Img 20240815 Wa0366

ବାରିପଦାରେ ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

State

ଜାତୀୟ ପତାକା ଉତ୍ତୋଳନ ଓ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ

ମୟୂରଭଞ୍ଜ ପ୍ରଶାସନ ସର୍ବଦା ଜିଲ୍ଲାବାସୀଙ୍କ ହିତ ପାଇଁ କାର୍ଯ୍ୟରତ: ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି

ବାରିପଦା : ମୟୂରଭଞ୍ଜ ସଦର ମହକୁମା ବାରିପଦା ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ୭୮ତମ ସ୍ୱାଧୀନତା ଦିବସ। ଏହି ଅବସରରେ ସମ୍ମାନନୀୟ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀ ଶ୍ରୀ ହେମ କାନ୍ତ ସୟ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ, ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ, ଉଦବୋଧନ,ପୁରସ୍କାର ବିତରଣ ଓ ବିବିଧ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ. ସୁଶ୍ରୀ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥିଙ୍କୁ ରିଜର୍ବ ପୋଲିସ ପରେଡ ପଡିଆ ମଂଚ ଉପରକୁ ପାଛୋଟି ଆଣିଥିଲେ। ଜିଲ୍ଲାପାଳ ଶ୍ରୀ ସୟ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ପୋଲିସ ବ୍ୟାଣ୍ଡ ଦ୍ୱାରା ପରିବେଷିତ ରାଷ୍ଟ୍ରୀୟ ସଂଗୀତ ଏବଂ ତତ୍ପରେ ରିଜର୍ବ ପୋଲିସ ନିରୀକ୍ଷକ ତଥା କମାଣ୍ଡର ଶ୍ରୀ କବିରଞ୍ଜନ ସେଠୀଙ୍କ ଦ୍ଵାରା ପରିଚାଳିତ ପରେଡରେ, ପୋଲିସ, ହୋମ୍ଗାର୍ଡ, ସମର ଶିକ୍ଷାର୍ଥୀ ବାହିନୀ, ରେଡ଼-କ୍ରସ, ଜାତୀୟ ସେବା ଯୋଜନା, ସ୍କାଉଟ୍ ଏବଂ ଗାଇଡ୍ ଓ ସିଭିଲିଆନ ସମେତ ୪୪ ଗୋଟି ଟ୍ରୁପ ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇ ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପାଦନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମୟୂରଭଞ୍ଜର ଇତିହାସ, ବ୍ରିଟିଶ ଶାସନ ସମୟରେ ଗଢି ଉଠିଥିବା ମୟୂରଭଞ୍ଜ ପ୍ରଜା ଆନ୍ଦୋଳନ, ସ୍ୱାଧୀନତା ପାଇଁ ତତ୍କାଳ ଭଞ୍ଜ ପ୍ରଶାସନର ମହତ୍ୱ ଏବଂ ଜିଲ୍ଲା ତଥା ରାଜ୍ୟରେ ଭଞ୍ଜ ପ୍ରଶାସନର ଗାରିମା, ଓଡ଼ିଆ ସାହିତ୍ୟ, ଶିକ୍ଷା ଓ ସଂସ୍କୃତିକୁ ମୟୂରଭଞ୍ଜର ଅବଦାନ, ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦାର ଯଶଃକୀର୍ତ୍ତି ବିଷୟରେ କହିଥିଲେ। ଏଥିସହିତ ଜିଲ୍ଲାରେ ପ୍ରଶାସନ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକଳାପ ଏବଂ ଯୁଗଉପଯୋଗୀ କାର୍ଯ୍ୟ ସମସ୍ତ ବିଷୟରେ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେ । ଜିଲ୍ଲାପାଳ ଏହା ମଧ୍ୟ କହିଥିଲେ ଯେ କୃଷି କଲ୍ୟାଣ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଦିଗରେ ମୟୂରଭଞ୍ଜ ପ୍ରଶାସନ ସଦାସର୍ବଦା କାର୍ଯ୍ୟରତ ରହିବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ବର୍ଗରେ ଛାତ୍ର ଛାତ୍ରୀ ଓ କ୍ରୀଡ଼ାବିତ ମାନଙ୍କୁ ପୁରସ୍କୃତ କରିଥିଲା। ମୟୂରଭଞ୍ଜ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଉଚ୍ଚବିଦ୍ୟାଳୟ ସମୂହ ମଧ୍ୟରେ ଚଳିତ-୨୦୨୪ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ରୀ କବିତା ସୋରେନଙ୍କୁ ଗୁଣିଲତା ରତିକାନ୍ତ ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଥିଲା।

