Img 20240621 Wa0239

ବାରିପଦା ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ବିଶ୍ୱକୁ ଭାରତ ଦେଇଥିବା ଶ୍ରେଷ୍ଠ ଉପହାର ମଧ୍ୟରୁ ଯୋଗ ଅନ୍ୟତମ

Religion and Cult
  • ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ରାଜନେତା, ଶିକ୍ଷାବିତ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧିମାନେ କଲେ ଯୋଗାଭ୍ୟାସ
  • ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ଅତୀବ ଗୁରୁତ୍ୱପୂର୍ଣ୍ଣ: ମାନ୍ୟବର ମନ୍ତ୍ରୀ

ବାରିପଦା: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅଵସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ରିଜର୍ଵ ପୋଲିସ ପଡ଼ିଆଠାରେ ସାମୁହିକ ଯୋଗାଭ୍ୟାସ ଅନୁଷ୍ଠିତ ହୋଇଯାଇଛି ।ଶହ ଶହ ସଂଖ୍ୟାରେ ବିଭିନ୍ନ ବୟସର ଲୋକ ଯୋଗ ଦେଇଥିବା ଏହି ଯୋଗ ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ରହି ଅନ୍ୟମାନଙ୍କ ସହ ଯୋଗାସନ କରିଥିଲେ। ସମଗ୍ର ବିଶ୍ୱରେ ଗୁରୁତ୍ୱ ବହନ କରୁଥିବା ଏହି ଦିବସର ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସରକାରୀ/ବେସରକାରୀ ସଂସ୍ଥାର କର୍ମଚାରୀ, ସାମ୍ବାଦିକ ତଥା ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ମନ୍ତ୍ର ଉଚ୍ଚାରଣ ପରେ ପରେ ପ୍ରଶିକ୍ଷକ ଡଃ ଦିଲ୍ଲୀପ କୁମାର ପଣ୍ଡା
ଶ୍ରୀଲେଖା ମହାନ୍ତି ଓ ଜ୍ୟୋତି ପ୍ରକାଶ ଦାସଙ୍କ ଦ୍ୱାରା ଯୋଗାଭ୍ୟାସ କରାଯାଇଥିଲା। ପଦ୍ମାସନ,ତାଡାସନ, ଚକ୍ର ଆସନ, ଶବାସନ, ଭୁଜଙ୍ଗାସନ ଓ ସୂର୍ଯ୍ୟ ନମସ୍କାର ଭଳି ବିଭିନ୍ନ ଯୋଗସନ କରାଯାଇ ସେସବୁର ମନୁଷ୍ୟ ଶରୀର ପାଇଁ ଥିବା ଉପାଦେୟତା ବାବଦରେ ସୂଚନା ଦେଇଥିଲେ। ସମସ୍ତ ଉପସ୍ଥିତ ଜନସାଧାରଣ ମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଡଃ ମହାପାତ୍ର କହିଥିଲେ ଯେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଉପଯୋଗିତା ସଂପର୍କରେ ଜାଣି ଏହାକୁ ଦୈନନ୍ଦିନ ଅଭ୍ୟାସ ଭାବରେ ଗ୍ରହଣ କରିବା ପାଇଁ ସଂକଳ୍ପ ନେବା ଏବଂ ଏକ ସୁସ୍ଥ ଜୀବନ ଶୈଳୀ ପାଇଁ ଯୋଗର ଆବଶ୍ୟକତା ସଂପର୍କରେ ଜନ ସାଧାରଣଙ୍କୁ ଉତ୍ସାହିତ କରିବା। ପରିଶେଷରେ ଯୋଗାଭ୍ୟାସର ଶପଥପାଠ କରାଯାଇଥିଲା ଏବଂ ସ୍କୁଲ କଲେଜର ପିଲା ମାନଙ୍କ ସହିତ ମନ୍ତ୍ରୀ ଡଃ ମହାପାତ୍ର ଯୋଗ ଅଭ୍ୟାସ ବିଷୟରେ ଆଲୋଚନା କରିଥିଲେ।

“ପ୍ରାଣାୟାମ ହେଉଛି ଯୋଗର ଏକ ଅଙ୍ଗ ଏବଂ ପ୍ରାଣୀ ପାଇଁ ଅତ୍ୟନ୍ତ ଉପଯୋଗୀ । ନିୟମିତ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତି ଅଧିକ ସୁସ୍ଥ, ସବଳ, ଆନନ୍ଦ ଏବଂ ଧୈର୍ଯ୍ୟଶୀଳ ହୋଇଥାନ୍ତି । ଯୋଗ ଦ୍ୱାରା ଜଣେ ମନୁଷ୍ୟ ମନକୁ ସ୍ଥିର ଓ ଶାନ୍ତ ରଖିଥାଏ । ଯୋଗ ଶରୀରରେ ଥିବା ମାଂସପେଶୀକୁ ଶକ୍ତିଶାଳୀ କରିଥାଏ,” ମନ୍ତ୍ରୀ ପିଲା ମାନଙ୍କୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌରପାଳିକା ନଗରପାଳ ଶ୍ରୀଯୁକ୍ତ କୃଷ୍ଣାନନ୍ଦ ମହାନ୍ତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର, ବାରିପଦା ଉପଜିଲ୍ଲାପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠି, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ସେଠି, ଡେପୁଟି କଲେକ୍ଟର ସୁଶ୍ରୀ ଶ୍ରଦ୍ଧା ସୁମନ, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ।

ସୂଚନା ଥାଉକି, ଚଳିତ ବର୍ଷ ୧୦ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେଉଛି। ଏହି ଅବସରରେ ଏହାକୁ ବ୍ୟାପକ ଭାବେ ସମଗ୍ର ଦେଶରେ ପାଳନ କରାଯାଉଛି। ଏ ବର୍ଷ ଯୋଗ ଦିବସ ପାଳନର ଥିମ୍ ରହିଛି ନିଜ ଓ ସମାଜ ପାଇଁ ଯୋଗ(ୟୋଗା ଫର ସେଲ୍‌ଫ୍ ଆଣ୍ଡ ସୋସାଇଟି)।