Photo

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡାଯାତ୍ରାର ପ୍ରଥମ ଦିନ

State
  • ସିଂହ ଦ୍ୱାରରେ କାଳିଆ ଠାକୁର ଙ୍କ ନନ୍ଦିଘୋଷ
  • ବଡଦାଣ୍ଡ ନାଭିକେନ୍ଦ୍ରରେ ମା ସୁଭଦ୍ରା ଙ୍କ ଦର୍ପଦୋଳନ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ଥିଲା ବାହୁଡାଯାତ୍ରା ର ପ୍ରଥମ ଦିନ । ତୁହାକୁ ତୁହା ବର୍ଷା ରେ ଭିଜୁୁଥିଲା ବଡଦାଣ୍ଡରେ । ଅପରାହ୍ନରେ କିଛି ସମୟ ବର୍ଷା ରୁ ଆଶ୍ୱସ୍ତି ମିଳିଥିଲା । କାଳିଆ ସାଆନ୍ତେ ଆଜି ବାହୁଡିବେ ଶ୍ରୀ ମନ୍ଦିର ଅଭିମୁଖେ । ସାଙ୍ଗରେ ଭଉଣୀ ସୁଭଦ୍ରା ଆସି ବଡଦାଣ୍ଡର ଅଧାବାଟରେ ରହିବେ । ପୁଣି ଆସନ୍ତା କାଲି ବଡଭାଇ ବଡଠାକୁର ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ଆସି ପହଞ୍ଚିବେ ଭାଇ ଜଗନ୍ନାଥ ଙ୍କ ପାଖରେ । କାଳିଆ ଠାକୁର ଙ୍କ ରଥ ଟାଣିବାର ଉତ୍କଣ୍ଠା ଆଜି ବଡଦାଣ୍ଡରେ ଭକ୍ତ ମାନଙ୍କ ପାଖରେ ଦେଖିବାକୁ ମିଳିଥିଲା । ବଡଦାଣ୍ଡ ଥିଲା ଲୋକାରଣ୍ୟ । ଭକ୍ତମାନଙ୍କର ପ୍ରବଳ ଭିଡ । ଭକ୍ତ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିଲେ କାଳିଆ ଠାକୁର ଙ୍କ ନନ୍ଦିଘୋଷ ରଥ ଟିକେ ଟାଣିବାକୁ । ପୁଣି ବର୍ଷକର ଅପେକ୍ଷା ପରେ ରଥ ଉପରେ ତିନି ଠାକୁର ଙ୍କୁ ଦର୍ଶନ କରିବା ର ସୈାଭାଗ୍ୟ ଆସିବ । ପୂର୍ବ ପରମ୍ପରା ଅନୁଯାୟୀ କେବଳ ମହିଳା ଭକ୍ତମାନେ ମା ସୁଭଦ୍ରା ଙ୍କ ଦର୍ପଦୋଳନ ରଥ କୁ ଟାଣିଥିଲେ । ଗତକାଲି ପହଣ୍ଡି ପରେ ରଥାରୂଢ ହୋଇଥିଲେ ତିନି ଠାକୁର । ଦୀର୍ଘ ୯ ଦିନର ଯାତ୍ରା ଶେଷକରି ପ୍ରଭୂ ଜଗନ୍ନାଥ ଆଜି ସର୍ବ ପ୍ରଥମେ ହରିୁବଳଦେବଜୀଉ ମନ୍ଦିର ତଥା ସିଂହଦ୍ୱାର ସମ୍ମୁଖରେ ଉଭା ହୋଇ ଭାଇ ଓ ଭଉଣୀ ଙ୍କୁ ଅପେକ୍ଷା କରିଛନ୍ତି । ଆଜି ଅପରାହ୍ନରେ ପ୍ରଶାସନ ପକ୍ଷରୁ ପୂର୍ବ ନିର୍ଦ୍ଧାରୀତ ସମୟ ଅନୁଯାୟୀ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା । ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥ ଆସି ସିଂହ ଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ମହିଳା ଭକ୍ତମାନ ଙ୍କ ଗହଣରେ ମା ସୁଭଦ୍ରା ଙ୍କ ଦର୍ପଦୋଳନ ରଥ ଆସି ପହଞ୍ଚିଥିଲା ବଡଦାଣ୍ଡର ନାଭିକେନ୍ଦ୍ର ତଥା ଟାଉନଥାନା ସମ୍ମୁଖରେ । ପଛରେ ଅଛନ୍ତି ଭାଇ ବଳରାମ । ଶ୍ରଦ୍ଧାଳୁମାନେ ଆଜି ସନ୍ଦ୍ୟାରେ ତିନି ଦିଅଁ ଙ୍କୁ ବଡଦାଣ୍ଡର ମାଉସୀ ମା