ମୟୂରଭଞ୍ଜ ଜିଲ୍ଲାରେ ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ସାର୍ଟିଫିକଟେ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କୃତି ଛାତ୍ର: ସୁଭବ୍ରତ ନାୟକ, ଛାତ୍ରୀ: ଜ୍ୟୋତିକା ମହାପାତ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ୟାରେଡ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ସେହିପରି, ଶ୍ରେଷ୍ଠ କ୍ରୀଡ଼ାବିତ ଭାବରେ ବିରାମ ଟୁଡୁ (ଉଷୁ), ସନ୍ଧ୍ୟାରାଣୀ ଟୁଡୁ(ରଗବି)., ଡୁମୁନି ମାର୍ଣ୍ଡି (ରଗବି) ଓ ବାସନ୍ତୀ ହାଁସଦା (ଦିବ୍ୟାଙ୍ଗ କ୍ରିକେଟ)ଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ଯାଇଥିଲା। ଦିବସରେ ହୋଇଥିବା ପ୍ୟାରେଡ଼ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ଏନସିସି ଓ ଏନଏସଏସ ବର୍ଗ ରେ ଏମ.ପି.ସି. (ସ୍ବୟଂଶାସିତ) ମହାବିଦ୍ୟାଳୟ (ବରିଷ୍ଠ) ଶ୍ରେଷ୍ଠ ଦଳ ହୋଇଥିବା ବେଳେ ସ୍କାଉଟ୍ ଏବଂ ଗାଇଡ୍ ରେ ସେଣ୍ଟ ଆନି କନଭେନ୍ଟ ସ୍କୁଲ, ରେଡ଼-କ୍ରସ ରେ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସିଭିଲିଆନରେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ପୁରସ୍କୃତ ହୋଇଥିଲେ। ସମ୍ମିଳିତ ପ୍ୟାରେଡ ରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ମିଷ୍ଟାନ୍ନ ଦିଆ ଯାଇଥିବା ବେଳେ ମୁଖ୍ୟଅତିଥିଙ୍କ ଦ୍ୱାରା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ମୟୂରଭଞ୍ଜ ଏବଂ ମୟୂରଭଞ୍ଜ ମାରୱାଡି ମଂଚଙ୍କ ତରଫରୁ ଉତ୍କଳ ବଳାଶ୍ରମର ଅନ୍ତେବାସୀଙ୍କୁ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭିନ୍ନକ୍ଷମ ସ୍ଵତନ୍ତ୍ର ବିଦ୍ୟାଳୟର ଅନ୍ତେବାସୀଙ୍କୁ ଫଳ, ବିସ୍କୁଟ, ମିଷ୍ଟାନ୍ନ ଓ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଇନର ହୁଇଲ କ୍ଲବ, ବାରିପଦାଙ୍କ ତରଫରୁ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ (ପି.ଆର.ଏମ.) ମେଡିକାଲ କଲେଜ ଓ ହସ୍ପିଟାଲର ଅନ୍ତେବାସୀ ରୋଗୀ ଫଳ-ବିସ୍କୁଟ ଓ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା। ପ୍ରତିଶ୍ରୁତି ପ୍ରତିଷ୍ଠାନ, ବାରିପଦାଙ୍କ ତରଫରୁ ଅପରାହ୍ନ ୨:୦୦ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବହୁଭାଷୀ କବି ସମ୍ମିଳନୀର ଆୟୋଜନ କରାଯାଇଥିଲା। ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ଓ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା। ଦିବସର ସମସ୍ତ କାର୍ଯ୍ୟକ୍ରମ ସୁ-ପରିଚାଳନା ପାଇଁ ଅଧିକ୍ଷଣ ଯନ୍ତ୍ରୀ,ପୂର୍ତ୍ତ ବିଭାଗ, ମୟୂରଭଞ୍ଜ, ବାରିପଦା, ରିଜର୍ଭ ପୋଲିସ ପ୍ୟାରେଡ ପଡିଆରେ ସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୟୂରଭଞ୍ଜ ଓ ରିଜର୍ଭ ଇନ୍ସପେକ୍ଟର ଅଫ ପୋଲିସ, ବାରିପଦା ଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିଲା। ଇତ୍ୟବସରରେ, ଶିକ୍ଷାନବୀଶ, ସୁଶ୍ରୀ ଆଁଶନି ଏ. ଏଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଶ୍ରୀ ରଜନୀକାନ୍ତ ସ୍ୱାଇଁ ଙ୍କ ସମେତ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର , ଅତିରିକ୍ତ ଜିଲ୍ଲାପାଳ ରାଇରଙ୍ଗପୁର, ଶ୍ରୀ ଦୌଲତ ଚନ୍ଦ୍ରକାର , ବାରିପଦା ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ଅତିରିକ୍ତ ଉନ୍ନୟନ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀ ଶାନ୍ତନୁ ନାୟକ, ବାରିପଦା ଡେପୁଟି କଲେକ୍ଟର (ଇଲେକ୍ସନ), ଶ୍ରୀ ଦୁର୍ଗା ଚରଣ ମୁର୍ମୁ,ଡେପୁଟି କଲେକ୍ଟର, ଶ୍ରୀ ବିଶ୍ୱଜିତ ପଣ୍ଡା , ଡେପୁଟି କଲେକ୍ଟର, ଡଃ ଶୁଭଙ୍କରୀ ସ୍ୱଦେଷ୍ଣ ଦାଶ , ଡେପୁଟି କଲେକ୍ଟର, ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ସହକାରୀ ଜିଲ୍ଲାପାଳ, ଶ୍ରୀ ନିହାର ରଞ୍ଜନ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ବନ୍ଧୁତ୍ଵପୂର୍ଣ୍ଣ ଫୁଟବଲ ମ୍ୟାଚ ଜିଲ୍ଲାପାଳ ଏକାଦଶ ବନାମ ଜିଲ୍ଲା ମୟୂରଭଞ୍ଜ ଅଠେଲେଟିକ ଆସୋସିଏସନ ଏକାଦଶ ମଧ୍ୟରେ ବାରିପଦା ଷ୍ଟାଡିଅମ ଠାରେ ଆୟୋଜନ କରା ଯାଇଥିଲା ଜାତୀୟ ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସନ୍ଧ୍ୟା ୭:୦୦ ଘଟିକା ସମୟରେ ସହିଦ ସ୍ମୃତି ଭବନ ଠାରେ ପୁରସ୍କାର ବିତରଣୀ ସମାରୋହ ଓ ଦେଶାତ୍ମବୋଧକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ ଦିବସର କାର୍ଯ୍ୟକ୍ରମ ମାନଙ୍କୁ ପରିଚାଳନା, ସଂରଚନା ଓ ସଂଯୋଜନା ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ନିର୍ବାହ ଓ କାର୍ଯ୍ୟକାରୀ କରିଥିଲେ।