Patali Srikhetra 1cdec9f1 497b 4b70 8925 2fbb56024e2 Resize 750

ପାତାଳି ଶ୍ରୀକ୍ଷେତ୍ରରେ କବାଟ ଓ ହୁଣ୍ଡି କାଟିଲେ; ପାଟଶାଢ଼ି, ଟଙ୍କା ଚୋରି କଲେ ଦୁର୍ବୃତ୍ତ

State

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରରେ ବୁଧବାର ରାତି ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। କବାଟ କାଟି ମହାପ୍ରଭୁଙ୍କ ହୁଣ୍ଡିରୁ ଟଙ୍କା ଲୁଟିବାନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି।
ପାତାଳି ଶ୍ରୀକ୍ଷେତ୍ରର ପୂଜକ ଗୁଣାକାର ପଣ୍ଡା ଆଜି ସକାଳୁ ଅନ୍ୟ ଦିନ ପରି ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପାଇଁ ଯାଇଥିଲେ। ମନ୍ଦିରରେ ପହଞ୍ଚିଲା ପରେ ଶ୍ରୀ ପଣ୍ଡା ଦେଖିଲେ ଯେ, ଜିନିଷ ପତ୍ର ଅସଜଡ଼ା ହୋଇ ପଡ଼ିଛି। ପରେ ସେ ଜାଣିବାକୁ ପାଇଲେ ଯେ, ମହାପ୍ରଭୁଙ୍କ ପାଟଶାଢ଼ି ଓ ‌ଭକ୍ତଙ୍କ ଦ୍ବାରା ଅର୍ପଣ କରାଯାଇଥିବା ଟଙ୍କା ସହିତ ଅନ୍ୟ ସାମଗ୍ରୀ ଚୋରି ହୋଇଛି। ଘଟଣା ସଂପର୍କରେ ସେ ପ୍ରଥମେ ମନ୍ଦିର କମିଟିକୁ ସୂଚନା ଦେଇଥିଲେ। ‌ପରେ ଏହି ଘଟଣା ନେଇ ବୀରମହାରାଜପୁର ଥାନାରେ ଏତଲା ଦେଇଥିଲେ।
ବୀରମହାରାଜପୁର ଥାନା ଅଧିକାରୀ ଶୋଭାକର ସେଟ୍‌ କହିଛନ୍ତି, ଦୁର୍ବୃତ୍ତମାନେ ପ୍ରଭୁଙ୍କର ପାଟଶାଢ଼ି, ଟଙ୍କା ସହିତ ଆମ୍ପ୍ଲିଫାୟାର ଚୋରି କରିଛନ୍ତି। ସାଇଣ୍ଟିଫିକ ଦଳ ସହ ସନ୍ଧାନୀକୁକୁର ସହାୟତାରେ ଘଟଣାର ତଦନ୍ତ କରାଯାଇଛି। କିନ୍ତୁ ଚୋରି ନେଇ କୌଣସି ସୁରାକ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ପାତାଳି ‌ଶ୍ରୀକ୍ଷେତ୍ରରେ ଚୋରି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଦୁଇରୁ ତିନି ଥର ଚୋରି ହୋଇଛି। ଚୋରି ପରେ ଥାନାରେ ଏତଲା ହେଉଛି। କିନ୍ତୁ ଚୋରଙ୍କୁ ଠାବ କରିବାରେ ପୁଲିସ ବିଫଳ ହେଉଛି। ଚୋରି ଘଟଣା ବାରମ୍ବାର ନହେବା ପାଇଁ ପଦକ୍ଷେପ ନିଆଯାଉ ନାହିଁ। ପ୍ରତିଦିନ ଭକ୍ତ ଦର୍ଶନ ପାଇଁ ଆସୁଥିଲେ ହଁ ଏଠାରେ ସିସିଟିଭି କିମ୍ବା ସୁରକ୍ଷା ବ୍ୟବସ୍ଥା କରା ଯାଉନାହିଁ। ପାହାଡ଼ ଉପରେ ପ୍ରଭୁ ଜଗନ୍ନାଥ ରହୁ ଥିଲେ ବି ପ୍ରଶାସନ ତରଫରୁ ଜଗୁଆଳିର ବ୍ୟବସ୍ଥା କରାଯାଉ ନାହିଁ। ଆଜି ଭକ୍ତଙ୍କ ମନରେ ଚୋରି ଘଟଣା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏଠାରୁ ବର୍ଷ ତମାମ ଲକ୍ଷାଧିକ ଟଙ୍କା ଆୟ ହେଉ ଥିବା ବେଳେ ଏହାର ସଦ୍‌ବିନିଯୋଗ କରାଯାଉ ନ ଥିବା ଅଂଚଳବାସୀ ଅଭିଯୋଗ କରୁଛନ୍ତି। ପାତାଳି ଶ୍ରୀକ୍ଷେତ୍ରରେ ବାରମ୍ବାର ଚୋରି ଘଟଣା ଜଗନ୍ନାଥଙ୍କ ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି।