Onn 3

ସରକାରୀ ନିର୍ଦ୍ଦେଶକୁ ୭ବର୍ଷ ପୂରିଲା, ଶିକ୍ଷାର ବ୍ୟବସାୟୀକରଣ ବନ୍ଦ ହେଉନି

State

ଆଗରପଡ଼ା :ଶିକ୍ଷା ଓ ଶିକ୍ଷକ ମୁଦ୍ରାର ଦୁଇଟି ପାଶ୍ୱର୍ ସଦୃଶ୍ୟ । ଶିକ୍ଷାର ମାନବୃଦ୍ଧି କରିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଥମ ଦାୟିତ୍ୱ । କିନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀ ଏହି ଗୁରୁ ଦାୟିତ୍ୱକୁ ଭୁଲି ବର୍ତ୍ତମାନ ଧନ ଉପାର୍ଜନ କରିବାପାଇଁ ବାଛି ନେଇଛନ୍ତି ସୁନ୍ଦର ଉପାୟ “କୋଚିଂ ସେଣ୍ଟର” । ପ୍ରଶାସନିକ କଟକଣା ନଥିବାରୁ ଏବେ କୋଚିଂ ସେଣ୍ଟର ଏକ ବ୍ୟବସାୟିକ ସଂସ୍ଥାରେ ପରିଣତ ହେଲାଣି । ସରକାରୀ ନିୟମ ଅନୁସାରେ କୌଣସି ବେତନଭୋଗୀ ଅଧ୍ୟାପକ/ଅଧ୍ୟାପିକା, ଶିକ୍ଷକ/ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଟ୍ୟୁସନ କରିପାରିବେ ନାହିଁ । ଏହା ପ୍ରମାଣ ମିଳିଲେ ଆରଡ଼ିଇ ଆକ୍ଟ ସେକ୍‌ସନ୍ ୨୮ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ରାଜ୍ୟ ଶିକ୍ଷାବିଭାଗ ନିର୍ଦ୍ଦେଶକଙ୍କ ଚିଠି ନଂ ୧୧୯୮୦ରେ ସରକାରୀ ଶିକ୍ଷକମାନେ ଟ୍ୟୁୁସନ ନକରିବାକୁ ଉଲ୍ଲେଖ ଥିଲା । ପୁନଶ୍ଚ ୪୧୬୪/୩୧/୦୩/୨୦୧୭/ ଆରଡ଼ିଇରେ ତାଗିଦ କରିଥିବାର ଜଣାପଡ଼ିଛି । କିନ୍ତୁ ଏହାକୁ କେହି ପାଳନ କରୁନାହାନ୍ତି । ବର୍ତ୍ତମାନ ସ୍କୁଲ, କଲେଜରେ ନୂତନ ବର୍ଷର ପାଠ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଣୁ ଅଭିଭାବକମାନେ ଭଲ ଶିକ୍ଷାନୁଷ୍ଠାନ କ’ଣ ଖୋଜିବେ, ଭଲ କୋଚିଂ ସେଣ୍ଟର ଖୋଜିବା ଏକ ବଡ଼ ବ୍ୟତିକ୍ରମ, ଯାହା ଦେଖିବାକୁ ମିଳୁଛି ଆଗରପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ । ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅଧିକ ରୋଜଗାର ଲକ୍ଷ୍ୟରେ ସ୍କୁଲ/କଲେଜଗୁଡ଼ିକରେ ହାଜିରା ପକେଇ କୋଚିଂ ସେଣ୍ଟରେ କୋଚିଂ ଦେବାରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳୁଛି । ଆଗରପଡ଼ାରେ ଦୁଇଟି ମହାବିଦ୍ୟାଳୟ ସମେତ ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁମନ୍ଦିର,ଇଂଲିସ ମିଡ଼ିୟମ ସ୍କୁଲ ଥିବା ହେତୁ ଏହି ଅଞ୍ଚଳରେ ଛତୁ ଫୁଟିବାପରି କୋଚିଂ ସେଣ୍ଟର ଖୋଲିଛି । ବ୍ୟବସାୟ ପ୍ରତିଷ୍ଠାନ ଗାଡି ପାର୍କିଂ ସ୍ଥାନଠାରୁ କୋଚିଂ ସେଣ୍ଟର ପାର୍କିଂ ସ୍ଥାନ ଅଧିକ ରହିଥିବାର ଦେଖିବାକୁ ମିଳୁଛି । ଏଣୁ ପ୍ରଶାସନିକ ସ୍ତରରେ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଶିକ୍ଷାର ମାନରେ ବଡ଼ ପରିବର୍ତ୍ତନ ଯେ ଦେଖା ନଦେବ ଏକଥା କିଏ କହିବ?ା ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।