1

ଜଗନ୍ନାଥ – ଗୋପୀନାଥ ଟ୍ରଷ୍ଟ ଓ ବିଜ୍ଞାନପ୍ରଚାର ସମିତି, ସାଲେପୁର ଶାଖାର ବାର୍ଷିକ ଉତ୍ସବ

State

ସାଲେପୁର : ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ଦ୍ବିତୀୟ ବାର୍ଷିକ ଉତ୍ସବ ଟ୍ରଷ୍ଟର ସଭାଗୃହରେ ପବିତ୍ର ସ୍ନାନପୂର୍ଣ୍ଣିମା ଅବସରରେ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ବିଜ୍ଞାନପ୍ରଚାର ସମିତିର ସାଲେପୁର ଶାଖା ଓ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ଏକ ମିଳିତ କାର୍ଯ୍ୟକ୍ରମ ସଭାଗୃହରେ ଅନୁଷ୍ଠିତ ହୋଇଥିଲା | କାର୍ଯ୍ୟକ୍ରମଟି ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ଅଧିବେଶନରେ ଟ୍ରଷ୍ଟର ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଓ ଦ୍ବିତୀୟ ଅଧିବେଶନରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ପ୍ରଥମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା |

2
ପ୍ରଥମ ଅଧିବେଶନରେ ସଭାପତିତ୍ବ କରିଥିଲେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ ମହାପ୍ରବନ୍ଧକ କୃଷ୍ଣଚନ୍ଦ୍ର ରାଉତ | ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା | ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ସମାଜସେବୀ ଡକ୍ଟର ରଞ୍ଜନ କୁମାର ବିଶ୍ବାଳ | ଟ୍ରଷ୍ଟର ପରିଚାଳକ ସୁକାନ୍ତ କିଶୋର ମହାନ୍ତି ପ୍ରଥମେ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ | ତତ୍‌ ସହିତ ୨୦୨୩ -୨୪ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ | ବିଗତ ଦିନମାନଙ୍କରେ ଟ୍ରଷ୍ଟପକ୍ଷରୁ କରାଯାଇଥିବା ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସମ୍ୟକ୍ ସୂଚନା ଦେଇଥିଲେ ଓ ଆଗାମୀଦିନରେ ଟ୍ରଷ୍ଟ ଗ୍ରହଣ କରିବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ କହିଥିଲେ | ମୁଖ୍ୟ ଅତିଥି ଡକ୍ଟର ବିଶ୍ବାଳ ଟ୍ରଷ୍ଟର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କ ତରଫରୁ ସବୁପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ | ସଭାପତି କୃଷ୍ଣଚନ୍ଦ୍ର ରାଉତ ଟ୍ରଷ୍ଟ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଭିତରୁ ଭର୍ମି କମ୍ପୋଷ୍ଟ ଉତ୍ପାଦନ ଓ ବିତରଣର ବହୁତ ପ୍ରଶଂସା କରିଥିଲେ ଓ ଏହା ଗ୍ରାମାଞ୍ଚଳର କୃଷକମାନଙ୍କ ଲାଗି ଏକ ବରଦାନ ହେବ ବୋଲି କହିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ଉପଦେଷ୍ଟା ପ୍ରାଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଓଝା, ଶିକ୍ଷାବିତ୍ ବିପିନ ବିହାରୀ କର, ଶାରଦାପ୍ରସାଦ ରଥ ଓ ପରମାନନ୍ଦ ପଲେଇ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ | ଇଂ. ହରିହର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |

