Mkg Naxal Surrender

୫ ଲକ୍ଷ ଘୋଷିତ ନକ୍ସଲ କମାଣ୍ଡରର ଆତ୍ମସମର୍ପଣ

State

ମାଲକାନଗିରି: ଛତିଶଗଡ ପୁଲିସ ନିକଟରେ ଆଉ ଜଣେ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛି। ଧମତରି ଜିଲ୍ଲା ଏସପି ଅଞ୍ଜନେୟ ବୈଷ୍ଣଙ୍କ ସମ୍ମୁଖରେ ସଂଗଠନର ଡେପୁଟି କମାଣ୍ଡର ଅଜୟ ଆତ୍ମସମର୍ପଣ କରିଛି। ଅଜୟକୁ ୨୬ ବର୍ଷ ହୋଇଥିବା ବେଳେ କାଂକେର ଜିଲ୍ଲା ବାସିନ୍ଦା। ୨୦୧୦ରେ ବାଲ ସଂଘମ ସଦସ୍ୟ ରୂପେ କାମ କରୁଥିଲା। ୨୦୧୭ରେ ଖଲ୍ଲାରୀ ଗ୍ରାମର ଜଣେ ଗ୍ରାମବାସୀକୁ ହତ୍ୟା କରି ଚର୍ଚାକୁ ଆସିଥିଲା। ୨୦୧୮ ମସିହାରେ ପୁଲିସ ଉପରେ ଆକ୍ରମଣ ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ବୋମା ଖଞ୍ଜିଥିଲା। ୨୦୨୦ରେ ମେଚକା ଗ୍ରାମର ଜଣେ ବ୍ୟକ୍ତିକୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା। ୨୦୨୧ରେ ମଧ୍ୟ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛି।
ଦୀର୍ଘ ବର୍ଷ ଧରି ସଂଗଠନରେ କାମ କରିବା ପରେ ସରକାରଙ୍କ ଆତ୍ମନିର୍ଭରଶୀଳ ଯୋଜନାରେ ପ୍ରଭାବିତ ହୋଇ ସେ ଆତ୍ମସମର୍ପଣ କରିଥିବା କହିଛି। ସରକାର ଅଜୟ ନାମରେ ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସଂଗଠନରେ ଭେଦଭାବ, ନିର୍ଯାତନା ସହ ତେଲୁଗୁ କ୍ୟାଡରଙ୍କ ଦବଦବା ଯୋଗୁଁ ସଂଗଠନରୁ ବହୁ ନକ୍ସଲ ମୁହଁ ଫେରାଉଥିବା ଅଜୟ କହିଛି। ତେବେ ପୁଲିସ ତରଫରୁ ଅଜୟକୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ।