ୟକାରୀ କରି ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ମାଧ୍ୟମରେ ଏହି ସମସ୍ତ ଗାଁ ଗୁଡିକୁ ପରିପୃଷ୍ଠ କରିବାପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ ରଖିଛି। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅନିତା ଏହି ଯୋଜନାରେ ୨୩ ଅଗଷ୍ଟ ଠାରୁ ଆସନ୍ତା ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ପିଏମ୍-ଜନମନ-ସୂଚନା, ଶିକ୍ଷା ଏବଂ ଯୋଗାଯୋଗ କାର୍ଯ୍ୟକ୍ରମ ସମସ୍ତ ପିଭିଟିଜି ଗ୍ରାମ ମାନଙ୍କରେ ଚାଲିବ। ଜିଲ୍ଲାରେ ମୁଖ୍ୟତଃ ଲୋଧା, ଖଡ଼ିଆ ଏବଂ ମାଙ୍କଡ଼ିଆ ପ୍ରମୁଖ ବିଶେଷ ଭାବରେ ଅନୁନ୍ନତ ଆଦିବାସୀ ଗୋଷ୍ଠୀ ଥିବା ବେଳେ ଏହି ଗୋଷ୍ଠୀ ମାନଙ୍କ ଜୀବନ ଜୀବିକା ଏବଂ ଜୀବନଶୈଳୀକୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏହି ଯୋଜନାକୁ ସମସ୍ତ ହିତାଧିକାରୀ ମାନଙ୍କ ଘରେ ଘରେ ପ୍ରଚାର ଓ ପ୍ରସାର କରିବା ହେଉଛି ପ୍ରଶାସନର ଲକ୍ଷ୍ୟ। ଜିଲ୍ଲାରେ ପିଏମ-ଜନମନ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗୁରୁତ୍ୱାରୋପ କରାଯିବ ଏବଂ ପିଭିଟିଜି ପରିବାର ଏବଂ ଘର ଗୁଡ଼ିକୁ ସୁରକ୍ଷିତ ଆବାସ, ବିଶୁଦ୍ଧ ପାନୀୟ ଜଳ ଏବଂ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଷଣ, ବିଦ୍ୟୁତ୍, ସଡ଼କ ଏବଂ ଟେଲିକମ୍ ଯୋଗାଯୋଗ ଭଳି ମୌଳିକ ସୁବିଧା ପ୍ରଦାନ କରି ପିଭିଟିଜିର ସାମାଜିକ-ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ବୋଲି ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ। ଜିଲ୍ଲାପାଳ ଏହା ମଧ୍ୟ କହିଥିଲେଯେ, ଚିହ୍ନଟ ହୋଇଥିବା ଏହି ସମସ୍ତ ଗାଁ ମାନଙ୍କରେ ବର୍ତ୍ତମାନ ଜଙ୍ଗଲ ଅଧିକାର ଆଇନ (FRA) ପଟ୍ଟା ବଣ୍ଟନ, ରାସନ କାର୍ଡ ବଣ୍ଟନ, ସହିତ ଆଧାର କାର୍ଡରେ ଯେଉଁ ଅମୂଳକ ଭୁଲ ହୋଇଛି ସେ ସମସ୍ତ କାର୍ଯ୍ୟକୁ ତୁରନ୍ତ ସଠିକ କରିବା ପାଇଁ ପ୍ରଶାସନ କାର୍ଯ୍ୟ କରୁଛି । ସର୍ବୋପରି ଏହା ଆଦିବାସୀ ମାନଙ୍କ ଉନ୍ନତି ପାଇଁ ମହା ଅଭିଯାନ, ଏଣୁ ଜିଲ୍ଲାପାଳ ସମସ୍ତ ଜନସାଧାରଣ ପ୍ରତିନିଧି ମାନଙ୍କୁ ମଧ୍ୟ ଏହି ଯୋଜନାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଆଜିର ଏହି ବୈଠକରେ, ITDA କପ୍ତିପଦା, ପ୍ରକଳ୍ପ ପ୍ରଶାସକ ଶ୍ରୀ ନରେନ୍ଦ୍ର ଖମାରି, ITDA କରଞ୍ଜିଆ ପ୍ରକଳ୍ପ ପ୍ରଶାସକ ଶ୍ରୀ ପ୍ରବୀଣ କୁମାର ବାଣୁଆ, ITDA ରାଇରଙ୍ଗପୁର, ପ୍ରକଳ୍ପ ପ୍ରଶାସକ, ଶ୍ରୀ ପରୀକ୍ଷିତ ଦାଶ, ITDA ବାରିପଦା, ପ୍ରକଳ୍ପ ପ୍ରଶାସକ ଶ୍ରୀ ପ୍ରଣୟ କୁମାର ବେହେରା ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।