Photo For The News Of Krisi Office

ସ୍ୱଚ୍ଛଭାରତ ବାଟବଣା, ଅଫିସ ପାଲଟିଲାଣି ଜଙ୍ଗଲ

State

ଆଗରପଡ଼ା :ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ଆଗରପଡ଼ା ଠାରେ ଥିବା ସରକାରୀ କାର୍ଯ୍ୟାଳୟ ବର୍ତ୍ତମାନ ସଂରକ୍ଷିତ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହିପରି ନମୁନା ଦେଖିବାକୁ ମିଳିଛି ଆଗରପଡ଼ା କୃଷି କାର୍ଯ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ଲୋକମାନେ ଯାଆଆସ କରିଥାନ୍ତି । କୃଷି କାର୍ଯ୍ୟାଳୟ ପରିସରରେ ଅନାବନା ଗଛ ଭର୍ତ୍ତି ହୋଇଥିଲେ ସୁଦ୍ଧା ଏହାକୁ କାଟି ସଫା କରିବା ପାଇଁ ବିଭାଗୀୟ କର୍ମଚାରୀମାନେ ଦୃଷ୍ଟି ନଦେବାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷଭାବ ସୃଷ୍ଟି ହୋଇଛି । ସ୍ଥାନୀୟ ଅଂଚଳର ଚାଷୀମାନେ ବିଭିନ୍ନ ସମୟରେ ଏହି କାର୍ଯ୍ୟଳୟକୁ ବିଭିନ୍ନ ଉଦ୍ଦେଶ୍ୟ ରଖି ଆସିଥାନ୍ତି । ମାତ୍ର କାର୍ଯ୍ୟାଳୟ ପ୍ରବେଶ ପଥ ଉଭୟ ପାଶ୍ୱର୍ରେ ନାନାଦି ଅନାବନା ଗଛ ଉଠି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଏଥି ମଧ୍ୟରେ ବିଷଧର ସାପମାନେ ରହିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ବିଶେଷ କରି ସାପ ଭୟରେ ଚାଷୀମାନେ ଏହି କାର୍ଯ୍ୟାଳୟକୁ ଆସିବା ପାଇଁ ନାପସନ୍ଦ କରୁଛନ୍ତି । ସେହିପରି ଉକ୍ତ କାର୍ଯ୍ୟାଳୟର ପ୍ରବେଶ ପଥରେ ବଜାର ଅଂଚଳରେ ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ପାଣି ଜମି ରହି ଅପରିଷ୍କାର ପରିବେଶ ସୃଷ୍ଟି କରିବା ସହ ଡ଼େଙ୍ଗୁକୁ ଆମନ୍ତ୍ରଣ କରୁଥିବାରୁ ସରକାରଙ୍କ ସ୍ୱଚ୍ଛଭାରତ ଅଭିଯାନ ଏଠାରେ ସଂପୂର୍ଣ୍ଣ ବାଟବଣା ହୋଇପଡ଼ିଛି । ସେହିପରି ଆଗରପଡ଼ାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି ।

ତେଣୁ ଚାଷୀଙ୍କ ବୃହତ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ତରଫରୁ ଏଠାରେ ଏକ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ଓ ଏହାର ଦାଇତ୍ୱ ସହ କୃଷି ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ଇତି ମଧ୍ୟରେ ଉକ୍ତ କୃଷି କାର୍ଯ୍ୟାଳୟ ପ୍ରତିଷ୍ଠାକୁ ୫୦ରୁ ଅଧିକ ବର୍ଷ ବିତି ଯାଇଥିଲେ ସୁଦ୍ଧା ବର୍ତ୍ତମାନ ଏହା ଚାଷୀଙ୍କ ଯେତିକି ସୁବିଧା ଯୋଗାଇବା କଥା ତାହା ଯୋଗାଇପାରୁନାହିଁ ଅଭିଯୋଗ ହେଉଛି । ନା ସହକାରୀ କୃଷି ଅଧିକାରୀ ନା କର୍ମଚାରୀ କେହିବି ଏଠାକୁ ଆସୁଛନ୍ତି । ଜଣେ ମାତ୍ର କର୍ମଚାରୀ (ଡ଼ାଟା ଏଣ୍ଟ୍ରି ଅପରେଟର)ରେ ଉକ୍ତ କାର୍ଯ୍ୟାଳୟ ଚାଲିଛି । ତେଣୁ ଚାଷୀ ତାର ମୌଳିକ ସୁବିଧା ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇ ବ୍ଲକ କାର୍ଯ୍ୟାଳୟ ଉପରେ ନିର୍ଭର କରୁଛି । ଅଧିକାଂଶ ସମୟରେ ମୌଳିକ ସୁବିଧାରୁ ବଂଚିତ ମଧ୍ୟ ହେଉଛି । ଖରିଫ ଋତୁ ଏବଂ ରବି ଋତୁରେ ଉକ୍ତ କାର୍ଯ୍ୟାଳୟରୁ ସମସ୍ତ ପ୍ରକାର ଚାଷ ଉପକରଣ ସାମଗ୍ରୀ ଯେପରିକି ଟ୍ରାକ୍ଟର, ପାୱାର ଟିଲର, ବିଷପକା ମେସିନ ଓ କୃଷି ଯନ୍ତ୍ରପାତି ସମେତ ଧାନ, ମୁଗ, ବିରି, ବାଦାମ, ସୂର୍ଯ୍ୟମୁଖୀ, ସୋରିଷ, ଗହମ ବିହନ ଇତ୍ୟାଦି ସରକାରଙ୍କ ଦ୍ୱାରା ପ୍ରଦତ୍ତ ରିହାତି ମୂଲ୍ୟରେ କ୍ରୟ କରିଥାନ୍ତି । କିନ୍ତୁ କିଛି ବର୍ଷ ହେବ ଉକ୍ତ କାର୍ଯ୍ୟାଳୟଟି ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । ଏହାର ପାରିପାଶ୍ୱିର୍କ ପରିସ୍ଥିତିରେ କୌଣସି ଉନ୍ନତି ହେଉନାହିଁ । ଚାଷୀଙ୍କୁ ସେମାନଙ୍କ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଥିବା ଖବର ଗତ ସେପ୍ଟେମ୍ବର ମାସରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶକୁ ଇତି ମଧ୍ୟରେ ୧ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଉପରୋକ୍ତ ସମସ୍ୟାର ଶୀଘ୍ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଚେଷ୍ଟିତ ହେବାକୁ ଦାବି ହେଉଛି । ଅପରପକ୍ଷରେ ଜିଲ୍ଲାର ପ୍ରତି ବ୍ଳକରେ ଗୋଟିଏ ଲେଖାଏଁ କୃଷି କାର୍ଯ୍ୟାଳୟ ଥିବାରୁ ବନ୍ତ ବ୍ଲକର ବନ୍ତ ଠାରେ କାର୍ଯ୍ୟାଳୟ ଥିବା ହେତୁ ଆଗରପଡ଼ାରେ କାର୍ଯ୍ୟାଳୟର କୌଣସି ଆବଶ୍ୟକତା ନଥିବାରୁ ଏହାର ଉନ୍ନତି ପ୍ରତି ବିଭାଗ ଦୃଷ୍ଟି ଦେଉନଥିବା ଜଣାପଡ଼ିଛି । ତେଣୁ ଆଗରପଡ଼ା ଅଂଚଳର ଗୁରୁତ୍ୱକୁ ବିଚାରକୁ ନେଇ କୃଷି କାର୍ଯ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।