Onn 3

ଜାଲ ଜାତିଗତ ପ୍ରମାଣପତ୍ରରେ ଚାକିରୀ ପ୍ରସଙ୍ଗ : କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବକୁ ପତ୍ର

State

ଆଗରପଡ଼ା  :  ଜାଲ ଜାତିଗତ ପ୍ରମାଣପତ୍ର ଦେଇ ବର୍ଷବର୍ଷ ଧରି ସରକାରଙ୍କ ବିଭିନ୍ନ ବିଭାଗରେ ଚାକିରୀ କରିଆସୁଥିବା କିଛି କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଦ୍ରକ ଆରକ୍ଷୀ ଅଧୀକ୍ଷକ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ;୩୦ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ଜଣ ଜାଲ ଅନୁସୂଚିତ ଜନଜାତି ଓ ୨ ଜଣ ଜାଲ ଅନୁସୂଚିତ ଜାତିର ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିବା ଜଣାପଡ଼ିଛି । ଉକ୍ତ ୩୦ ଜଣଙ୍କ ମଧ୍ୟରୂ ବନ୍ତ ଥାନା ଅଂଚଳର ସର୍ବାଧିକ୧୩ଜଣଙ୍କ ମଧ୍ୟରୁ ୧୨ ଜଣ (ଅନୁସୂଚିତ ଜନଜାତି)ର ହୋଇଥିବା ବେଳେ ବାକି ୧୭ ଜଣ ଆଗରପଡ଼ା,ଧାମନଗର ,ଭଣ୍ଡାରିପୋଖରୀ , ଚାନ୍ଦବାଲି ,ଭଦ୍ରକ ଗ୍ରାମାଚଂଳ ଓ ସହରାଚଂଳ ଥାନା ଅଂଚଳର ହୋଇଥିବା ଜଣାପଡ଼ିଛି । ୨୦୧୨ ମସିହାରୁ ଆରମ୍ଭ କରି ବିଭିନ୍ନ ବର୍ଷ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଡ଼ିଡ଼ବ୍ଲ୍ୟୁଓ(ଭଦ୍ରକ), କୃପାସିନ୍ଧୁ ଦାସ,ଶ୍ୟାମସୁନ୍ଦର ଦାସ,ସାଗର ମହାନ୍ତି,ବିଜୟ ମହାରଣା,ଅତିରିକ୍ତ ଏସ୍‌ପି(ଯାଜପୁର) ଓ ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ଠାରୁ ଅଭିଯୋଗ ପାଇବା ପରେ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ତଦନ୍ତରେ ଉକ୍ତ ୩୦ଜଣ ଜାଲ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଥିବାର ଠୋସ୍ ପ୍ରମାଣ ପାଇବା ପରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରକ୍ଷୀ ଅଧୀକ୍ଷକ, ଭଦ୍ରକ, ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିବା ଜଣାପଡ଼ିଛି । ଆଗରପଡ଼ା ଥାନା ଅଂଚଳର ରାଣୀଲତା ଦାସ ଓ ବନ୍ତ ଥାନା ଅଂଚଳର ସୁଶ୍ରୀ ସ୍ମରଣୀକା ଦାସ,ମାନସୀ ଦାସ,ବିରେନ୍ଦ୍ର ଦାସ,ସୁକୁମାର ଦାସ,ବ୍ରଜକିଶୋର ଦାସ,ପ୍ରକାଶ ଦାସ,ସଂଧ୍ୟାରାଣୀ ଦାସ, କୃଷ୍ଣଚଦ୍ର ଦାସ,ମିନକେତନ ଦାସ,ପ୍ରଦୀପ କୁମାର ଦାସ,ବୈଲୋଚନ ଦାସ, ପ୍ରତିମା ଦାସ ପ୍ରମୁଖ ଜାଲ ଅନୁସୂଚିତ ଜନଜାତିର ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବେଳେ ବନ୍ତ ଥାନା ଅଂଚଳର ସୁନୀଲ ରଂଜନ ଦାସ ଜାଲ ଅନୁସୂଚିତ ଜାତିର ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବେଳେ ଚାନ୍ଦବାଲି ଥାନା ଅଂଚଳର ମମତା ଦାସ,ଛବିରାଣୀ ଦାସ,ଆଲୋକ ଦାସ ଓ ଗଜେନ୍ଦ୍ର ଦାସ,ଧାମନଗର ଥାନା ଅଂଚଳର ଆଶୁତୋଷ ସୂତାର ଓ ଅଶୋକ କୁମାର ଦାସ,ଭଣ୍ଡାରିପୋଖରୀ ଥାନା ଅଂଚଳର ରବିନ୍ଦ୍ର କୁମାର ଦାସ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଂଚଳର ତପସ୍ୱିନୀ ସାହୁ,ଧରିତ୍ରୀ ନାୟକ,ମହେଶ୍ୱର ନାୟକ, ଭାବୀ ନାୟକ,ମାନସୀ ଦାସ,ମନୋରଂଜନ ଦାସ ଓ ଭଦ୍ରକ ସହରାଚଂଳ ଥାନା ଅନ୍ତର୍ଗତ ପ୍ରମିଳା ମୁଣ୍ଡା(ସାହୁ),ଅହଲ୍ୟା ବେହେରା ପ୍ରମୁଖ ଜାଲ ଅନୁସୂଚିତ ଜନଜାତିର ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ବେଳେ ଭଦ୍ରକ ସହରାଚଂଳ ଥାନା ଅଂଚଳର ସୋମ୍ୟ ପ୍ରକାଶ ବେହେରା ଜାଲ ଅନୁସୂଚିତ ଜାତିର ପ୍ରମାଣ ପତ୍ର ଦେଇ ଚାକିରୀ କରୁଥିବା ଜଣାପଡ଼ିଛି ।