3
ଦ୍ବିତୀୟ ଅଧିବେଶନରେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ସଭାପତି ମେଜର ମଞ୍ଜୁଶ୍ରୀ ପତି ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଇଂ. ଦୁର୍ଗାପ୍ରସାଦ କର | ସମ୍ମାନିତ ଅତିଥିଭାବେ ଶ୍ରୀମୟୀ କର ଏବଂ ଡ. ଉମେଶଚନ୍ଦ୍ର ପତି ଯୋଗଦେଇଥିଲେ | ସମିତିର ଉପଦେଷ୍ଟା ତଥା କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଡ. ଉମେଶଚନ୍ଦ୍ର ପତି କହିଥିଲେ ଯେ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପକ୍ଷରୁ ବିଜ୍ଞାନପ୍ରଚାର ସମିତିର ସାଲେପୁର ଶାଖାର ଉଦ୍‌ଘାଟନ ବର୍ଷକତଳେ ହୋଇଥିଲେ ବି ସମିତି ଏବେ ସ୍ବୟଂନିର୍ଭର ହୋଇ କାର୍ଯ୍ୟକରୁଛି ଓ ସ୍ଥାନୀୟ ଅଞ୍ଚଳରେ ବିଜ୍ଞାନର ପ୍ରଚାର ଓ ପ୍ରସାରକାର୍ଯ୍ୟରେ ଜଡ଼ିତ ରହିଛି | ମୁଖ୍ୟ ଅତିଥି ଇଂ. ଦୁର୍ଗାପ୍ରସାଦ କର ବହୁଦିନ ଦେଶବାହାରେ କାର୍ଯ୍ୟକରିବାର ଅନୁଭୂତି ବଖାଣିବା ସହିତ ବର୍ତ୍ତମାନର ସମୟରେ ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ | ସମ୍ମାନିତ ଅତିଥି ଶ୍ରୀମୟୀ କର ସାଧାରଣ ଜୀବନରେ ସ୍ବଚ୍ଛତାର ଗୁରୁତ୍ବ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ସଭାପତି ମେଜର ମଞ୍ଜୁଶ୍ରୀ ପତି ବିଜ୍ଞାନପ୍ରଚାର ସମିତିର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂପାଦକ ମହେଶଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ |

4

ଏହି ଅବସରରେ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟ ପକ୍ଷରୁ ଅବସରପ୍ରାପ୍ତ ଜିଲ୍ଲା ନିବନ୍ଧକ ଅକ୍ଷୟକୁମା ପତିଙ୍କୁ ଚନ୍ଦ୍ରମଣି-ଗୋପୀନାଥ ସ୍ମୃତି ସମ୍ମାନ – ୨୦୨୪ ପ୍ରଦାନ କରାଯାଇଥିବାବେଳେ ଜିଆଖତ ଉତ୍ପାଦନରେ ସହଯୋଗ ଲାଗି ନିରଞ୍ଜନ ସାହୁ ଙ୍କୁ ଆଥିକ ଅନୁଦାନ ପ୍ରଦାନ କରାଯାଇଥିଲା | ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଜଣେ ଛାତ୍ରୀଙ୍କୁ ପାଠପଢାରେ ସହାୟତା ଲାଗି ଟ୍ରଷ୍ଟପକ୍ଷରୁ ୧ହଜାର ଟଙ୍କା ଓ ପୁସ୍ତକ ପ୍ରଦାନ କରାଯାଇଥିଲା |
ସେହିପରି ବିଜ୍ଞାନପ୍ରଚାର ସମିତି ପକ୍ଷରୁ ସାଲେପୁର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଅମିଷା ମିଶ୍ରଙ୍କୁ ‘ସଭାପତି ମେଧା ପୁରସ୍କାର’ ସ୍ବରୂପ ୧ ହଜାର ଟଙ୍କା ଓ ମୋମେଣ୍ଟୋ ପ୍ରଦାନ କରାଯାଇଥିଲା |
ସମଗ୍ର କାର୍ଯ୍ୟକ୍ରମକୁ ପୁରସ୍ତମ ବେହେରା, ଦିବାକର ପ୍ରଧାନ, ପ୍ରତାପ ଜେନା, ମାନସ କୁମାର ମଲ୍ଲ, ଇଂ. ଶାଶ୍ବତ ଦାସ, ସୁଚରିତା ରାଉତ ଏବଂ ବାସନ୍ତୀ ଦାସ ପ୍ରମୁଖ ପରିଚାଳନା କରିଥିଲେ |