ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ଫେବ୍ରୁଆରି ୧ରେ ଆସିଥିବା ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲା ।
ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୮ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ବିଶ୍ବର ପ୍ରମୁଖ ସାମରିକ ବାହିନୀଗୁଡ଼ିକ ନିଜ ବଜେଟର ପ୍ରାୟ ଅର୍ଦ୍ଧେକ ବ୍ୟୟ କରୁଥିବାବେଳେ ଭାରତର ପ୍ରତିରକ୍ଷା ବଜେଟର ଏକ ବଡ଼ ଭାଗ ଦରମା ଓ ପେନସନ ବାବଦରେ ବ୍ୟୟ ହୁଏ ।
ପ୍ରତିରକ୍ଷା ପେନସନ ପାଇଁ ୧ ଲକ୍ଷ ୪୧ ହଜାର କୋଟିର ବ୍ୟୟବରାଦ ରହିଛି । ସୀମାନ୍ତରେ ଭିତ୍ତିଭୂମିର ସୁଦୃଢୀକରଣ ପାଇଁ ୬୫୦୦ କୋଟି ଟଙ୍କା ବ୍ୟୟ ହେବ । ସେହିପରି କୋଷ୍ଟଗାର୍ଡ ପାଇଁ ୭୬୫୧ କୋଟର ବ୍ୟୟବରାଦ କରାଯାଇଛି । ପ୍ରତିରକ୍ଷା ଗବେଷଣା ପାଇଁ ଡିଆରଡିଓକୁ ୨୩,୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ସେହିପରି ଏଥର କୃଷି ଓ ତତ୍ ସଂଲଗ୍ନ କ୍ଷେତ୍ରକୁ ମିଳିଛି 1 ଲକ୍ଷ 52 ହଜାର କୋଟି ଟଙ୍କା। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରି ଏହି ଘୋଷଣା କରିଛନ୍ତି।
ଏଥର ବଜେଟରେ ପ୍ରାକୃତିକ ଚାଷ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ କୃଷି କ୍ଷେତ୍ରରେ ଯୋଡ଼ାଯିବ। ଏହା ଦ୍ୱାରା ରାସାୟନିକ ସାର ଏବଂ କୀଟନାଶକ ଉପରେ ନିର୍ଭରଶୀଳତା ହ୍ରାସ ପାଇବ।
ପ୍ରାକୃତିକ ଚାଷ କରିବା ଦ୍ୱାରା କେବଳ ମୃତ୍ତିକା ଭଲ ରହି ନଥାଏ, ବରଂ ଚାଷୀଙ୍କ ପାଇଁ ଚାଷ ମୂଲ୍ୟ ହ୍ରାସ ପାଇଥାଏ। ଫଳରେ ଚାଷୀଙ୍କ ଲାଭ ବୃଦ୍ଧ ହୋଇପାରିବ।
କୃଷି ପାଇଁ ବଜେଟ
10 ହଜାର ବାୟୋ ରିସର୍ଚ୍ଚ ସେଣ୍ଟର ନିର୍ମାଣ ହେବ।
32ଟି ଫସଲର 109ଟି ନୂଆ କିସମ ଅଣାଯିବ।
ପନିପରିବା ଯୋଗାଣ ଶୃଙ୍ଖଳା ଉପରେ ଗୁରୁତ୍ୱ।
ପନିପରିବା ଉତ୍ପାଦନ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଅଧିକ FPO ଗଠନ କରାଯିବ।
400ଟି ଜିଲ୍ଲାରେ ଫସଲର ଡିଜିଟାଲ ସର୍ଭେ କରାଯିବ।
ଚିଙ୍ଗୁଡ଼ି ଚାଷ ଓ ମାର୍କେଟିଂକୁ ମିଳିବ ପ୍ରୋତ୍ସାହନ।
ଜଳବାୟୁ ଅନୁକୂଳ ମଞ୍ଜି ବିକାଶ ପାଇଁ ବେସରକାରୀ କ୍ଷେତ୍ର, ବିଶେଷଜ୍ଞ ଏବଂ ଅନ୍ୟମାନଙ୍କୁ ଅର୍ଥ ପ୍ରଦାନ କରାଯିବ।