Img 20240815 Wa0242

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୁସ୍ତକ ଲୋକାର୍ପଣ ଉତ୍ସବ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦ ଦ୍ୱାରା ଏକ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କବି କିପରି ସମୟର ଶବ୍ଦ ଓ ଭାବର ତରଙ୍ଗରୁ କବିତାର ସୃଜନ କରେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ରଚିତ ଦୁଇଟି ସମାଲୋଚନା ପୁସ୍ତକ ଯଥା “ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟଧାରା” ଓ “ସମୀକ୍ଷା ସୌରଭ” ଏବଂ କବୟିତ୍ରୀ ଦୀପ୍ତି ମିଶ୍ରଙ୍କ କବିତା ଗ୍ରନ୍ଥ “ଉପହାର”କୁ କୁଳପତି ପ୍ରଫେସର ତ୍ରିପାଠୀ ଉନ୍ମୋଚନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ ତଥା ସୁନାମଧନ୍ୟ କବି ପିନାକୀ ମିଶ୍ର ଯୋଗଦାନ କରି ନିଜ ବକ୍ତବ୍ୟରେ କବିତା କିପରି ଦୁଃଖ ମଧ୍ୟରେ ଆନନ୍ଦ ଦେଇପାରେ ତାହା ତୋଳିଧରିଥିଲେ । କବିତା ଗ୍ରନ୍ଥର ସମୀକ୍ଷକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ କବି ଡ. ନୀଳକଣ୍ଠ ମିଶ୍ର କବିତାଗୁଡ଼ିକର ଭାବ ଓ ଭାଷା ଦୃଷ୍ଟିରୁ ଚମତ୍କାର ସମୀକ୍ଷା କରିଥିଲେ ।

ସେହିପରି ସମାଲୋଚନା ଗ୍ରନ୍ଥଦ୍ୱୟର ସମୀକ୍ଷକ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଜଗତବନ୍ଧୁ ଆଚାର୍ଯ୍ୟ ଲେଖକଙ୍କର ସମାଲୋଚନାର ବ୍ୟାପକତା ଦିଗରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । କବୟିତ୍ରୀ ଦୀପ୍ତି ମିଶ୍ର ନିଜ ବକ୍ତବ୍ୟର ତାଙ୍କ କବିତା ସୃଜନର ପ୍ରେରଣା ଓ ଭାବ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପରିଷଦର ସମ୍ପାଦକ ଡ. ବିଚିତ୍ରନାଥ ସାହୁ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ । ଏ ଅବସରରେ ଡ. ରମାକାନ୍ତ ମହାନ୍ତଙ୍କ ରଚିତ ଓ ଝୁମର ଗାୟିକା ବିନ୍ଦୁମତି ମହାନ୍ତଙ୍କ କଣ୍ଠସ୍ୱରରେ ପରିବେଷିତ ପରିବେଶ ସୁରକ୍ଷା ସମ୍ପର୍କିତ “ଏକ୍‌ ପେଡ଼୍‌ ମା’ କେ ନାମ୍‌” ସଙ୍ଗୀତକୁ କୁଳପତି ପ୍ରଫେସର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ଓଡ଼ିଆ ବିଭାଗର ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ସଙ୍ଗୀତ ଓ ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଆ ବିଭାଗର ଅଧ୍ୟାପକ ରାଜକୁମାର ପାତ୍ର, ହୃଷୀକେଶ ମହାନ୍ତ ଓ ଅଧ୍ୟାପିକା ବିନ୍ଧେଶ୍ୱରୀ କଲିଆ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜର ଅନେକ ମାନ୍ୟଗଣ୍ୟ ସାହିତ୍ୟିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।