Img 20240530 Wa0188

୭ମ ପର୍ଯ୍ୟାୟରେ ୮ଟି ଵିଧାନସଭା ଏବଂ ମୟୂରଭଂଜ ଲୋକସଭା କ୍ଷେତ୍ର ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ

Politics State
  • ଆବଣ୍ଟନ କେନ୍ଦ୍ରରୁ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କଲେ ପୋଲିଂ ଅଧିକାରୀ
  • ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟାର ଶାନ୍ତିପୂର୍ଣ୍ଣତା ଦେଖି ଆତ୍ମସନ୍ତୋଷ ପ୍ରକାଶ କଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ଏବଂ ତ୍ରୁଟିଶୂନ୍ୟ ନିର୍ବାଚନ କାର୍ଯ୍ୟ ପରିଚାଳନା ପାଇଁ ପ୍ରଶାସନର ପ୍ରସ୍ତୁତି ଜାରି ରହିଛି। ଜିଲ୍ଲାରେ ବାକି ୮ଟି ନିର୍ବାଚନ ମଣ୍ଡଳୀ ଏବଂ ମୟୁରଭଞ୍ଜ ଲୋକସଭା କ୍ଷେତ୍ର ପାଇଁ ମତଦାନ ୭ମ ପର୍ଯ୍ୟାୟରେ ଆସନ୍ତା ଜୁନ ୧ ତାରିଖରେ ହେବାକୁ ଥିବା ବେଳେ ଗୁରୁବାର ଦିନ ବାରିପଦା ସ୍ଥିତ ଏମପିସି (ସ୍ବୟଂଶାସିତ) ମହାବିଦ୍ୟାଳୟରେ ହୋଇଥିବା ଇଭିଏମ ଆବଣ୍ଟନ କେନ୍ଦ୍ରରୁ ପୋଲିଂ ଅଧିକାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ହୋଇଥିବା ମତଦାନ କେନ୍ଦ୍ରକୁ ଗମନ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କର ଯାଇଥିବା ବେଳେ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଣ୍ଟନ କେନ୍ଦ୍ରରେ ଆବଶ୍ୟକ ପରିମାଣରେ ଥଣ୍ଡା ପାନୀୟ ଜଳ ମଧ୍ୟ ବ୍ୟବସ୍ଥା କରା ଯାଇଛି। ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ରୀଜର୍ଵ ପୋଲିସ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଡ଼ାକବାଜି ଯନ୍ତ୍ର ଦ୍ୱାରା ଏହି ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ଉତ୍ତମ ବ୍ୟବସ୍ଥା କରା ଯାଇଛି।

ବିଶେଷ ସୂଚନା ଏହାକି, ଜିଲ୍ଲାରେ ଏହି ପ୍ରକ୍ରିୟା ପାଇଁ ସମୁଦାୟ ୫ଟି ଭୋଟ ଗଣତି କେନ୍ଦ୍ର ସ୍ଥିର କରାଯାଇଛି। ବାଙ୍ଗିରିପୋଷି ଏବଂ ବଡସାହି ନିର୍ବାଚନ ମଣ୍ଡଳୀ ପାଇଁ ଏମପିସି (ସ୍ବୟଂଶାସିତ) ମହାବିଦ୍ୟାଳୟ, ବାରିପଦା ନିର୍ବାଚନ ମଣ୍ଡଳୀ ପାଇଁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଶିକ୍ଷକ ଟ୍ରେନିଂ କେନ୍ଦ୍ର, ଉଦଳା ପାଇଁ ଉଦଳା (ସ୍ବୟଂଶାସିତ) ମହାବିଦ୍ୟାଳୟ, ସରସକଣା ଏବଂ ବିଜାତଳା ପାଇଁ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଯଶିପୁର ଏବଂ କରଞ୍ଜିଆ କ୍ଷେତ୍ର ପାଇଁ କରଞ୍ଜିଆ (ସ୍ବୟଂଶାସିତ) ମହାବିଦ୍ୟାଳୟ ଠାରେ ଭୋଟ ଗଣତି କେନ୍ଦ୍ର ହୋଇଅଛି। ସମ୍ପୂର୍ଣ୍ଣ ମୟୁରଭଞ୍ଜ ଜିଲ୍ଲାର ଭୋଟ ଗଣତି ନିମନ୍ତେ ସମୁଦାୟ ୧୦୨ ଗୋଟି ଇଭିଏମ ଟେବୁଲ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବାଲଟ ଭୋଟ ଗଣତି ପାଇଁ ୩୨ଟି ଇଭିଏମ ଟେବୁଲ ବ୍ୟବସ୍ଥା କରାଯାଇଛି।

