Rain

ମୟୂରଭଞ୍ଜରେ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ

State

ସମ୍ଭାବିତ ପ୍ରକୃତିକ ବିପର୍ଯ୍ୟୟର ସାମ୍ନା କରିବା ଏବଂ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ବାରିପଦା : ଆଗାମୀ ୨୭ ଓ ୨୮ ତାରିଖ ପାଇଁ ମୟୂରଭଞ୍ଜ ଜିଲ୍ଲା ସମେତ ଅନ୍ୟାନ୍ୟ ଉତ୍ତର ଓଡ଼ିଶାର ଜିଲ୍ଲା ପାଇଁ ଜାରି କରାଯାଇଥିବା ସମ୍ଭାବ୍ୟ ବର୍ଷା ଓ ବନ୍ୟା ସତର୍କକୁ ଦୃଷ୍ଟିରେ ରଖି ଅତିରିକ୍ତ ଜିଲ୍ଲାପାଳ (ଜରୁରୀକାଳୀନ ) ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I ପ୍ରାପ୍ତ ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଉପକୂଳ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆବଶ୍ୟକସ୍ଥଳେ ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆଯାଇଛି । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି। ବୈଠକରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ଉଦ୍ଧାର କାର୍ଯ୍ୟରେ ପିଆରଆଇ ସଦସ୍ୟ, ସ୍ୱେଚ୍ଛାସେବୀ ଏବଂ ଗୋଷ୍ଠୀ ସ୍ୱେଚ୍ଛାସେବୀଙ୍କୁ ସାମିଲ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥି ସହିତ କୌଣସି ଜରୁରୀକାଳୀନ ଅଧିକାରୀଙ୍କୁ ଏହି ଦୁଇ ଦିନ କାର୍ଯ୍ୟ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ମଧ୍ୟ ଜିଲ୍ଲାପାଳ ଆଦେଶ ଦେଇଛନ୍ତି।

ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରଜନୀକାନ୍ତ ସ୍ୱାଇଁ, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।