Money 1

୩ ହଜାର ନିଅ ବାଥରୁମରେ ଶୀଘ୍ର ଡୋର୍‌ ଲଗାଅ: ପରିବହନ ମନ୍ତ୍ରୀ

State

ବ୍ରହ୍ମପୁର: ସିଧା ମାଡି ଆସିଲେ କାର୍ଯ୍ୟାଳୟ ଭିତରକୁ । ତନ୍ନ ତନ୍ନ କରି ସବୁଆଡ ଯାଞ୍ଚ କଲେ । ପଚାରିଲେ ବିଭିନ୍ନ ପ୍ରଶ୍ନ । ଆମେ କହୁଛୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କଥା । ବ୍ରହ୍ମପୁର ସ୍ଥିତ ଓଏସଆରଟିସି କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ‌। ଓଏସଆରଟିସି କାର୍ଯ୍ୟାଳୟରେ ପହଞ୍ଚି ସେଠାରେ କିଭଳି କାମ କରୁଛନ୍ତି କର୍ମଚାରୀମାନେ ତାହାର ତଦାରଖ କଲେ ।

ଓଏସଆରଟିସି କାର୍ଯ୍ୟାଳୟରେ ଏକ ଘରୋଇ କୋଚିଂ ସେଣ୍ଟରକୁ ଦେଖି ଅସନ୍ତୋଷ ପ୍ରକାଶ କଲେ ପରିବହନ ମନ୍ତ୍ରୀ । ଖାତା ଖତିଆନ ସବୁ ଯାଞ୍ଚ କଲେ । କର୍ମଚାରୀ ମାନଙ୍କ ସଂଖ୍ୟା ଓ ସେମାନଙ୍କ ଉପସ୍ଥିତିକୁ ପ୍ରଶ୍ନ କଲେ । ଏହାପରେ ଓଏସଆରଟିସି କାର୍ଯ୍ୟାଳୟର ଡିଭିଜନାଲ ମ୍ୟାନେଜରଙ୍କ ଚ୍ୟାମ୍ବର ମଧ୍ୟରେ ଥିବା ବାଥରୁମରେ କବାଟ ନଥିବା ଦେଖିବାକୁ ପାଇଥିଲେ ମନ୍ତ୍ରୀ । କବାଟ ନଲଗାଇ ଏକ ଡ଼ୋର ସ୍କ୍ରିନ୍ ଟଙ୍ଗା ଯାଇଥିବା ଦେଇ ସେ  ଆଶ୍ଚର୍ଯ୍ୟ ପ୍ରକାଶ କଲେ ।

ଡିଭିଜନାଲ ମ୍ୟାନେଜରଙ୍କ ଚ୍ୟାମ୍ୱରେ ଏଭଳି ଦୃଶ୍ୟ ଦେଖି ଚକିତ ହୋଇଥିଲେ । ଏହାସହ ଉକ୍ତ  ମ୍ୟାନେଜରଙ୍କୁ ପଚାରିଥିଲେ କେବେଠାରୁ ଏହି କାର୍ଯ୍ୟାଳୟରେ ରହିଲେଣି । ମ୍ୟାନେଜର ଉତ୍ତରରେ କହିଥିଲେ ୯ମାସ । ତେବେ ୯ମାସ ହେଲାଣି ବାଥରୁମ୍ ଟିରେ ଗୋଟେ କବାଟ ଲଗାଇପାରିଲେନି, ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ ମନ୍ତ୍ରୀ । ଏହାସହ ବାଥରୁମରେ କବାଟ ଟିଏ ଲଗାଇବା ନିମନ୍ତେ ତୁରନ୍ତ ନିଜ ପକେଟରୁ ୩ ହଜାର ଟଙ୍କା କାଢି ଖୋଦ୍ ଡିଭିଜନାଲ ମ୍ୟାନେଜରଙ୍କୁ ଦେଇଥିଲେ ମନ୍ତ୍ରୀ ବିଭୂତି ଜେନା  । ଯାହାର ଭିଜୁଆଲ୍ କଏଦ ହୋଇଛି କ୍ୟାମେରାରେ । ମନ୍ତ୍ରୀଙ୍କୁ ଏଭଳି ଆକ୍ସନ୍ ମୁଡରେ ଦେଖିକି ସମସ୍ତଙ୍କ ଭିତରେ ଛନକା ପଶିଯାଇଛି ।