ଜିଲ୍ଲାରେ ବାକି ରହିଥିବା ୮ଟି ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖ ଦିନ ସର୍ବମୋଟ ୧୭୪୨୬୭୪ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ, ସେଥି ମଧ୍ୟରୁ ୮୬୩୪୧୯ ପୁରୁଷ, ୮୭୯୧୭୫ ମହିଳା, ଏବଂ ୮୦ ଜଣ ସମଲିଙ୍ଗୀ ଭୋଟର ଅଛନ୍ତି। ସମୁଦାୟ ଜିଲ୍ଲାରେ ୧୫୧ଟି ସମ୍ବେଦନଶୀଳ ବୁଥ ଥିବା ବେଳେ ସେଥି ମଧ୍ୟରୁ ୧୪୩ଟି ପୋଲିଂ ଷ୍ଟେସନରେ ସିଧାସଳଖ ୱେବକାଷ୍ଟିଙ୍ଗ ହେବାର ବ୍ୟବସ୍ଥା କରା ଯାଇଛି। ୪୨୬ଟି ସଖୀ ବୁଥ, ୬୨୪ଟି ମିଳିତ ବୁଥ, ୯ଟି ଭିନ୍ନକ୍ଷମ ମାନଙ୍କପାଇଁ ଉଦ୍ଦିଷ୍ଟ ବୁଥ, ଏବଂ ୮୦ଟି ଯୁବ ବୁଥ ପ୍ରସ୍ତୁତ କରା ଯାଇଛି। ବିଧାନସଭା କ୍ଷେତ୍ର ପାଇଁ ପୋଷ୍ଟାଲ ବାଲଟରେ ୬୯୮ ଟି ଭୋଟ ଗ୍ରହଣ ହୋଇଥିବା ବେଳେ, ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ପାଇଁ ୬୦୩ଟି ପୋଷ୍ଟାଲ ବାଲଟ ଗ୍ରହଣ କରାଯାଇଛି । ସୂଚନା ଥାଉକି, ଆଗାମୀ ୦୧.୦୬.୨୦୨୪ ତାରିଖରେ ଜିଲ୍ଲାରେ ୨୧୨୭ ଟି ଏବଂ ଗୋଟିଏ ସହାୟକକାରୀ ବୁଥ ପ୍ରସ୍ତୁତ ଅଛି।

ଏହି ବିଶେଷ କାର୍ଯ୍ୟ ସଂଚାଳନା ପରିପ୍ରେକ୍ଷୀରେ, ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଗଣ ମୟୂରଭଞ୍ଜ ଗସ୍ତ କରିଛନ୍ତି। ବୁଧବାର ଦିନ ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା ପ୍ରଶାସନ ମୁଖ୍ୟ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଏବଂ ସୁରକ୍ଷା ମୁଖ୍ୟ ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ ଏବଂ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ସମେତ ଜିଲ୍ଲାର ସମସ୍ତ ନୋଡାଲ ଅଧିକାରୀ ମାନଙ୍କ ସହିତ ସାକ୍ଷାତ କରି ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା କିପରି ଚାଲିଛି ପଚାରି ବୁଝିବା ସହିତ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ବୁଲି ଦେଖିଥିଲେ । ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବରେ ଚାଲିଛି ବୋଲି ହୃଦୟଙ୍ଗମ କଲା ପରେ ପର୍ଯ୍ୟବେକ୍ଷକ ଗଣ ଆତ୍ମସନ୍ତୋଷ ପ୍ରକାଶ କରିଥିଲେ।