Photo For The News Of Amarsinghpur Village

ସାଳନ୍ଦୀ ଆଁ ରେ ଅମରସିଂପୁର ଗାଁ

State

ଆଗରପଡ଼ା :ବନ୍ତ ବ୍ଲକ ଅନ୍ତର୍ଗତ ଅମରସିଂପୁର ଗ୍ରାମ ସାଳନ୍ଦୀ ନଦୀରେ ଲୀନ ହେବ ବୋଲି ଗ୍ରାମବାସୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଏହି ଗ୍ରାମର ଲୋକସଂଖ୍ୟା ପାଖାପଖି ୪ଶହରୁ ଉଦ୍ଦ୍ୱର୍ ହେବ । ଏହି ଗାଁ ପାଶ୍ୱର୍ ଦେଇ ସାଳନ୍ଦୀ ନଦୀ ପ୍ରବାହିତ । ନଦୀର ବାରମ୍ବାର ଗତିପଥ ପରିବର୍ତ୍ତନ ସହ ରିଂ ବନ୍ଧ ନଥିବାରୁ କ୍ରମଶଃ ଗାଁ ପରିସୀମା ସଙ୍କୁଚିତ ହେବାରେ ଲାଗିଛି । ଗାଁ ସାରା ଏହାରି ପ୍ରଭାବ ରେ ଅତଡ଼ା ଖସି ମାଟି ଗୁଡ଼ିକ ଧୋଇ ଗଲାଣି । ଯଦ୍ଦ୍ୱାରା ଲୋକମାନେ ନଦୀ ପାଶ୍ୱର୍କୁ ଯିବା ଆଉ ସମ୍ଭବପର ହେଉନାହିଁ । ନଦୀରେ ସାମାନ୍ୟ ଜଳପତ୍ତନ ବୃଦ୍ଧି ପାଇଲେ ଗାଁ ମଧ୍ୟକୁ ବାରମ୍ବାର ନଦୀ ପାଣି ପଶି ଆସି ଘରଦ୍ୱାର ଭାଙ୍ଗିରୁଜି ଯିବା ସହ ଫସଲହାନୀ ଘଟୁଛି । ନଦୀକୂଳରେ ଥିବା ଅମରସିଂପୁର ଗ୍ରାମର କିଛି ବାସିନ୍ଦାଙ୍କ ପାଳ ଗୁଡ଼ିକ ନଦୀ ମଧ୍ୟରେ ଲୀନ ହୋଇସାରିଲାଣି ଓ ଏଥିସହିତ ଲୋକମାନଙ୍କ ବାସଗୃହ ଆଡ଼କୁ ନଦୀମାଡ଼ି ଆସିଲାଣି । ସାମାନ୍ୟ ବର୍ଷା ପାଣିରେ ନଦୀ ଜଳ ପତ୍ତନ ବୃଦ୍ଧି ପାଇଲେ ବନ୍ୟା ଆଶଙ୍କାରେ ଗ୍ରାମବାସୀ ମାନଙ୍କ ନିଦ ହଜିଯାଉଛି । ନିର୍ଦ୍ଧିଷ୍ଟ କିଛି ଘାଟ ଆଉ ରହୁ ନଥିବାରୁ ଲୋକେ ନଦୀକୁ ଆଉ ଯାଇପାରୁ ନାହାଁନ୍ତି । ଯଦା୍ୱରା ଏହି ଜଳ ଆଉ ଲୋକଙ୍କ କୌଣସି କିଛି କାର୍ଯ୍ୟରେ ଲାଗିପାରୁ ନାହିଁ । ତତ୍କାଳୀନ କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀ ଙ୍କୁ ଗାଁ ଲୋକମାନେ ସାକ୍ଷାତ୍ କରି ଏହି ସମସ୍ୟା ସଂପର୍କରେ ଅବଗତ କରିଥିଲେ । ସାଳନ୍ଦୀ ସଂସ୍କାର ଯୋଜନା ରେ ରିଂବନ୍ଧ କରାଯିବ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ । ମାତ୍ର ଶ୍ରୀ ସେଠୀଙ୍କ ସ୍ୱର୍ଗବାସ ହୋଇଯାଇଥିବାରୁ ପ୍ରତିଶୃତି ହିଁ ପ୍ରତଶୃତିରେ ରହିଯାଇଥିବା ବେଳେ ବର୍ତ୍ତମାନର ଜନନାୟକଙ୍କ ନଜର ଆଢୁଆଳରେ ରହିଯାଇଛି ଉକ୍ତ ଗାଁ । ଅନୁରୂପ ଭାବେ ଶ୍ରୀରାମପୁର, ଗୋପିନାଥପୁର, କାଣ୍ଡବା,ସାହୁପଡ଼ା, ମାର୍କଣ୍ଡପୁର, ତାଜିପୁର,ମହାନ୍ତିପଡ଼ା, ହଳଦୀପହଣୀ, କାନପୁର ଆଦି ଗ୍ରାମ ମଧ୍ୟ ସାଳନ୍ଦୀରେ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।