Photo For The News Of Chaupandia Sahi Road

କାଦୁଅ ପଚପଚ ଚାପୁଂଡ଼ିଆ ସାହି ରାସ୍ତା

State

ବନ୍ତ/ଆଗରପଡ଼ା,୨୫/୮ :ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ସ୍ଥିତ ବିସଲକଣା ଗାଁ ଅର୍ନ୍ତଗତ ଚାପୁଂଡ଼ିଆ ସାହି ସ୍ୱାଧିନତାର ବହୁ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ଏହି ସାହି କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁଃଖ ଓ ଅନୁତାପର ବିଷୟ ଅଟେ । ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏଠାରେ ପାଖାପାଖି ଶହେ ଲୋକ ବସବାସ କରନ୍ତି । ସେଥିରୁ ୬୮ ଜଣ ଭୋଟର ଅଟନ୍ତି । ଛୋଟ ଛୋଟ କୋମଳମତୀ ପିଲାମାନେ ଅଧ୍ୟୟନ କରିବାକୁ ସ୍କୁଲ,କଲେଜ କିମ୍ବା ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଗରପଡ଼ା-ଭଦ୍ରକ ମୁଖ୍ୟ ରାସ୍ତାକୁ ଏହି ରାସ୍ତା ଟି ସଂଯୋଗ କରୁଛି । ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସାଇକେଲଟିଏ ମଧ୍ୟ ସୁବିଧା ଭାବେ ଯାଆଆସ କରିପାରିନଥାଏ ।

ବର୍ତ୍ତମାନ ବର୍ଷାଦିନ ହୋଇଥିବାରୁ ଏହି ରାସ୍ତା ଦେଇ ଯିବା ଆଦୌ ସମ୍ଭବପର ହୋଇପାରୁ ନାହିଁ । ରାସ୍ତା ସାରା କାଦୁଅ ପଚପଚ । ଏପରି ଅବସ୍ଥାରେ ଖାଲିପାଦରେ ଯିବା ମଧ୍ୟ ସମ୍ଭବପର ନୁହେଁ । ରାତିରେ ଏହି ରାସ୍ତାରେ ଯିବା ଅର୍ଥ ମରଣକୁ ଡ଼ାକିବା । ଏହି ପରି ଅବସ୍ଥାରେ ଗାଁ ଲୋକମାନେ ଯାଆଆସ କରୁଛନ୍ତି । ସବୁ ସାହିକୁ କଂ୍‌କ୍ରିଟ ରାସ୍ତା ହେଉଛି ବୋଲି ସରକାର ଡ଼ିଣ୍ଡିମ ପିଟୁଥିବା ବେଳେ ବିସଲକଣା ଗାଁ କୁ କଂକ୍ରିଟ ରାସ୍ତା ସାତସପନ ପାଲଟିଛି । ଉକ୍ତ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।