Rain

ଲଗାଣ ବର୍ଷାରେ ବେହାଲ ଓଡିଶା, ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ

State

କଟକ: ରାଜ୍ୟର ଅନେକ ସ୍ଥାନରେ ଜାରି ରହିଛି ଲଗାଣ ବର୍ଷା । ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଏହାରି ଭିତରେ ଗତ ୨୪ ଘଣ୍ଟାରେ କଟକ ବାଙ୍କୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ବାଙ୍କୀରେ ସର୍ବାଧିକ ୩୧୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ନୟାଗଡ଼ ଭାପୁରରେ ଦ୍ବିତୀୟ ସର୍ବାଧିକ ୨୧୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ବେଗୁନିଆ ୧୯୬ ମିମି, ବୀରମହାରାଜପୁର ୧୪୭ ମିମି, ହିନ୍ଦୋଳରେ ୧୪୪ ମିମି ବର୍ଷା ରେକର୍ଡ ହୋଇଛି ।

ଏହାସହିତ ଜିଲ୍ଲାରେ ରେ ଗତ ୧ ତାରିଖରେ ୧୫୪.୮ ମିମି, ୨ ତାରିଖରେ ୧୨୨.୫ ମିମି, ୩ ତାରିଖରେ ୮୨.୬ ମିମି, ୪ ତାରିଖରେ ୯୫.୮ ମିମି, ୫ ତାରିଖରେ ୧୭୫.୮ ମିମି ଏବଂ ୬ ତାରିଖରେ ୧୭୦ମି.ମି ବର୍ଷା ରେକର୍ଡ଼ କରାଯାଇଛି । ଅନ୍ୟପଟେ ଗତବର୍ଷଠାରୁ ଏଥର ବିଳମ୍ବରେ ବର୍ଷା ହୋଇଛି । ବର୍ଷା ଚାଷୀଙ୍କୁ ଆଶ୍ୱସ୍ତି ବି ଦେଇଛି । ହେଲେ ଅନେକ ସ୍ଥାନରେ ବର୍ଷା ବିତ୍ପାତରେ ବେହାଲ ହୋଇପହିଛି ରାଜ୍ୟ ।

ପ୍ରବଳ ବର୍ଷା କାରଣରୁ ନଦୀ ଓ ନାଳ ଫୁଲୁଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ଦୋକାନ, ବଜାର ମାନ୍ଦା ପଡ଼ିଥିବାବେଳେ ବିଭିନ୍ନ ସ୍ଥାନରେ ଡ୍ରେନ ଏବଂ ରାସ୍ତା ଉପରେ ବହୁଥିବା ନର୍ଦ୍ଦମା ପାଣି ଘରଦ୍ୱାର ଭିତରେ ପଶି ଲହଡି ମାରୁଛି । ବରଗଡ଼ ସରକାରୀ ବସଷ୍ଟାଣ୍ଡ, ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଅନେକ ସରକାରୀ ଅନୁଷ୍ଠାନରେ ନର୍ଦ୍ଦମା ପାଣି ଲହଡ଼ି ମାରୁଛି। ସେହିପରି ସୁବର୍ଣ୍ଣପୁରର କିଛି ଅଞ୍ଚଳରେ ନଦୀ ପାଣି ବିଲବାଡିରେ ପଶି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା ରାସ୍ତା ଉପରେ ୪ ଫୁଟର ପାଣି ଚାଲୁଛି । ଖୋର୍ଦ୍ଧା ନୟାଗଡ଼, ଖୋର୍ଦ୍ଧା ବାଙ୍କୀ ରାସ୍ତା ବିଚ୍ଛିନ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୫୭ନଂ ଜାତୀୟ ରାଜପଥରେ ଚାଲୁଛି ପାଣି । ଉଭୟ ପାର୍ଶ୍ଵରେ ଯାନବାହାନ ଅଟକି ରହିଛି । ଅନ୍ୟପକ୍ଷରେ ଅସରାଏ ବର୍ଷାରେ ଭୁବନେଶ୍ବରରେ ଆଣ୍ଠୁଏ ପାଣି ।