ମନ୍ଦିର ପାଖରୁ ବଡଦେଉଳ ପର୍ଯ୍ୟନ୍ତ ତିନି ଗୋଟି ରଥରେ ଦର୍ଶନ କରିବେ । ଜଗନ୍ନାଥ ଙ୍କ ନୀତି ନିର୍ଦ୍ଧାରକ ଅନୁ୍‌ଯାୟୀ ଶ୍ରୀ କ୍ଷେତ୍ର ପୁରୀଠାରେ ଗତକାଲି ପହଣ୍ଡି ହୋଇ ରଥଟଣା ଶେଷ ହୋଇଥିବାବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାଠାରେ ଗତକାଲି ପହଣ୍ଡି ହୋଇ ସାରିବାପରେ ଆଜି ଓ ଆସନ୍ତାକାଲି ଦୁଇଦିନ ରଥ ଟଣା ହେବ । ଆସନ୍ତାକାଲି ସନ୍ଧ୍ୟାପୁର୍ବରୁ ରଥଟଣା କାର୍ଯ୍ୟ ସମାପ୍ତ ହେବ । ତିନିଦିଅଁ ରଥଖଳାରେ ପହଞ୍ଚିବାପରେ ପହଣ୍ଡିହୋଇ ହରିବଳଦେବଜୀଉ ମନ୍ଦିର ମଣ୍ଡପ କୁ ବିଜେ କରିବେ । ପୂର୍ବରୁ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରୀତ ହୋଇଥିବା ରଥଟଣା ସମୟ ଅନୁଯାୟୀ ଆରମ୍ଭ ହୋଇ ସନ୍ଧ୍ୟା ପୂର୍ବରୁ ସମ୍ପନ୍ନ ହୋଇଥିଲା । ଶଙ୍ଖ , ହୁଳୁହୁଳି , ଘଣ୍ଟ ଘଣ୍ଟା , ହରିବୋଲ , ସଂକୀର୍ତ୍ତନ , ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ବଡଦାଣ୍ଡ । ମଝିରେ ମଝିରେ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଭକ୍ତମାନଙ୍କ ଉପରକୁ ଗାଡି ଉପରୁ ପାଣି ଛିଞ୍ଚନ କରାଯାଉଥିବାବେଳେ ଭକ୍ତମାନେ ଆନନ୍ଦରେ ନାଚି ଉଠୁଥିଲେ । ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ ବଡଦାଣ୍ଡରେ ହରିନାମ ନିଆଯାଉଥିବାବେଳେ ଘଣ୍ଟୁଆ ଦଳ ପକ୍ଷରୁ ଘଣ୍ଟା ବାଦନ ବଡଦାଣ୍ଡକୁ ଭକ୍ତିମୟ କରିପକାଇଥିଲା । ବିଭିନ୍ନ ସେବା ଅନୁଷ୍ଠାନ ପକ୍ଷରୁ ବଡଦାଣ୍ଡରେ ଭକ୍ତମାନଙ୍କୁ ବିଶୁଦ୍ଧ ଥଣ୍ଡାପାନୀୟଜଳ ବଣ୍ଟନ କରାଯାଉଥିଲା । ଭକ୍ତମାନଙ୍କ ଭିଡକୁ ଆଖିଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବଡଦାଣ୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଆଜି ବିଶେଷକରି ମା ସୁଭଦ୍ରା ଙ୍କ ରଥଟଣାରେ ମହିଳା ଭକ୍ତମାନ ଙ୍କ ସଂଙ୍ଖ୍ୟା ଅଧିକ ଥିବାରୁ ମହିଳା ପୋଲିସ ସମେତ ଅନ୍ୟ ପୋଲିସମାନେ ଅଧିକ ସଂଖ୍ୟରେ ଥାଇ ରଥଯାତ୍ରା କୁ ନିୟନ୍ତ୍ରଣ କରିଥିଲେ । ବଡଦାଣ୍ଡକୁ ସମ୍ପୂନ୍ନ ଭାବେ ସିସି କ୍ୟାମେରା ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା । ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବଡଦାଣ୍ଡରେ ରଥଯାତ୍ରା ର ଧାରା ବିବରଣୀ ପ୍ରଦାନ କରାଯାଇଥିବାବେଳେ ରଥ ଉପରୁ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ।